ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅବସର ରେ ବାରିପଦା ପୌର ପରିଷଦ ପକ୍ଷରୁ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ମୟୂରଭଞ୍ଜ ସାହିତ୍ୟ ପରିଷଦ ସଭାପତି ଡ. ପଦ୍ମନାଭ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ |
ଏହି କବି ସମ୍ମିଳନୀ କକ୍ଷରେ ପୌର ପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ଯୋଗ ଦେଇଥିଲେ। ନିଜ ମାତୃଭାଷା ଓ ମାତୃଭୁମି ପ୍ରତି ଭକ୍ତି ଓ ଅନୁରାଗ ରଖିବା ସହ ନିଜକୁ ଓଡିଆ ବୋଲି ଗର୍ବ ଅନୁଭବ କରିବା ଉଚିତ। ଅନ୍ୟପଟେ ସାରା ବିଶ୍ବର ଓଡିଆ ମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ସହ ଓଡିଆ ଭାଷାକୁ ବିଶ୍ବ ଦରବାରରେ ସ୍ବତନ୍ତ୍ର ସ୍ଥାନ ଦେବାର ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ ଅତିଥି ମାନେ।
ଏ ଅବସରରେ ଜିଲ୍ଲାର କିଛି ସାରସ୍ବତ ସାଧକ ମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା। ପରେ ପରେ ଉପସ୍ଥିତ କବି ଏବଂ କବୟିତ୍ରୀ ମାନେ ନିଜର ସାରଗର୍ଭକ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡ. ମଧୁସ୍ମିତା ସାମନ୍ତରାୟ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଅଧ୍ୟାପକ ଭାଗବତ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସାହିତ୍ୟିକ ଇଂ. ମନୋଜ ଦଳବେହେରା କବିତା ସଂଯୋଜନା କରିଥିଲେ।