ରାଜ୍ୟରେ ବଢ଼ିଚାଲିଛି ହାଜତ ମୃତ୍ୟୁ ମାମଲା କିନ୍ତୁ ମୁଖ୍ୟମନ୍ତ୍ରୀ ସାଜିଛନ୍ତି ନୀରବଦ୍ରଷ୍ଟା :ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି କଲେ ଟାର୍ଗେଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ପୋଲିସ୍ ବର୍ବରତା ଓ ଅତ୍ୟାଚାର ସୀମା ଟପିଯାଇଛି । ନିଜ ବିଭାଗକୁ ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଅକ୍ଷମ । ଲୋକମାନଙ୍କୁ ସୁରକ୍ଷା ଦେବା ବଦଳରେ ପୋଲିସ୍ ରକ୍ତମୁଖା ପାଲଟିଯାଇଛି । ସାରା ରାଜ୍ୟରେ ବିଭିନ୍ନ ଥାନାରେ ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ବଢ଼ି ଚାଲୁଥିବା ବେଳେ ଗୃହ ବିଭାଗର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବଦ୍ରଷ୍ଟା ସାଜିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୭ରୁ ୨୦ ୨୦ ମସିହା ମଧ୍ୟରେ ୧୦ ଟି ହାଜତ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ଏବଂ ଏହାର ତଦନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଛି । ମୃତକମାନଙ୍କ ପରିବାରକୁ ନ୍ୟାୟ ମିଳି ପାରିନାହିଁ । ସେଥି ମଧ୍ୟରୁ ୨ଟି ହାଜତ ମୃତ୍ୟୁ ପୋଲିସ୍ ରିମାଣ୍ଡରେ ଘଟିଥିବା ବେଳେ ୬ଟି ବିଚାରପତିଙ୍କ ସମ୍ମୁଖରେ ହାଜର ହେବା ପୂର୍ବରୁ ଘଟିଛି । ୨୦୧୯ରେ ସାରା ଦେଶରେ ହାଜତ ମୃତ୍ୟୁ ମାମଲା କ୍ଷେତ୍ରରେ ଓଡ଼ିଶା ୬ ନମ୍ବର ସ୍ଥାନରେ ରହିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ରାଜ୍ୟ ସରକାରଙ୍କ ଗୃହ ବିଭାଗ ସାଧାରଣ ଜନତାଙ୍କୁ ଅତ୍ୟାଚାର
କରିବାରେ ଲାଗିଛି ।
ଆଜିର ପ୍ରସଙ୍ଗ ହେଉଛି ଜଗତ୍ସିଂହପୁର ଜିଲ୍ଲାର ଅଭୟଚାନ୍ଦପୁର ଥାନାର ହାଜତ ମୃତ୍ୟୁ ଘଟଣା । ଏହି ଘଟଣାର ମୃତକ ମନୋରଞ୍ଜନ ଯେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲା ବୋଲି ପୋଲିସ୍ ବୟାନ ଦେଉଛି, ଏହା ସମ୍ପୂର୍ଣ୍ଣ ବିଶ୍ୱାସଯୋଗ୍ୟ ନୁହେଁ । ଏହା ହାଜତମୃତ୍ୟୁ ଘଟଣାକୁ ଚାପିଦେବା ପାଇଁ ପୋଲିସ୍ ଦ୍ବାରା ରଚିତ ଏକ ମନଗଢ଼ାକାହାଣୀ ।
ଏଠାରେ ପ୍ରଶ୍ନ ଉଠେ ଯେ ଦୌଡ଼ୁଥିବା ଅବସ୍ଥାରେ ସାମ୍ନାପଟୁ ଏକ ପୋଲରେ ମାଡ଼ ହୋଇ ମନୋରଞ୍ଜନ ଭୟଙ୍କର ଭାବେ ଆଘାତପ୍ରାପ୍ତ ହୋଇଥିଲା, କିନ୍ତୁ ମନୋରଞ୍ଜନ ଦେହରେ କୌଣସି ଗଭୀର ଆଘାତ ଓ ହାଡ଼ଗୋଡ଼ ଭାଙ୍ଗିବା ପରି କୌଣସି କ୍ଷତଚିହ୍ନ ଦେଖାଯାଇନଥିଲା । ମନୋରଞ୍ଜନକୁ ସିଧା କଟକ ବଡ଼ ମେଡ଼ିକାଲ ନ ନିଆଯାଇ ସ୍ଥାନୀୟ ମେଡ଼ିକାଲକୁ ନେବାର ରହସ୍ୟର ପର୍ଦାଫାଶ୍ମ ହେବା ଦରକାର ।