ଆସନ୍ତା ୨୭ତାରିଖରେ ନିତି ଆୟୋଗ ବୈଠକରେ ଯୋଗଦେବେ ନବୀନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନିତି ଆୟୋଗ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୬ତାରିଖ ଅପରାହ୍ନରେ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଦୋହରାଇବା ସହ ଗ୍ରୀନ୍ ସେସ୍ , ଖଣି ରୟାଲିଟି ପରିମାଣ ବୃଦ୍ଧି, ବ୍ୟାଙ୍କିଙ୍ଗ ଓ ମୋବାଇଲ ନେଟୱାର୍କିଂ ସୁବିଧା ଆଦି ପ୍ରସଙ୍ଗରେ ଦାବି ଉତଥାପନ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୬ତାରିଖରେ ଦିଲ୍ଲୀ ଗସ୍ତରେ ଯାଇ ୨୮ତାରିଖ ଅପରାହ୍ନରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାଳରେ ୨୮ତାରିଖରେ ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ମଧ୍ୟ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ମୋଦି ଏହି ସଂସଦ ଭବନକୁ ଉଦଘାଟନ କରିବେ ।

ସୂଚନାଯୋଗ୍ୟ, ଶେଷଥର ପାଇଁ ୨୦୨୨ ଅଗଷ୍ଟ ୭ତାରିଖରେ ନିତି ଆୟୋଗ ପରିଚାଳନା ପରିଷଦ ବୈଠକ ହୋଇଥିଲା ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ମେ’ ୧୧ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ମୁଖ୍ୟମନ୍ତ୍ରୀ ପୁଣିଥରେ ନିତି ଆୟୋଗ ବୈଠକ ଓ ସଂସଦ ଭବନ ଉଦଘାଟନ ଉତ୍ସବରେ ଭେଟଘାଟ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.