ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ମେ’ ୨୦ରେ ଓଡ଼ିଶାରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏଠାରେ ମେ’ ୨୦ରେ ମତଦାନ ହେବାକୁ ଥିବାବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଏପ୍ରିଲ ୨୬ରୁ ଆରମ୍ଭ ହୋଇ ମେ’ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ମେ’ ୪ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ମେ’ ୬ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ବରଗଡ଼ର ପଦ୍ମପୁରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ଭୋଟ ଗ୍ରହଣ ହେବ। ସେହିପରି ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ ୬ ବିଧାନସଭା କ୍ଷେତ୍ର ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ। ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ବଣାଇରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଅନ୍ୟ ସମସ୍ତ ୬ ବିଧାନସଭା କ୍ଷେତ୍ର ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ତାରିଖ ସୁଦ୍ଧା ୪ଟି ଲୋକସଭା ଆସନରେ ମୋଟ୍ ୩୦ଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ। କଳାହାଣ୍ଡିରେ ୧୦ଜଣ, ନବରଙ୍ଗପୁରରେ ୩ଜଣ, ବ୍ରହ୍ମପୁରରେ ୮ଜଣ, କୋରାପୁଟରେ ୯ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଶେଷ ଦିନରେ ଆଉ କେତେକ ପ୍ରାର୍ଥୀ ନାମାଙ୍କନ କରିଥିବାରୁ ଏହି ସଂଖ୍ୟା ବଢ଼ିପାରେ।

Leave A Reply

Your email address will not be published.