ରାଷ୍ଟ୍ରାୟତ୍ତ ପ୍ରସାରଣ ସଂସ୍ଥା ‘ଦୂରଦର୍ଶନ’ ତାର ନୂତନ ଲୋଗୋ ଉନ୍ମୋଚନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଷ୍ଟ୍ରାୟତ୍ତ ପ୍ରସାରଣ ସଂସ୍ଥା ‘ଦୂରଦର୍ଶନ’ ତାର ନୂତନ ଲୋଗୋ ଉନ୍ମୋଚନ କରିଛି । ସ୍ବୟଂଶାସିତ ଜନ ପ୍ରସାରଣକାରୀ ‘ଦୂରଦର୍ଶନ’ ଏହାର ଲୋଗୋର ରଙ୍ଗକୁ ନାଲିରୁ ଗେରୁଆ ପରିବର୍ତ୍ତନ କରି ବିରୋଧୀମାନଙ୍କର ସମାଲୋଚନାର ଶିକାର ହୋଇଛି। ନିକଟରେ ସଂସ୍ଥା ଏକ ପ୍ରମୋସନ ଭିଡିଆ ଜାରି କରି ନୂତନ ଲୋଗୋ ସମ୍ପର୍କରେ ସୂଚନା ଦେଇଛି । ତେବେ ଏହି ଗେରୁଆ ରଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି ।

ଏହି ରଙ୍ଗ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ଦଳୀୟ ରଙ୍ଗ ସହ ମିଶୁଥିବାରୁ ଏହି ପରିବର୍ତ୍ତନ ଏବେ ରାଜନୈତିକ ବିବାଦ ଓ ସମାଲୋଚନା ଠାରୁ ଦୂରରେ ନାହିଁ । ଡିଡି ପୋଷ୍ଟ୍‌ର କ୍ୟାପସନରେ ଲେଖାଯାଇଛି, “ଯଦିଓ ଆମର ମୂଲ୍ୟ ସମାନ ରହିଛି, ଆମେ ବର୍ତ୍ତମାନ ଏକ ନୂତନ ଅବତାରରେ ଉପଲବ୍ଧ। ପୂର୍ବ ପରି ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ। ନୂଆ ଡିଡି ନିଉଜ୍‌କୁ ଅନୁଭବ କରନ୍ତୁ।’’ ସଂସ୍ଥାର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବର୍ତ୍ତମାନର ତୃଣମୂଳ କଂଗ୍ରେସ ସାଂସଦ ଜବାହାର ସରକାର ଏହାକୁ ନେଇ ଆପତ୍ତି ଦର୍ଶାଇଛନ୍ତି । ଏହା ରାଷ୍ଟ୍ରୀୟ ପ୍ରସାରଣକାରୀ ସଂସ୍ଥାର ଗେରୁଆକରଣ ବୋଲି ସେ କଟାକ୍ଷ କରି ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ସଂସ୍ଥାର ପୂର୍ବତନ ପରିଚାଳନା ମୁଖ୍ୟ ଭାବେ ତାଙ୍କୁ ଏହା ବ୍ୟଥିତ କରୁଛି । ଏବେ ପ୍ରସାର ଭାରତୀ ପ୍ରଚାର ଭାରତୀରେ ପରବର୍ତ୍ତନ ହୋଇସାରିଲାଣି । ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା 2012ରୁ 2014ରେ ୟୁପିଏ ସରକାରରେ କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ଥିବା ମନୀଷ ତିଓ୍ବାରୀ ମଧ୍ୟ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । କହିଛନ୍ତି, ସରକାରୀ ସଂସ୍ଥାନକୁ କବଜାକୁ ନେବାରେ ଲାଗିଛନ୍ତି ସରକାର । ଏପରି କାମ ଦେଶରେ ରାଷ୍ଟ୍ରୀୟ ପ୍ରସାରକ କମ୍ପାନୀ ପ୍ରତି ଦେଶବାସୀଙ୍କର ଥିବା ବିଶ୍ବସନୀୟତାକୁ ଦୁର୍ବଳ କରିଦେବ ।

Leave A Reply

Your email address will not be published.