ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଏହି ବର୍ଷର ଜାତୀୟ ବିଜ୍ଞାନ ଦିବସର ଥିମ୍‌ “ବିକଶିତ ଭାରତ ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା” ଉପରେ ଗୁରୁତ୍ୱାରୋପ କରି ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀଙ୍କୁ ଆନ୍ତଃବିଭାଗୀୟ ଗବେଷଣାରେ କାର୍ଯ୍ୟରତ ହେବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ ପୂର୍ବତନ ବରିଷ୍ଠ ବୈଜ୍ଞାନିକ ଡ. ସୁବ୍ରତ କୁମାର ଦାସ “ବିଭିନ୍ନ ଜୈବପ୍ରଯୁକ୍ତି ଉଭାବନରେ ଓଡ଼ିଶାର ଜୈବଉତ୍ସ ବ୍ୟବହାର” ଶୀର୍ଷକ ବିଷୟରେ ନିଜର ଦୀର୍ଘ ବକ୍ତବ୍ୟ ରଖିଥିଲେ । ଜାମ୍‌ସେଦପୁରସ୍ଥିତ ରାଷ୍ଟ୍ରୀୟ ଧାତୁକର୍ମ ପ୍ରୟୋଗଶାଳାର ମୁଖ୍ୟ ବୈଜ୍ଞାନିକ ଡ. ତ୍ରିଲୋଚନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ “ବିକଶିତ ଭାରତ ପାଇଁ ଅଭିନବ ଏବଂ ସ୍ୱଦେଶୀ ବୈଷୟିକଜ୍ଞାନ” ଶୀର୍ଷକ ବିଷୟରେ ନିଜର ଦୀର୍ଘ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ୯୩ ଜଣ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ପ୍ରଦର୍ଶିତ ଗବେଷଣା ଭିତ୍ତିକ ପୋଷ୍ଟରର ଏକ ସଂକଳନ ଉନ୍ମୋଚିତ ହୋଇଥିଲା ।

ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ୍‌ର ମୁଖ୍ୟ ପ୍ରଫେସର ପ୍ରମୋଦ କୁମାର ଶତପଥି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ତଥା ସହଯୋଗୀ ପ୍ରଫେସର ଡ. ଇନ୍ଦ୍ରଜିତ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ପ୍ରଦର୍ଶିତ ଗବେଷଣା ଭିତ୍ତିକ ପୋଷ୍ଟର ପ୍ରଦର୍ଶନୀକୁ କୁଳପତି ପ୍ରଫେସର ତ୍ରିପାଠୀ ଉଦ୍‌ଘାଟନୀ କରିଥିଲେ ଏବଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହ ଭାବ ବିନିମୟ କରିଥିଲେ ।

ଏହି ପ୍ରଦର୍ଶନୀରେ ବିଶ୍ୱବିଦ୍ୟାଳୟର ଗବେଷଣାରତ ଛାତ୍ରଛାତ୍ରୀ ମାନେ ନିଜର ଗବେଷଣା ଭିତ୍ତିକ ପ୍ରକଳ୍ପର ପ୍ରଦର୍ଶନ କରିଥିଲେ । ଏହି ସମାବେଶରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୋଷ୍ଟର ଉପସ୍ଥାପନା କରୁଥିବା ଅଧ୍ୟାପକ ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ ।

Leave A Reply

Your email address will not be published.