ଅବକାରୀ ବିଭାଗ ଦ୍ଵାରା ୧୦କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ,ଜଣେ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ଅବୈଧ ନିଶା କାରବାର ରୋକିବାରେ ପୁଣି ଅବକାରୀ ବିଭାଗକୁ ସଫଳତା ମିଳିଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ଵାରା ଚଢ଼ାଉ କରି ୧୦ କିଲୋରୁ ଉର୍ଦ୍ଧ୍ବ ପରିମାଣର ଗଞ୍ଜେଇ ଜବତ କରିବା ସମେତ ଜଣକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ନେଇ ଅବକାରୀ ବିଭାଗକୁ ବିଶ୍ୱସ୍ଥସୂତ୍ରରୁ ଖବର ମିଳିଥିଲା। ଏନେଇ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କଁହରଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ସଦର ଓ କୁଳିଅଣା ଅବକାରୀ ଥାନା ଦ୍ୱାରା ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ନିମନ୍ତେ କୁଳିଅଣା ଫ୍ଲାଇ ଓଭର ମଧ୍ୟରୁ ଅବକାରୀ ବିଭାଗ ଗଞ୍ଜେଇ ଜବତ କରିଥିଲା। ଏକ ବୁରା ମଧ୍ୟରୁ ୧୦କିଲୋ ୧୨୦ଗ୍ରାମର ଗଞ୍ଜେଇ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଛି। ଏଥିସହିତ କୁଳିଅଣା ଥାନା ଅନ୍ତର୍ଗତ କାମତା ଗ୍ରାମର ରୂପକ କୁମାର ପଟ୍ଟନାୟକ(୩୭)କୁ ଗିରଫ କରାଯାଇ ବାରିପଦା ସ୍ଥିତ କୋର୍ଟ ଚାଲାଣ କରାଯାଇଛି।

ଏନେଇ ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଚଢ଼ାଉ ସମୟରେ ସଦର ଅବକାରୀ ଥାନା ଅଧିକାରୀ ସ୍ୱପ୍ନାରାଣୀ ସାହୁ, କୁଳିଅଣା ଅବକାରୀ ଥାନା ଅଧିକାରୀ ଜ୍ଞାନେଶ୍ୱରୀ ବିଶ୍ୱାଳ, ଏଏସଆଇ ଲମ୍ବଧର ମହାନ୍ତ, ଅରୁଣରାଜ ତରେଇ, ଲକ୍ଷ୍ମଣ କୁମାର ନାଥ, ବିକାଶ କୁମାର ମହାନ୍ତ ଓ ମମତା ବାରିକ ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.