ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟକୁ ବୈଧ କଲା ନେପାଳ

0

ଓଡ଼ିଆ ନ୍ୟୁଜ୍: ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟକୁ ବୈଧ କଲା ନେପାଳ। ଏବେଠାରୁ ଦୁଇ ଦେଶର ନାଗରିକମାନେ ନେପାଳକୁ ଆସିବା କିମ୍ବା ସେଠାରୁ ଯିବା ସମୟରେ ନିଜ ସାଥିରେ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ନେଇପାରିବେ। ତେବେ ଏହି ନୋଟଗୁଡ଼ିକ ୨୦୧୬ ନଭେମ୍ବର ୯ କିମ୍ବା ତା’ପରେ ଜାରି ହୋଇଥିବା ଆବଶ୍ୟକ। ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ”ନେପାଳ ରାଷ୍ଟ୍ର ବ୍ୟାଙ୍କ” (ଏନଆରପି) ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ଏଥିସହ ୨୦୧୬ ନଭେମ୍ବର ୯ ପୂର୍ବରୁ ଜାରି ହୋଇଥିବା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବ୍ୟବହାର ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି।

ବ୍ୟାଙ୍କର ପ୍ରବକ୍ତା ଗୁରୁ ପ୍ରସାଦ ପାଉଡେଲଙ୍କ କହିବା ଅନୁଯାୟୀ, ନେପାଳୀ ନାଗରିକମାନେ କେବଳ ଭାରତରୁ ନେପାଳକୁ ଭାରତୀୟ ମୁଦ୍ରା ଆଣିପାରିବେ ଏବଂ ନେପାଳରୁ କେବଳ ଭାରତକୁ ଏହି ଟଙ୍କା ନେଇପାରିବେ। ଭାରତ ବ୍ୟତୀତ ଅନ୍ୟ କୌଣସି ତୃତୀୟ ଦେଶକୁ ଏହି ମୁଦ୍ରା ନେବାଆଣିବା କରିବା ଉପରେ କଟକଣା ରହିବ। ଏହି ନୂତନ ନିୟମ ଯୋଗୁଁ ନେପାଳ ଭ୍ରମଣରେ ଯାଉଥିବା ଭାରତୀୟ ପର୍ଯ୍ୟଟକ, ବ୍ୟବସାୟୀ ଏବଂ ଦୁଇ ଦେଶ ମଧ୍ୟରେ ଯାତାୟାତ କରୁଥିବା ନାଗରିକମାନେ ବିଶେଷ ଭାବରେ ଉପକୃତ ହେବେ।

Leave A Reply

Your email address will not be published.