ବାଇଡେନଙ୍କୁ ‘ସିନ୍ଦୁକ’ ଉପହାର ଦେଲେ ମୋଦି, ଜାଣନ୍ତୁ ସେଥିରେ କ’ଣ ରହିଛି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ବାଇଟ୍‌ ହାଉସ୍‌ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ‘ଫାଷ୍ଟ ଲେଡି’ ଜିଲ୍‌ ବାଇଡେନ୍‌ଙ୍କୁ ଦେଇଥିବା ଉପହାର ବା ଭେଟିରେ ରହିଛି ବିଭିନ୍ନ ପ୍ରକାର ସାମଗ୍ରୀ। ଉପହାର ଭିତରେ ବାଇଡେନ୍‌ଙ୍କୁ ମୋଦୀ ଦେଇଥିବା ଚନ୍ଦନ କାଠ ନିର୍ମିତ ‘ସିନ୍ଦୁକ’ଟି ହେଉଛି ବ‌ିଶେଷ ଉପହାର।

କର୍ଣ୍ଣାଟକର ମହୀଶୂରରୁ ସଂଗ୍ରହ କରାଯାଇଥିବା ଚନ୍ଦନକାଠରେ ତିଆରି ଏହି ଛୋଟ ସିନ୍ଦୁକରେ ସୂକ୍ଷ୍ମାତିସୂକ୍ଷ୍ମ ଡାଳି ଓ ଲତିକା ଖୋଦେଇ କରିଛନ୍ତି ରାଜସ୍ଥାନ ଜୟପୁରର ବିଚକ୍ଷଣ କାରିଗରମାନେ। ଏହି ସିନ୍ଦୁକ ଭିତରେ ରହିଛି ‘ଦଶ ଦାନମ୍‌’ ବା ‘ଦଶ ପ୍ରକାରର ଦାନ’। ଭାରତୀୟ ପରମ୍ପରା ଅନୁସାରେ ‘ସହସ୍ର ପୂର୍ଣ୍ଣଚନ୍ଦ୍ର ଦର୍ଶନ’ ପାଳନ ସମୟରେ ୧୦ ଦାନ ଦେବାର ପ୍ରଥା ଅଛି। ଏହି ସିନ୍ଦୁକରେ ଥିବା ପ୍ରଥମ ଉପହାରଟି ହେଉଛି ବିଘ୍ନନାଶକ ତଥା ଅଗ୍ରପୂଜ୍ୟ ହିନ୍ଦୁ ଦେବତା ଶ୍ରୀଗଣେଶଙ୍କର ରୁପା ପ୍ରତିମା।

ଏହାକୁ ତିଆରି କରିଛନ୍ତି ୫ ପୁରୁଷ ହେବ ରୁପାକାମ କରିଆସୁଥିବା କୋଲକାତାର ବଣିଆମାନେ। ଏଥିରେ ଥିବା ରୁପା ଦୀପଟିକୁ ବି ସେମାନେ ତିଆରି କରିଛନ୍ତି। ସିନ୍ଦୁକରେ ଥିବା ‘ତାମ୍ର-ପତ୍ର’ଟି ଆସିଛି ଉତ୍ତର ପ୍ରଦେଶରୁ ଏବଂ ସେଥିରେ ଖୋଦେଇ ହୋଇଛି ‌ଗୋଟାଏ ଶ୍ଳୋକ। ଏଥିରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା-ନଡ଼ିଆଟିକୁ ମଧ୍ୟ କୋଲ୍‌କାତାର ବଣିଆମାନେ ତିଆରି କରିଛନ୍ତି। ‘ଗୋ ଦାନ’ ପରିବର୍ତ୍ତେ ରୁପା-ନଡ଼ିଆ ଦାନ କରାଯାଏ।

‘ଭୂଦାନ’ ପରିବର୍ତ୍ତେ  ଏଥିରେ ଦିଆଯାଇଥିବା ସୁବାସିତ ଚନ୍ଦନକାଠ ଖଣ୍ଡିକ ଆସିଛି କର୍ଣ୍ଣାଟକର ମହୀଶୂରରୁ। ‘ତିଳ (ଖସା) ଦାନ’ ପାଇଁ ତାମିଲ୍‌ନାଡୁରୁ ଅଣାଯାଇଛି ଧଳା ତିଳ। ‘ସ୍ବର୍ଣ୍ଣଦାନ’ ବା ‘ହିରଣ୍ୟଦାନ’ ପାଇଁ ରାଜସ୍ଥାନରୁ ଖୋଦେଇ ହୋଇ ଆସିଛି ୨୪ କାରେଟ୍‌ ବିଶୁଦ୍ଧ ସୁନାରେ ନିର୍ମିତ ସ୍ବର୍ଣ୍ଣମୁଦ୍ରା। ‘ଅଜ୍ୟଦାନ’ ପାଇଁ ପଞ୍ଜାବରୁ ଆସିଛି ଖାଣ୍ଟି ଗୁଆଘିଅ। ‘ବସ୍ତ୍ରଦାନ’ ପାଇଁ ଝାଡ଼ଖଣ୍ଡରୁ ଆସିଛି ହତବୁଣା ଟସର ମଠା।  ‘ଧାନ୍ୟଦାନ’ ନିମନ୍ତେ ସିନ୍ଦୁକରେ ରହିଛି ଉତ୍ତରାଖଣ୍ଡର ଲମ୍ବା ଚାଉଳ।

‘ଗୁଡ଼ଦାନ’ ପାଇଁ ମହାରାଷ୍ଟ୍ରରୁ ଆସିଛି ଗୁଡ଼। ‘ରୌପ୍ୟଦାନ’ ବାବଦକୁ ଦିଆଯାଇଛି ୯୯.୫% ଖାଣ୍ଟି ରୁପାରେ ରାଜସ୍ଥାନ ଶିଳ୍ପୀମାନେ ଖୋଦେଇ କରିଥିବା ମୁଦ୍ରା। ‘ଲବଣଦାନ’ ନିମନ୍ତେ ଦିଆଯାଇଛି ଗୁଜରାଟରୁ ଅଣାଯାଇଥିବା ଲୁଣ ରହିଛି ।

Leave A Reply

Your email address will not be published.