ଓଡ଼ିଆ ନ୍ୟୁଜ୍: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଏହାରି ଭିତରେ ଆତ୍ମହତ୍ୟା କରିଥିବା ପରୀକ୍ଷାର୍ଥୀଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦାବି କଲା ‘ସିଜେପି’। ସିଜେପି (କକରୋଚ୍ ଜନତା ପାର୍ଟି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି।
ଚିଠିରେ ସେ ବ୍ୟବସ୍ଥାର ବିଫଳତା ଯୋଗୁଁ ଜୀବନ ହାରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପରିବାରକୁ ୧କୋଟି ଟଙ୍କା ଲେଖାଏଁ ଆର୍ଥିକ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଇସ୍ତଫାଦାବି କରିବା ସହ ଏଭଳି ସ୍ଥିତି ପାଇଁ ଦାୟିତ୍ବରେ ଥିବା ନେତୃତ୍ଵକୁ ଜବାବଦାର କରିବାକୁ ସେ କହିଛନ୍ତି। ଅଭିଜିତ୍ ଦୀପକେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମୃତ ଛାତ୍ରଛାତ୍ରୀଙ୍କ ପରିବାରର ଆର୍ଥିକ ସ୍ଥିତି ଏବେ ସମ୍ପୂର୍ଣ୍ଣ ଭାରେ ଉଜୁଡ଼ି ଯାଇଛି। ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଅନେକ ପରିବାର ବଡ଼ ବଡ଼ ଶିକ୍ଷା ଋଣ ନେଇଥିଲେ, କିନ୍ତୁ ବ୍ୟବସ୍ଥାର ତ୍ରୁଟି କାରଣରୁ ସେମାନଙ୍କ ସ୍ଵପ୍ନ ଭାଙ୍ଗି ଚୁରମାର ହୋଇଯାଇଛି।
ପୁଣିଥରେ ପରୀକ୍ଷା ଦେବାର ମାନସିକ ଚାପରେ ପିଲାମାନେ ଏଭଳି ଚରମ ନିଷ୍ପତ୍ତି ନେଉଛନ୍ତି ଏବଂ ଗତ ୪୮ଘଣ୍ଟା ମଧ୍ୟରେ ହିଁ ୫ଜଣ ପିଲା ଜୀବନ ହାରିଲେଣି। ଯଦି ସରକାର ଏବେ କୌଣସି ଦୃଢ଼ ପଦକ୍ଷେପ ନନିଅନ୍ତି, ତେବେ ଏହା ସାଧାରଣ ଲୋକଙ୍କ ବିଶ୍ଵାସ ଭାଙ୍ଗିଦେବ ଏବଂ ପ୍ରଶାସନ ଏହି ଭୁଲ ବ୍ୟବସ୍ଥାକୁ ଗ୍ରହଣ କରିନେଇଛି ବୋଲି ବାର୍ତ୍ତା ଯିବ।