କମିବ ପୁଣି ରାତି ତାପମାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କମିବ ପୁଣି ରାତି ତାପମାତ୍ରା । ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ମେଘ ସମୂହ ତଥା ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେଉଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶା ଯଥା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରା ଆହୁରି ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, ଗତ ଦୁଇ ଦିନ ରାଜ୍ୟର ରାତି ତାପମାତ୍ରା ସାମାନ୍ୟ କମିଥିଲା । ରବିବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସୋମବାର ବି କାଁ ଭାଁ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ହେଲେ ରାତି ତାପମାତ୍ରା ପୁଣି ବଢ଼ିଲାଣି । ଆଗକୁ ଆହୁରି ବଢ଼ିବ ।ସେହିପରି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ଯେ, ୧୬ ତାରିଖ ଯାଏ ରାତି ତାପମାତ୍ରା ସାମାନ୍ୟ କମିବ । କିନ୍ତୁ ୧୬ ପରେ ତାପମାତ୍ରା ବଢ଼ିଯିବ । ଶୀତ ଅନୁଭବ କମିବ । ସୋମବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରେ ହାଲୁକା ବର୍ଷା ସମ୍ଭାବନା ଅଛି ।

ସୂଚନାଯୋଗ୍ୟ ଯେ, ରବିବାର କେନ୍ଦୁଝରର ରାତି ତାପମାତ୍ରା ସବୁଠୁ କମ୍‌ ୧୨.୪ଡିଗ୍ରୀ ଥିଲା । କୋରାପୁଟର ୧୩.୮, ରାଉରକେଲାରେ ୧୨.୯, ଅନୁଗୁଳରେ ୧୩, ଫୁଲବାଣୀରେ ୧୩.୫, ଦାରିଙ୍ଗିବାଡ଼ିରେ ୧୪.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଦିନ ସମୟରେ ମାଲକାନଗିରିର ତାପମାତ୍ରା ସର୍ବାଧିକ ୩୪.୫ଡିଗ୍ରୀ ଥିଲା । ଅଧିକାଂଶ ସହରର ତାପମାତ୍ରା ୩୦ଡିଗ୍ରୀ ପାଖାପାଖି ଥିଲା ।

Leave A Reply

Your email address will not be published.