କଟକ: ଓଟିଡିସି ପାଳିଲା ଓଡ଼ିଆ ନବବର୍ଷ, ବୋଟିଂ କ୍ଲବର ପ୍ରଥମ ବାର୍ଷିକ ଉତ୍ସବ ହେଲା ପାଳନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଗତକାଲି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷକୁ ବେଶ୍ ଆଡ଼ମ୍ବରପୂର୍ଣ୍ଣ ଶୈଳୀରେ ପାଳନ କରିଛି । କଟକସ୍ଥିତ ସିଲିଭରସିଟି ବୋଟିଂ କ୍ଲବ ପରିସରରେ ଆୟୋଜିତ ଏକ ବର୍ଣ୍ଣାଢ଼ ପରିବେଶରେ ଓଡ଼ିଶାର ପାରମ୍ପରିକ ନୃତ୍ୟ ଶିଳ୍ପୀମାନଙ୍କ ଚିତ୍ତାକର୍ଷଣ ନୃତ୍ୟ ପରିବେଷଣ ଓ ଓଡ଼ିଆ ବେଲପଣା ଆଦି ମାଧ୍ୟମରେ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଓଡ଼ିଆ ନୂଆବର୍ଷକୁ ପାଳନ କରାଯାଇଛି । ଏହାସହିତ ସିଲିଭରସିଟି ବୋଟିଂ କ୍ଲବର ପ୍ରଥମ ବାର୍ଷିକ ଉତ୍ସବ ମଧ୍ୟ ପାଳନ ହୋଇଛି ।

ଗତକାଲି ଓଡ଼ିଆ ନବବର୍ଷ ପାଳନ ଉତ୍ସବ ଓ ସିଲିଭରସିଟି ବୋଟିଂ କ୍ଲବର ପ୍ରଥମ ବାର୍ଷିକ ଉତ୍ସବରେ ଯୋଗ ଦେଇ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ସମସ୍ତଙ୍କୁୂ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଓଡ଼ିଆ ନବବର୍ଷ ପାଳନ ଆମକୁ ଆମର ମହାନ ଉତ୍କଳୀୟ ସଂସ୍କୃତି ଓ ଗୌରବମୟ ପରମ୍ପରାକୁ ସ୍ମରଣ କରାଇବାର ସୁଯୋଗ ଦେଇଛି । ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ନବବର୍ଷ ଅବସରରେ ନିଜର ବାର୍ତ୍ତା ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସମସ୍ତଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି ବୋଲି ଶ୍ରୀମତୀ ମିଶ୍ର କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଟିଡିସି ଏବେ ରାଜ୍ୟରେ ଯୁଗପଯୋଗୀ ଉନ୍ନତମାନର ଭିତ୍ତିଭୂମି ସୃଷ୍ଟି ମାଧ୍ୟମରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି ।

ରାଜ୍ୟରେ ଇକୋ ଟୁରିଜିମ, ଜଳକ୍ରୀଡ଼ା ଓ ଜଳ ପର୍ଯ୍ୟଟନ ଆଦି କ୍ଷେତ୍ରକୁ ଅଧିକ ବିକାଶ କରି ପର୍ଯ୍ୟଟକମାନଙ୍କୁ ସବୁପ୍ରକାରର ଆଧୁନିକ ସୁବିଧା ଯୋଗାଇ ଦେବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଓ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁ ଓଟିଡିସି ତା’ର ସଫଳ ଯାତ୍ରା ଜାରି ରଖିଛି ।

କୋଭିଡ୍ ମହାମାରୀ କଟକଣା ଯୋଗୁ ସିଲିଭରସିଟି ବୋଟିଂ କ୍ଲବ୍ ପ୍ରାୟ ୩ମାସ ଧରି ବନ୍ଦ ରହିଥିଲା । ଏହା ସତ୍ୱେ ସିଲିଭରସିଟି ବୋଟିଂ କ୍ଲବକୁ ପ୍ରାୟ ୧ଲକ୍ଷ ୨୦ହଜାର ପର୍ଯ୍ୟଟକ ଆସିଛନ୍ତି ଓ ପ୍ରାୟ ୪୭ଲକ୍ଷ ଟଙ୍କାର ବ୍ୟବସାୟିକ ସଫଳତା ମିଳିଛି । ଏଠାରେ ପର୍ଯ୍ୟଟକଙ୍କ ଅଧିକ ସୁବିଧାସୁଯୋଗ ଯୋଗାଇ ଦେବା ନିମନ୍ତେ ଭିତ୍ତିଭୂମିର ବିକାଶ ପାଇଁ ଚଳିତ ଆର୍ଥିକ ବର୍ଷରେ ଆମେ ଆଉ ପ୍ରାୟ ୧୦କୋଟି ଟଙ୍କା ଏଠାରେ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛୁ । ଏହି ପାଣ୍ଠିରେ ଏଠାରେ ମୁକ୍ତାକାଶ ରଙ୍ଗମଂଚ (ଓପନ ଏୟାର ଥିଏଟର), ଗେଷ୍ଟ ରୁମ୍ , ଛୋଟ ପିଲାଙ୍କ ଖେଳିବା ପାଇଁ ଆନୁସଙ୍ଗିକ ଉପକରଣ, ମେନ୍ ଗେଟ୍ ଓ ଗାର୍ଡ ରୁମ୍ ସହ ୱାଟର ଫାଉଣ୍ଟେନ୍ ଆଦି କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମିଶ୍ର ଘୋଷଣା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ସହରର ନବନିର୍ବାଚିତ ମେୟର ଶ୍ରୀଯୁକ୍ତ ସୁବାସ ସିଂ, କଟକ-ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଶ୍ରୀଯୁକ୍ତ ମାନସ ମଙ୍ଗରାଜ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନା ତ୍ରିପାଠୀ, ମୋ କଲେଜ୍ ଅଧ୍ୟକ୍ଷ ଆକାଶ ଦାସ ନାୟକ, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦେବାଶୀଷ ସାମନ୍ତରାୟ, ସଂସ୍କତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାପାତ୍ର, ଶ୍ରୀମତୀ ରୀନା ମହାପାତ୍ର, କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚଇନି, କଟକ ଡିସିପି ଶ୍ରୀଯୁକ୍ତ ପ୍ରତୀକ ସିଂ, ସିଏମସି କମିଶନର ଶ୍ରୀମତୀ ଅନନ୍ୟା ଦାସଙ୍କ ସମେତ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ପୂଜା ମିଶ୍ର ଓ ଶ୍ରୀମତୀ ଏଲୋରା ଭାରତୀ ଜେନା, କଟକ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.