ଆଜି ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ଗୁଜୁରାଟ ଗସ୍ତ | ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ | ଗୁଜରାଟ ଗ୍ଲୋବାଲ୍ ଟ୍ରେଡ୍ ସୋ’କୁ ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ 2024 କୁ ମଧ୍ୟ ଉଦଘାଟନ କରିବେ । ବିଶ୍ୱନେତାମାନଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ପହଞ୍ଚିବେ, ଯେଉଁଠାରେ ସେ ବିଶ୍ୱନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଅପରାହ୍ନ ପ୍ରାୟ 3 ଟାରେ ସେ ଗୁଜରାଟ ଗ୍ଲୋବାଲ୍ ଟ୍ରେଡ୍ ସୋ’କୁ ଉଦଘାଟନ କରିବେ।

ଜାନୁଆରୀ 10 ତାରିଖ ସକାଳ ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ସମ୍ମିଳନୀ 2024 କୁ ଉଦଘାଟନ କରିବେ । ଏହାପରେ ସେ ଗ୍ଲୋବାଲ କର୍ପୋରେସନର ସିଇଓମାନଙ୍କ ସହ ବୈଠକ କରିବେ। ପରେ ଗିଫ୍ଟ ସିଟି ଗସ୍ତ କରି ଗ୍ଲୋବାଲ ଫିନଟେକ୍ ଲିଡରସିପ୍ ଫୋରମର ପ୍ରମୁଖ ବ୍ୟବସାୟୀ ଙ୍କ ସହ ଆଲୋଚନା କରିବେ ମୋଦି। ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2003 ମସିହାରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ ଆରମ୍ଭ ହୋଇଥିଲା । ଏହି ସମ୍ମିଳନୀର ଦଶମ ସଂସ୍କରଣ 10 ରୁ 21 ଜାନୁଆରୀ ପର୍ଯ୍ୟନ୍ତ ଗୁଜରାଟର ଗାନ୍ଧୀନଗରରେ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ଥର ଏହାର ଥିମ ରହିଛି ‘‘Gateway to the Future’। ଏହି ସମ୍ମିଳନୀର ଦଶମ ସଂସ୍କରଣରେ ଭାଇବ୍ରାଣ୍ଟ ଗୁଜରାଟର 20 ବର୍ଷ ପୂର୍ତ୍ତିକୁ ସଫଳତାର ଶିଖର ସମ୍ମିଳନୀ ଭାବରେ ପାଳନ କରାଯିବ ।ଚଳିତ ବର୍ଷ ଏହି ସମ୍ମିଳନୀରେ 34 ଦେଶ ଏବଂ 16 ଭାଗିଦାରୀ ସଂସ୍ଥା ଭାଗ ନେଉଛନ୍ତି।

ଏହାବ୍ୟତୀତ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ଉତ୍ତର-ପୂର୍ବାଞ୍ଚଳରେ ପୁଞ୍ଜିନିବେଶର ସୁଯୋଗକୁ ପ୍ରଦର୍ଶିତ କରିବା ପାଇଁ ଭାଇବ୍ରାଣ୍ଟ ଗୁଜରାଟ ପ୍ଲାଟଫର୍ମକୁ ବ୍ୟବହାର କରିବ । ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ଟ୍ରେଡ୍ ସୋ’ରେ କମ୍ପାନୀ ଗୁଡ଼ିକ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଜ୍ଞାନକୌଶଳରୁ ନିର୍ମିତ ସାମଗ୍ରୀ ଗୁଡିକର ପ୍ରଦର୍ଶନ କରିବେ। ଟ୍ରେଡ୍ ସୋ’ର ଫୋକସ୍ ସେକ୍ଟର ହେଉଛି ଇ-ମୋବିଲିଟି, ଷ୍ଟାର୍ଟଅପ୍, ଏମଏସଏମଇ, ବ୍ଲୁ ଇକୋନୋମୀ, ଗ୍ରୀନ ଏନର୍ଜି ଏବଂ ସ୍ମାର୍ଟ ଇନଫ୍ରାଷ୍ଟ୍ରକଚର।

Leave A Reply

Your email address will not be published.