ମୋଦୀଙ୍କ ମଙ୍ଗଳସୂତ୍ର ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କଲେ ପ୍ରିୟଙ୍କା ଗାନ୍ଧୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ‘ମଙ୍ଗଳସୂତ୍ର’ ମନ୍ତବ୍ୟ ପାଇଁ ତାତ୍ସଲ୍ୟ କରିଛନ୍ତି। ତାଙ୍କ ପରିବାରର ମହିଳାମାନେ ଦେଶ ପାଇଁ କିପରି ବଳିଦାନ ଦେଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଛନ୍ତି। ବେଙ୍ଗାଲୁରୁରେ ଏକ ରାଲିକୁ ସମ୍ବୋଧିତ କରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, “ଗତ ଦୁଇ ଦିନ ହେଲା କୁହାଯାଉଛି ଯେ କଂଗ୍ରେସ ତୁମର ‘ମଙ୍ଗଳସୂତ୍ର’ ଏବଂ ସୁନା ଛଡ଼େଇ ନେବାକୁ ଚାହୁଁଛି।

ଦେଶ ୭୦ ବର୍ଷ ହେଲା ସ୍ବାଧୀନ ହେଲାଣି ଏବଂ ସେଠାରେ କଂଗ୍ରେସ ସରକାର ରହିଆସିଛି ୫୫ ବର୍ଷ ହେବ। କେହି ଆପଣଙ୍କ ସୁନା, ‘ମଙ୍ଗଳସୂତ୍ର’ ଛଡ଼ାଇ ନେଇଛନ୍ତି କି? ପ୍ରିୟଙ୍କା କହିଛନ୍ତି, ମୋଦି ମଙ୍ଗଳସୂତ୍ରର ମହତ୍ତ୍ୱ ବୁଝି ପାରିଥିଲେ ଏପରି ଭାଷଣ ଦେଇ ନ ଥାନ୍ତେ। ନୋଟବନ୍ଦୀ ସମୟରେ ସ୍ଥିତି ଏପରି ହେଲା ଯେ ମହିଳାଙ୍କ ସଞ୍ଚିତ ଅର୍ଥ ସରିଗଲା। ଚାଷୀ ଆନ୍ଦୋଳନ ବେଳେ ୬ଶହ ଚାଷୀ ଆଖି ବୁଜିଲେ। ମୋଦି କେବେ ସେମାନଙ୍କ ବିଧବା ପତ୍ନୀଙ୍କ ମଙ୍ଗଳସୂତ୍ର କଥା ଭାବି ପାରିଲେ କି ? ମଣିପୁରରେ ମହିଳାଙ୍କୁ ରାସ୍ତାରେ ନଗ୍ନ କରି ଚଲାଗଲା। ମୋଦି ସେମାନଙ୍କ ମଙ୍ଗଳସୂତ୍ର କଥା ଚିନ୍ତା କଲେକି? ଆଜି ଭୋଟ ପାଇବା ପାଇଁ ମୋଦି ଏପରି କଥା କହି ମହିଳାଙ୍କୁ ଭୟଭୀତ କରୁଛନ୍ତି। ପୂର୍ବ ପ୍ରଧାନମନ୍ତ୍ରୀମାନେ ଦେଶ ପାଇଁ ସମର୍ପଣ ଭାବନା ସହ କାମ କରିଥିଲେ। କିନ୍ତୁ ମୋଦିଙ୍କୁ ଆଜି କେହି ବି ବିରୋଧ କରିବାକୁ ସାହସ କରି ପାରୁ ନାହାନ୍ତି।

ତାଙ୍କ ବିରୋଧରେ କେହି ସ୍ୱର ଉଠାଇ ପାରିବେ ନାହିଁ। କାରଣ ତାଙ୍କୁ ବିରୋଧ କରୁଥିବା ଲୋକଙ୍କ ବିରୋଧରେ ସେ ସମସ୍ତ ସରକାରୀ କଳକୁ ଲଗାଇ ଦେଉଛନ୍ତି। ପ୍ରିୟଙ୍କା କହିଛନ୍ତି, ଯେଉଁ କମ୍ପାନୀ ଉପରେ ରେଡ କରାଗଲା ସେମାନେ ବିଜେପିକୁ ଚାନ୍ଦା ଦେଲେ। ଫଳରେ ଉକ୍ତ କମ୍ପାନୀ ବିରୋଧରେ ମାମଲାକୁ ବନ୍ଦ କରି ଦିଆଗଲା। ତେଣୁ ନୋଟବନ୍ଦୀ ଦ୍ୱାରା କଳା ଟଙ୍କାକୁ ଧଳା କରାଯାଇ ବିଜେପି ଖାତାକୁ ଉଠାଗଲା। ଯେଉଁ କମ୍ପାନୀମାନେ ଶହେ କୋଟି ରୋଜଗାର କରିବାକୁ ଅସମର୍ଥ ଥିଲେ ସେମାନେ ବିଜେପିକୁ ହଜାରେ କୋଟି ଦାନ କରୁଛନ୍ତି। ବିପକ୍ଷଙ୍କୁ ଭ୍ରଷ୍ଟାଚାରୀ କହୁଥିବା ବିଜେପି ନିଜେ କ’ଣ ତାହା ଦେଶବାସୀ ଜାଣି ସାରିଲେଣି।

Leave A Reply

Your email address will not be published.