ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା: ଯାଜପୁରରୁ ୨ ଜଣଙ୍କୁ ଅଟକ ରଖିଲା ଏସ୍‌ଟିଏଫ୍‌

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଅଟକ। ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଦୁଇଜଣଙ୍କୁ ଏସଟିଏଫ୍ ଉଠାଇଥିବା ଜଣାଯାଇଛି। ଏଣେ ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ଯିବ ଅଭିଯୁକ୍ତଙ୍କ ମୋବାଇଲ। ଏନଆଇଏ ଓ ଆଇବିକୁ ଏସଟିଏଫ୍ ସମସ୍ତ ତଥ୍ୟ ଦେଇଛି। ଆଇଟି ଏକ୍ସପର୍ଟ ଆବଶ୍ୟକସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ ବୋଲି ସୂଚନା ରହିଛି। ଆଗରୁ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। ତେଣେ ସୋମବାରଠାରୁ ରିମାଣ୍ଡରେ ଆସିବ ପଠାଣି ସାମନ୍ତ ଲେଙ୍କା। ତାର ଦିଲ୍ଲୀ, ରାଜସ୍ତାନ, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନି ଆଇଏସଆଇ ଏଜେଣ୍ଟଙ୍କ ସହ  ସମ୍ପର୍କ ଥିବା ନେଇ ତଦନ୍ତ ବେଳେ ଏସଟିଏଫକୁ  ସାଙ୍ଘାତିକ ତଥ୍ୟ ମିଳିଛି। ଏହାଛଡ଼ା କେଉଁ କେଉଁ ଅଂଚଳରୁ ସିମକାର୍ଡ କିଣା ହୋଇଥିଲା ସେନେଇ ଚାଲିଛି ଖୋଳତାଡ଼ କେବେଠାରୁ ପାକିସ୍ତାନ ଆଇଏସଆଇଏଜେଣ୍ଟ ଲିଙ୍କରେ ଥିଲେ ତାର ତଦନ୍ତ ଚାଲିଛି। ପୂର୍ବରୁ ଅଫିସିଆଲ ଡାଟା ଲିକ ନେଇ ଜଲପାଇଗୁଡି ଥାନାରେ ରହିଛି ମାମଲା।ସେପଟେ ଟେଲିକମ ପ୍ରୋଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି ଏସଟିଏଫ୍। ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ବି  ଚିଠି ଲେଖାଯାଇଛି।

ସୂଚନାଯୋଗ୍ୟ, ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆ‌ଇ ହାତରେ ଓଡ଼ିଶା ସିମକାର୍ଡ ଘଟଣାରେ ଗିରଫ ୩ ଓଡ଼ିଆ ଅଭିଯୁକ୍ତଙ୍କୁ ୫ ଦିନିଆ ଜିମାରେ ଆଣିବା ପାଇଁ ସୋମବାର ଅଦାଲତରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌)। ତିନି ଅଭିଯୁକ୍ତଙ୍କ ନାମରେ ୬୩ଟି ବ୍ୟାଙ୍କ ଜମାଖାତା (ଆକାଉଣ୍ଟ) ରହିଛି। ଏହାର ଖୋଳତାଡ କରିବା ପାଇଁ ଏସଟିଏଫ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ)କୁ ମେଲ ଯୋଗେ ତଥ୍ୟ ମାଗିଛି। ମୁଖ୍ୟ ଅଭିଯୁକ୍ତ ପଠାଣିସାମନ୍ତ ଲେଙ୍କାର ଗୁମର ଖୋଲିବାରେ ଲାଗିଛି। ୨୦୨୨ ଡିସେମ୍ବରରେ ସିଲିଗୁଡିରୁ ଗିରଫ ହୋଇଥିବା ଆଇଏସଆଇ ଏଜେଣ୍ଟ ଗୁଡୁ କୁମାର ସହ ତା’ ସମ୍ପର୍କର ପ୍ରମାଣ ମିଳିଛି ବୋଲି ଏସଟିଏଫ ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ନୟାଗଡ଼ ଜିଲା ଇଟାମାଟି ଅଞ୍ଚଳର ପଠାଣିସାମନ୍ତ ଲେଙ୍କା (୩୫), ନୟାଗଡ ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ (୨୬) ଓ ଯାଜପୁର ଜିଲା ବରୀ ଥାନା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ (୧୯)ଙ୍କୁ ଏସଟିଏଫ ଗତକାଲି ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ପଠାଣିସାମନ୍ତ ପୂର୍ବରୁ ଏକ ଘରୋଇ ଆଇଟିଆଇରେ ଶିକ୍ଷକ ଥିଲା। ଓଟିପି ସେୟାର କରି ପଠାଣିସାମନ୍ତ ଅନଲାଇନରେ ଟଙ୍କା ନେଉଥିଲେ। ଗତ ବର୍ଷ ହନିଟ୍ରାପ ମାମଲାରେ ରାଜସ୍ଥାନରୁ ଗିରଫ ମହିଳା ପାକିସ୍ତାନୀ ଗୁଇନ୍ଦା (ପିଆଇଓ) ଏଜେଣ୍ଟଙ୍କ ମଧ୍ୟସ୍ଥି ସାଜିଥିଲେ। ଠାବ ହୋଇଥିବା ୬୩ ଆକାଉଣ୍ଟରେ ଅଭିଯୁକ୍ତମାନେ ଏହି ଅର୍ଥ କାରବାର କରୁଥିଲେ। ମୋଟା ଅଙ୍କର ଟଙ୍କା ସେମାନେ ପାଉଥିଲେ। ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କ ଠାରୁ ସେମାନେ ଟଙ୍କା ନେଉଥିବା ସ୍ପଷ୍ଟ ହୋଇଛି। ଟଙ୍କା କାରବାରର ମାଷ୍ଟରମାଇଣ୍ଡ ଥିଲା ପଠାଣିସାମନ୍ତ। କେବେଠାରୁ ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କ ଠାରୁ ଟଙ୍କା ଆସୁଥିଲା, ଏବେସୁଦ୍ଧା କେତେ ଟଙ୍କାର କାରବାର ହୋଇଛି, ଏହାର ସବିଶେଷ ତଥ୍ୟ ପାଇବା ପାଇଁ ତଦନ୍ତକାରୀ ସଂସ୍ଥା ଏନପିସିଆଇକୁ ତଥ୍ୟ ମାଗିଛି।

