ବଡବିଲ ପାଲହାଟିଂ ନିକଟରେ ଓଲଟିଲା ହାଇୱା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗତ ରାତିରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡବିଲ-ନାଲଦା ରାସ୍ତାର ପାଲହାଟିଂ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ହାଇୱା। ସୂଚନାନୁସାରେ ହାଇୱାଟି ମାଲ ବୋଝେଇ କରି ନାଲଦା ଅଭିମୁଖେ ଯାଉଥିବା ବେଳେ ପାଲହାଟିଂ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା ।

ଏହି ଦୁର୍ଘଟଣାରେ ରାସ୍ତା କଡରେ ଥିବା ଦୁଇଟି ଘର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘର ଲୋକଙ୍କ ସହ ହାଇୱା ଚାଳକ ସୁରକ୍ଷିତ ରହିଥିବା ଜଣା ପଡିଛି। ଦୁର୍ଘଟଣା ଘଟିବା ଟିକିଏ ପୂର୍ବରୁ ନିଜ ଘର ବାହାରେ ଶୋଇଥିବା ଜଣେ ବ୍ୟକ୍ତି ମୋବାଇଲ ନେବାକୁ ଘର ଭିତରକୁ ପଶିଥିବାରୁ ତାଙ୍କ ଖଟ କଡ ଦେଇ ହାଇୱା ଓଲଟି ପଡିବାରୁ ସେ ନିଶ୍ଚୟ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ଘଟାଇ ହାଇୱା ଚାଳକ ଘଟଣାସ୍ଥଳ ଛାଡି ଚାଲି ଯାଇଥିବା ବେଳେ ଖବର ନେବା ପର୍ଯ୍ୟନ୍ତ ଦୁର୍ଘଟଣା ଗ୍ରସ୍ତ ହାଇୱା ସେଠାରେ ହିଁ ପଡି ରହିଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ ବଡବିଲ-ନାଲଦା ରାସ୍ତା ଦୀର୍ଘ ଦିନରୁ ନିର୍ମାଣାଧିନ ରହିଥିବା ବେଳେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅତ୍ୟାବଧି ତାହା ସଂପୂର୍ଣ୍ଣ ହୋଇ ପାରିନାହିଁ। ଫଳରେ ରାସ୍ତାଜାମ, ଦୁର୍ଘଟଣା ଘଟି ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଏଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ରାସ୍ତା ସମ୍ପୂର୍ଣ୍ଣ କରାଇବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.