ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମଧ୍ୟପ୍ରଦେଶରେ ଆଜି ପଡିବ ଭୋଟ୍ । ଏଥିସହ ଆଜି ଛତିଶଗଡରେ ମଧ୍ୟ ୨ୟ ପର୍ୟ୍ୟାୟ ମତଦାନ ହେଉଛି । ମଧ୍ୟପ୍ରଦେଶରେ ମୋଟ ୨୩୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ଭୋଟ ପଡିବ । ମୋଟ ୨ ହଜାର ୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ମଧ୍ୟପ୍ରଦେଶରେ ୬୪ହଜାର ୬୨୬ ମତଦାନ କେନ୍ଦ୍ରରେ ୫କୋଟି ୬୦ହଜାର ମତଦାତା ମତ ସାବ୍ୟସ୍ତ କରିବେ । ବିଜେପି ଓ କଂଗ୍ରେସ ମଧ୍ୟରେ ସମସ୍ତ ଆସନରେ ଜୋରଦାର ଟକ୍କର ହେବ ବୋଲି ଆକଳନ କରାଯାଉଛି ।
ବିଏସପି ୧୮୧ ଆସନ, ସମାଜବାଦୀ ପାର୍ଟି ୭୧ ଆସନ ଓ ଆମଆଦମୀ ପାର୍ଟି ୬୬ ଆସନରେ ଲଢ଼ିବେ । ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ୟ୍ୟନ୍ତ ପଡିବ ଭୋଟ । ବିଭିନ୍ନ ପୋଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏପଟେ ୯୦ ବିଧାନ ସଭା ଆସନ ବିଶିଷ୍ଟ ଶତିଗଡରେ ଆଜି ଦ୍ୱିତୀୟ ପର୍ୟ୍ୟାୟରେ ୭୦ଟି ଆସନ ପାଇଁ ପଡିବ ଭୋଟ । ପ୍ରଥମ ପର୍ଯ୍ୟାୟରେ ଅବଶିଷ୍ଟ ୨୦ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇସାରିଛି । ଗତ ୨୦୧୮ ନିର୍ବାଚନରେ କଂଗ୍ରେସ ସର୍ବାଧିକ ୬୮ ଆସନ ପାଇଁ କଂଗ୍ରେସ ସରକାର କରିଥିଲା । ଆଜି ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ସଂଘର୍ଷ ହେଉଛି । ୨୦୧୮ ନିର୍ବାଚନରେ ବିଜେପିର ୧୫ବର୍ଷ ଶାସନକୁ ଧୁଳି ଚଟେଇ ଛତିଶଗଡ ଶାସନ ଗାଦି ହାତେଇଥିଲା କଂଗ୍ରେସ ।
ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳଗୁଡ଼ିକ ନିଜର ମଜବୁତ ରଣନୀତି କରିଥିଲେ । କେମିତି ବିରୋଧୀଙ୍କୁ ଚକମା ଦେଇହେବ, ସେଥିପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଚାର ଓ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା ମଧ୍ୟ କରିଥଲେ । ଏସବୁ ଭିତରେ ସମସ୍ତିଙ୍କ ମନରେ ଗୋଟିଏ ପ୍ରଶ୍ନ? ପୁଣି କିଏ ଗାଦିକୁ ଆସିବ? କିଏ ମଧ୍ୟପ୍ରଦେଶ ସରକାର ଗଢ଼ିବ ଓ କିଏ ଛତିଶଗଡରେ କ୍ଷମତା ହାସଲ କରିବ ।ଡିସେମ୍ବର ୩ ତାରିଖରେ ଭୋଟ ଗଣନା ପରେ ଏହା ସ୍ପଷ୍ଟ ହେବ ।