ବାରିପଦା ସହରରେ ରାତ୍ରିକାଳୀନ ଗାଡି ମୋଟର ଯାଞ୍ଚ ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ୨୦୨୪କୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମୟୁରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଥିବା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡର ସୀମାନ୍ତବର୍ତ୍ତି ସ୍ଥାନ ମାନଙ୍କରେ ମୟୁରଭଞ୍ଜ ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ବାରିପଦା ସହରରେ କଡାକଡି ଯାଞ୍ଚ ଆରମ୍ଭ କରାଯାଇଛି।

ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ଟାଉନ ଥାନାଧିକାରୀ ସୁମିତ ସୋରେନଙ୍କ ନେତୃତ୍ୱରେ ଉକ୍ତ ରାତ୍ରୀକାଳୀନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସହରକୁ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ଯଥା ପାଲବଣି, ଦାରୋଗାଡାହି, ମୁର୍ଗାବାଡ଼ି, କୃଷ୍ଣଚନ୍ଦ୍ର ଗୋଳେଇ, ସତ୍ୟସାଇ ଛକ ଆଦି ଅନେକ ସ୍ଥାନରେ ନାକା କରି ଯାଞ୍ଚ କରାଯାଇଛି। ମୟୁରଭଞ୍ଜ ପୁଲିସ ସମେତ ସିଆଇଏସଏଫ ଯବାନ ମାନେ ମିଳିତ ଭାବେ ଗାଡି ମଟର ତନତନ କରି ଯାଞ୍ଚ କରିଥିଲେ। ଉକ୍ତ ଯାଞ୍ଚରେ ଅନ୍ତରାଜ୍ୟ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା, ନିର୍ବାଚନ ସମୟରେ ବେଆଇନ ଟଙ୍କା, ମାରଣାସ୍ତ୍ର ଓ ମାଦକ ଦ୍ରବ୍ୟ ଚାଲାଣ ରୋକିବା ନେଇ ଯାଞ୍ଚ ପ୍ରକ୍ରିୟା କରାଯାଉଛି। ଉକ୍ତ ଯାଞ୍ଚ ସମୟରେ ମଦ୍ୟପାନ କରି ଗାଡି ମୋଟର ଚାଳଣା କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ଯାଞ୍ଚ ପ୍ରକ୍ରିୟା ନିର୍ବାଚନ ପର୍ଯ୍ୟନ୍ତ ପ୍ରତିଦିନ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଏଥି ସହିତ ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତି ଯଥା କରଞ୍ଜିଆ, ରାଇରଙ୍ଗପୁର, ରରୁଆଁ, ତିରିଂ, ଶୂଳିଆପଦା, ମୋରଡ଼ା, ଝାରପୋଖରିଆ ଓ ରାସଗୋବିନ୍ଦପୁର ଆଦି ଥାନା ମାନଙ୍କ ଦ୍ଵାରା ଯାଞ୍ଚ କରାଯାଇଛି। ପୁଲିସ ପକ୍ଷରୁ ଏଥିପାଇଁ ପ୍ରମୂଖ ୧୦ଟି ଆନ୍ତରାଜ୍ୟ ପ୍ରବେଶ ପଥରେ ନିର୍ବାଚନ ପାଇଁ ଅଧିକ ୨୨ଗୋଟି ଅସ୍ଥାୟୀ ପୁଲିସ ଆଉଟ ପୋଷ୍ଟ ସମେତ ଚେକ ପୋଷ୍ଟ କାର୍ଯ୍ୟ ଆରମ୍ଭ କରିଛି। ଏଥି ସହିତ ଅନ୍ୟାନ୍ୟ ଆନ୍ତରାଜ୍ୟ ସଂଯୋଗ ରାସ୍ତାରେ ପୁଲିସ ପ୍ରହରା ଜାରି ରହିଛି। ଅସାମାଜିକ କାର୍ଯ୍ୟକଳାପ, ରାଜ୍ୟ ସୀମାପାର ଆଦି ବାବଦରେ ପଡୋଶୀ ପୁଲିସଙ୍କ ସହ ସୂଚନା ଆଦାନ ପ୍ରଦାନ ମଧ୍ୟ ହେଉଛି। ଜିଲ୍ଲାବ୍ୟାପି ନାକା କରି ପୁଲିସ ପକ୍ଷରୁ ଦିନରାତି ଯାଞ୍ଚ ପ୍ରକ୍ରିୟା କରିବା ସହ ନିର୍ବାଚନ ସମୟରେ ଲୋକଙ୍କୁ ପ୍ରଲୋଭିତ କରିବାକୁ ରୋକିବାକୁ କାର୍ଯ୍ୟ କରିବ। ପଡୋଶୀ ସୀମାନ୍ତବର୍ତ୍ତି ପୁଲିସ ସହାୟତାରେ ବୋଡ଼ର୍ର ଚେକ ପୋଷ୍ଟ ଗୁଡିକରେ ନିର୍ବାଚନ ନେଇ କଡାକଡି ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ଏସପି ଏସ ସୁଶ୍ରୀ କହିଛନ୍ତି।

Leave A Reply

Your email address will not be published.