ବିଦ୍ୟାଳୟ ଛାତରୁ ପ୍ଳାଷ୍ଟର ଖସି ଛାତ୍ର ଗୁରୁତର ଆହତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଧ୍ୟାହ୍ନ ଭୋଜନ ଖାଉଥିବା ସମୟରେ ବିଦ୍ୟାଳୟ ଛାତରୁ ପ୍ଳାଷ୍ଟର ଖସି ପଡିବାରୁ ଛାତ୍ର ଗୁରୁତର ଆହତ ହୋଇଛନ୍ତି | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ସାନମୁଣ୍ଢାବଣି ପଞ୍ଚାୟତର ସରାଶୋଳ ଗ୍ରାମ ଗାଲୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ | ସୂଚନା ମୁତାବକ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ଥିବା ବେଳେ ମୋଟ ୨୬ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି |

ତେବେ ସକାଳ ସ୍କୁଲ ହୋଇଥିବାରୁ ଆଜି ନଅଟା ସମୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ଖାଉଥିବା ସମୟରେ ହଠାତ ବିଦ୍ୟାଳୟ ଛାତରୁ ପ୍ଳାଷ୍ଟର ଖସି ପଡିଥିଲା | ଫଳରେ ଛାତ୍ରଛାତ୍ରୀ ମାନେ ଦୌଡ଼ି ପଳାଇଥିଲେ ମଧ୍ୟ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଗୋବିନ୍ଦ ହେମ୍ବ୍ରମଙ୍କ ମୁଣ୍ଡ ଉପରେ ପ୍ଲାଷ୍ଟର ଖସି ପଡିବାରୁ ଗୁରୁତର ଆହତ ହୋଇଥିଲେ | ଗୁରୁତର ଛାତ୍ରଙ୍କୁ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଙ୍ଗା ମୁର୍ମୁ ମୋରଡା ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଥିଲେ | ଛାତ୍ର ଜଣଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ ପଡିଥିବାର ଜଣାପଡିଛି  ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ନୂତନ ଏକ ବିଲଡିଂ ନିର୍ମାଣ ନହେବା ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟକୁ ଯିବାକୁ ଦିଆଯିବ ନାହିଁ ଏବଂ ଉକ୍ତ ଘଟଣା ପାଇଁ ପଂଚାୟତ ପ୍ରଶାସନ, ଶିକ୍ଷା ବିଭାଗ ଦାୟୀ ବୋଲି କହିଛନ୍ତି ୱାର୍ଡ ସଦସ୍ୟ ବିଶ୍ୱନାଥ ମୁର୍ମୁ, ଅଭିଭାବକ ସୀତା ହେମ୍ବ୍ରମ, କିସୁନ ହାଁସଦା, କଟି ହେମ୍ବ୍ରମ ଏବଂ ନାରାୟଣ ହେମ୍ବ୍ରମ |

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଗୁଡ଼ିକର ଭିତ୍ତିଭୂମିରେ ବିକାଶ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଏଠାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅନ୍ୟପଟେ ସ୍କୁଲ ବିଲଡିଂ ଅସୁରକ୍ଷିତ ବୋଲି ଜଣାଇଥିଲେ ମଧ୍ୟ ଗୁରୁତ୍ୱ ଦିଆନଯାଇ ପିଲାଙ୍କ ଜୀବନ ବିପଦ ମୁହଁକୁ ଠେଲିଦେଇ ନିରବଦ୍ରଷ୍ଟା ସାଜିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଆଲୋଚନା ହେଉଛି।ଆଜିର ଏହି ଅଭାବନୀୟ ଘଟଣାକୁନେଇ ଅଭିଭାକ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.