ସାମାଜିକ ଗଣମାଧ୍ୟମ ଜରିଆରେ ଅଭିଯୁକ୍ତମାନେ ଭାରତରେ ଲୁଚିଥିବା ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସମ୍ପର୍କରେ ଆସିଥିଲେ ବୋଲି ଏସଟିଏଫ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପ୍ରାୟ ୨ ବର୍ଷ ହେବ ଅଭିଯୁକ୍ତମାନେ ସେମାନଙ୍କ ସମ୍ପର୍କରେ ଥିଲେ।‌ ‌ଗୁଇନ୍ଦାଗିରିରେ ପାକିସ୍ତାନୀ ଏଜେଣ୍ଟଙ୍କୁ ସହଯୋଗ କରୁଥିଲେ। ଗ୍ରାମାଞ୍ଚଳର ନିରୀହ ଲୋକଙ୍କୁ ଅଳ୍ପ କିଛି ଅର୍ଥ ଦେଇ ସେମାନଙ୍କ ପରିଚୟପତ୍ରରେ ଅଭିଯୁକ୍ତମାନେ ବିଭିନ୍ନ ଅଞ୍ଚଳରୁ ପୁଳାପୁଳା ସିମ୍‌କାର୍ଡ କିଣୁଥିଲେ। ସେହି ନମ୍ବରର ଓଟିପିକୁ ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଓଡ଼ିଆ ଯୁବକଙ୍କ ହାତରେ ସିମକାର୍ଡ ରହୁଥିବା ବେଳେ ସେହି ନମ୍ବରରେ ପାକିସ୍ତାନୀ ଏଜେଣ୍ଟ ହ୍ବାଟ୍ସଆପ୍‌, ଟେଲିଗ୍ରାମ, ଇନଷ୍ଟାଗ୍ରାମ, ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମରେ ‌ଆକାଉଣ୍ଟ ଖୋଲି କାରବାର କରୁଥିଲେ। ଏପରିକି ସେମାନେ ଉକ୍ତ ନମ୍ବରରେ ଅନଲାଇନ ସପିଂ କରୁଥିଲେ। ଅନ୍ୟପଟେ ଓଡ଼ିଶାକୁ ନିଶାଣ କରିବା ପାକିସ୍ତାନୀ ଏଜେଣ୍ଟଙ୍କ ପାଇଁ ସହଜ ହେଉଛି। ସାଇବର ସୁରକ୍ଷାକୁ ନେଇ ଗ୍ରାମାଞ୍ଚଳ ଲୋକ ଏତେ ସଚେତନ ନାହାନ୍ତି। ସେମାନେ ଏହାର ଫାଇଦା ଉଠାଉଛନ୍ତି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.