‘ବିଜେଡି ମୁକ୍ତ’ ଶାସନର ଆବଶ୍ୟକତା ରହିଛି : ମନମୋହନ ସାମଲ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ଦଳର ତୃଣମୂଳ ସ୍ତରର ସଂଗଠକମାନେ କାର୍ଯ୍ୟ କରିବାକୁ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଆଜି ଦଳର କାର୍ଯ୍ୟକର୍ତ୍ତାଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି। ହୋଟେଲ ନିଉ ମାରିଅନରେ ବସିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆସନ୍ତା ସାଧାରଣ ନିର୍ବାଚନକୁ ନଜରରେ ରଖି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ରାଜ୍ୟ ସରକାରଙ୍କ ଯୋଜନାରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ ଏବଂ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ପ୍ରତି ଘରେ ପହଞ୍ଚାଇବାକୁ ଦଳ ନିଷ୍ପତ୍ତି ନେଇଛି। କେବଳ ସେତିକି ନୁହେଁ, ଗରିବ ଓ ମଧ୍ୟବିତ୍ତ ଭୋଟରଙ୍କୁ ଟାର୍ଗେଟ୍ କରି ସେମାନଙ୍କୁ କିପରି ବିଜେପିକୁ ଆକର୍ଷିତ କରାଯିବ ସେନେଇ ଦଳ ଆସନ୍ତା ଦିନରେ କାର୍ଯ୍ୟ କରିବ। ସବୁ ବାସହୀନଙ୍କୁ ପକ୍କା ଘର, ସବୁ ଘରେ ଶୌଚାଳୟ, ପାନୀୟ ଜଳ, ବିଜୁଳି, ରାସ୍ତା, କୃଷକ ଆୟ ଦ୍ବିଗୁଣିତ କରିବା ଓ ବୀମା ଯୋଗାଇ ଦେବା, ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ଭଳି କାର୍ଯ୍ୟ ମୋଦୀ ସରକାର କରିଛନ୍ତି ।

ମାତ୍ର ଓଡ଼ିଶା ବିକାଶରେ ବାଧକ ସାଜିଥିବା ବିଜେଡି ସରକାର ପାଇଁ କେନ୍ଦ୍ର ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା ଓଡ଼ିଶାର ତୃଣମୂଳସ୍ତରକୁ ପହଞ୍ଚିପାରୁନାହିଁ। ଏହି ବାର୍ତ୍ତା ପ୍ରତି ଘରେ ପହଞ୍ଚାଇବାକୁ ଶ୍ରୀ ବଂଶଲ ଦଳୀୟ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି।ରାଜ୍ୟ ସଭାପତି ମ‌ନ‌ମାହନ ସାମଲ କହିଛନ୍ତି ଯେ ଗତ ୨୩ବର୍ଷ ଧରି ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର, ଅସାମ୍ବିଧାନିକ ସରକାର ଚାଲିଛି। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟରେ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଓ ‘ବିଜେଡି ମୁକ୍ତ’ ଶାସନର ଆବଶ୍ୟକତା ରହିଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ୯ବର୍ଷର ସଫଳତାକୁ ପ୍ରତି ଘରେ ପହଞ୍ଚାଇବାକୁ ମେ’ ୨୯ରୁ ଜୁନ୍ ୩୦ ପର୍ଯ୍ୟନ୍ତ (ଏକ ମାସ) ପ୍ରତି ଗାଁରେ ପ୍ରତି ଘରେ ପ୍ରଚାର କରାଯିବ। ବୈଠକ ପରେ ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ ବେରୋଜଗାରୀ, କୁପୋଷଣ, ମହାପ୍ରଭୁଙ୍କ ନୀତି ବିଭ୍ରାଟ, ଶ୍ରୀମନ୍ଦିର ଫାଇଲ ଚୋରି, ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଲାଗୁନହେବା, ୫ଟି ରୂପାନ୍ତରଣ ନାମରେ ଦୁର୍ନୀତି, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା, ସୀମା ସୁରକ୍ଷାରେ ରାଜ୍ୟ ସରକାର ବିଫଳ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚିଟଫଣ୍ଡ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ କାର୍ଯ୍ୟକାରିଣୀରେ ଆଲୋଚନା କରାଯାଇଛି। ବିଜେଡି ମୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପି ସଂକଳ୍ପବଦ୍ଧ।

ଆଉ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସର୍ବଦା ଓଡ଼ିଶାର ବିକାଶକୁ ଧ୍ୟାନ ଦେଇଛନ୍ତି। ରେଳ ବଜେଟ୍ ୯ବର୍ଷରେ ୭୫୦କୋଟିରୁ ବଢ଼ି ୧୦,୦୧୨କୋଟିରେ ପହଞ୍ଚିଥିବାବେଳେ, ବିପର୍ଯ୍ୟୟ ପରିଚାଳନା ହେଉ କି କୃଷି କ୍ଷେତ୍ର, ବିମାନ ସେବା ସବୁଥିରେ ‌େକନ୍ଦ୍ର ସରକାର ସହଯୋଗ କରିଛନ୍ତି। କିନ୍ତୁ ବିଜେଡି ସରକାର ଓଡ଼ିଶାର ବିକାଶରେ ବାଧକ ସାଜିଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ସାଂଗଠନିକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଆଗାମୀ ୪ ମାସର ରୋଡମ୍ୟାପ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

Leave A Reply

Your email address will not be published.