ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିରରେ ଜୈବିକ ଅନ୍ନରୁ ପ୍ରସ୍ତୁତ ହେବ ମହାପ୍ରସାଦ। ଜୈବିକ ଚାଉଳର ବ୍ୟବହାର ନେଇ ଏକ ପରାମର୍ଶ ବୈଠକ କୃଷି ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମହାପ୍ରସାଦରେ ଜୈବିକ ଚାଉଳର ବ୍ୟବହାର ନେଇ ଆଲୋଚନା ହୋଇଥିଲା ।ମହାପ୍ରସାଦକୁ ରସାୟନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଶ୍ରୀମନ୍ଦିରର ମହାପ୍ରସାଦରେ ଜୈବିକ ଚାଉଳ ଏବଂ ପନିପରିବାର ବ୍ୟବହାର ନିଷ୍ପତ୍ତିକୁ ସୁଆର-ମହାସୁଆର ନିଯୋଗ ତଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମନ୍ଦିର କୋଠଭୋଗରେ ଏହି ଜୈବିକ ଚାଉଳର ବ୍ୟବହାର କରାଯିବ। ଏଥି ସହ ଶ୍ରୀଗୁଣ୍ଡିଚା ସମୟରେ ସମ୍ପୂର୍ଣ୍ଣ ଲାଗି ହେଉଥିବା ଭୋଗରେ ଜୈବିକ ଚାଉଳ ଓ ପନିପରିବା ବ୍ୟବହାର ହେବା ପାଇଁ ପ୍ରସ୍ତାବ ରହିଛି। ‘ଅମୃତ ଅନ୍ନ’ ନାମରେ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଜୈବିକ ଅନ୍ନରୁ ପ୍ରସ୍ତୁତ ମହାପ୍ରସାଦ ଆନନ୍ଦବଜାରରେ ଭକ୍ତଙ୍କ ପାଇଁ ଉପଲବ୍ଧ ହେବ। ଏଥି ପାଇଁ ଆନନ୍ଦବଜାରରେ ଏକ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବାର ପ୍ରସ୍ତାବ ରହିଛି । ପ୍ରାରମ୍ଭିକ ଭାବେ ରାଜ୍ୟରେ ଉତ୍ପାଦିତ ହେଉଥିବା କଳାଜୀରା, ପିମ୍ପୁଡ଼ିବାସ, ଯୁବରାଜ ଆଦି ଜୈବିକ ଚାଉଳ ଦେଶୀୟ ପ୍ରଜାତିର ଜୈବିକ ଧାନ ଏହି ‘ଅମୃତ ଅନ୍ନ’ ମହାପ୍ରସାଦରେ ବ୍ୟବହୃତ ହେବ। ଏଥି ସହ କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ) ମାନଙ୍କୁ କ୍ଲଷ୍ଟର ଆପ୍ରୋଚ୍ ମାଧ୍ୟମରେ ଜୈବିକ ଚାଉଳ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବ ଏବଂ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବାକୁ ଏକ ପରିଚାଳନା କମିଟି ଗଠନ କରାଯିବ।