ପେପର ଲେସ କୋର୍ଟର ଶୁଭାରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ଜିଲ୍ଲା ଏବଂ ଦୌରା ଜର୍ଜ କୋର୍ଟ ପରିସରରେ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ କୋର୍ଟରେ ଗୁରୁବାର ପେପର ଲେସ କୋର୍ଟର ଶୁଭାରମ୍ଭ ଭର୍ଚୁଆଲ ମୋଡ଼ ହୋଇଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରି ଶରଣ ସିଂ ଏହାକୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। ସମ୍ମାନୀତ ଅତିଥି ଭାବେ ଆଇଟି ଏବଂ ଏଆଇ କମିଟିର ଅଧ୍ୟକ୍ଷ ଜଷ୍ଟିସ କେ ଆର ମହାପାତ୍ର, ଓଡିଶା ହାଇକୋର୍ଟର ବିଚାରପତି ତଥା ମୟୁରଭଞ୍ଜ ଜିଲ୍ଲା ଆଇନ ପରିଷଦର ପ୍ରଶାସନିକ ବିଭାଗର ଅଧିକାରୀ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଅଦାଲତକୁ ପେପର ଲେସ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବାପରେ କୋର୍ଟର ରେକର୍ଡ ରୁମରେ ଥିବା ସମସ୍ତ କାଗଜ ପତ୍ରକୁ ଡିଜିଟାଲାଇଜ୍ କରାଯାଉଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ଏଭଳି ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି। ଏଣିକି ବିନା କାଗଜପତ୍ରରେ କୋର୍ଟ କାମ ଚାଲିବ। ଯାହା ବିଚାର ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ। ପେପର ଲେସ କୋର୍ଟ ଦ୍ୱାରା ସ୍ୱଚ୍ଛ ପରିବେଶ, ମାମଲାର ତଥ୍ୟ ଶୀଘ୍ର ଉପଲବ୍ଧ ହେବ, ଯୋଗାଯୋଗର ମାଧ୍ୟମ ମଧ୍ୟ ତ୍ୱରିତ ହେବ। ଏଥି ସହିତ ପେପର ଲେସ କୋର୍ଟ ପରିବେଶ ପାଇଁ ମଧ୍ୟ ଅନୁକୂଳ ହେବ। ଏହାକୁ ନେଇ ବାରିପଦା ସ୍ଥିତ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜଙ୍କ କୋର୍ଟର କାଗଜ ପତ୍ରକୁ ମଧ୍ୟ ଡିଜିଟାଲାଇଜ କରି ପେପର ଲେସ କରିବା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।

ଏହା ହେବା ଫଳରେ କାଗଜ ପତ୍ର ମିଳିବା ମଧ୍ୟ ସହାୟକ ହେବ। ଏଥି ସହିତ ଅଦାଲତର ସମୟ ବଞ୍ଚିବ, ମହକିଲ ଅଯଥା ଖର୍ଚ୍ଚରୁ ମଧ୍ୟ ମୁକ୍ତି ପାଇବ ବୋଲି ଆଇନଜୀବୀ ମାନେ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ସତନ୍ତ୍ର ଭିଜିଲାନ୍ସ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ଡ. ପ୍ରସନ୍ନ କୁମାର ପଣ୍ଡା, ଜିଲ୍ଲା ଅତିରିକ୍ତ ସହକାରୀ ଦୌରା ଜର୍ଜ ବାସୁଦେବ ଆଚାର୍ଯ୍ୟ, କୋର୍ଟ କର୍ମଚାରୀ ଏବଂ ଅନ୍ୟାନ୍ୟ ଆଇନଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.