ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ।ଦେଶର ୯୪ ସିଟ୍‌ ପାଇଁ ମତଦାନ ହେଉଥିବା ବେଳେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଆଜି ସକାଳୁ ଭୋଟ୍ ଦେଇଛନ୍ତି ମୋଦି। ସୂଚନା ଅନୁସାରେ, ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି।

ସକାଳ ୭ଟାରୁ ଭୋଟର ମତଦାନ କରିଛନ୍ତି। ଏହି ପର୍ଯ୍ୟାୟରେ ଗୁଜରାଟର ୨୬ ଆସନ, କର୍ନାଟକର ୧୪, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୯, ଛତିଶଗଡ଼ର ୭, ବିହାରର ୫, ଆସାମ ଓ ପଶ୍ଚିମବଙ୍ଗର ୪ଟି ଲେଖାଏ, ଗୋଆ ଏବଂ ଦାଦ୍ରା ନଗର ହାଭେଲି ଓ ଡାମନର ୨ଟି ଲେଖାଏ ଆସନରେ ଭୋଟ ଚାଲିଛି। ୧୭ କୋଟିରୁ ଊର୍ଦ୍ଧ୍ୱ ମତଦାତା ୧ ଲକ୍ଷ ୮୫ ହଜାର ଭୋଟକେନ୍ଦ୍ରରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ଭାଜପା ନେତା ଅମିତ୍‌ ଶାହା, ମନସୁଖ ମାଣ୍ଡବ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହଲ୍ଲାଦ ଜୋଷୀ, ଶିବରାଜ ସିଂ ଚୌହାନ, ବାସବରାଜ ବୋମାଇ, କଂଗ୍ରେସ ନେତା ଦିଗବିଜୟ ସିଂ, ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ଏବଂ ଏନ୍‌ସିପି(ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ।

ଏହି ଅବସରରେ ମୋଦି ଦେଶର ଜନସାଧାରଣଙ୍କୁ ଅପିଲ କରି କହିଛନ୍ତି, ମତଦାନ ଏକ ସାମାନ୍ୟ ଦାନ ନୁହେଁ। ଏହା ଦେଶକୁ ଆଗକୁ ନେଇଯିବା ପାଇଁ ଅତ୍ୟନ୍ତ ଜରୁରୀ। ଗଣତନ୍ତ୍ରର ଏହି ପର୍ବରେ ସମସ୍ତଙ୍କ ଭାଗିଦାରୀ ଜରୁରୀ। ତେଣୁ ନିଜ କର୍ତ୍ତ୍ୟବରୁ ପଛକୁ ନ ହଟିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହ ମୋଦି କହିଥିଲେ, ମତଦାନ ଦ୍ୱାରା ଆମ ଦେଶର ଆଗାମୀ ଭବିଷ୍ୟତ ନିର୍ଦ୍ଧାରିତ ହେବ । ତେଣୁ ରେକର୍ଡ ସଂଖ୍ୟାରେ ମତଦାନ କରିବା ନିହାତି ଆବଶ୍ୟକ । ସକ୍ରିୟ ମତଦାନ ଦ୍ୱାରା ଉତ୍ସାହ ଅଧିକ ବଢ଼ିବ ବୋଲି କହି ଭୋଟରଙ୍କୁ ଉତ୍ସାହିତ କରିଛନ୍ତି ମୋଦି।

Leave A Reply

Your email address will not be published.