ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନା‌ମରେ ଜନସ୍ବାର୍ଥ ମାମଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓବାଲ ଗିରଫ ହେବା ପରେ ଜୀତୀୟ ରାଜଧାନୀରେ ରାଜନୈତିକ ସଙ୍କଟ ଦେଖାଦେଇଛି । ଗିରଫ ପରେ ବି କେଜ୍ରିଓ୍ବାଲ ତାଙ୍କ କର୍ତ୍ତବ୍ୟ କରିବେ, ଯଦି ବି ସେ ଜେଲରେ ରୁହନ୍ତି ତେବେ ସରକାର ଚଲାଇବେ ବୋଲି ଆପ୍ କହିଛି । ହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କହି ଦେଇଛନ୍ତି କେଜ୍ରିୱାଲ୍‌।

ଆବଶ୍ୟକ ପଡ଼ିଲେ ଜେଲ୍‌ରେ ରହି ସରକାର ଚଳାଇବେ ବୋଲି ସେ ମତ ପ୍ରକାଶ କରିଛନ୍ତି। ସମ୍ବିଧାନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କେଜ୍ରିୱାଲଙ୍କୁ ଜେଲରୁ ସରକାର ଚଳାଇବା ଅସମ୍ଭବ । ଦେଶରେ ଏହା କେବେ ହେଲେ ହୋଇନାହିଁ । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଆଇନଜୀବୀ ଶଶୀ ରଞ୍ଜନ କୁମାର ସିଂହଙ୍କ ଜରିଆରେ ସୁରଜିତ ସିଂହ ଯାଦବ ଦାଖଲ କରିଥିବା ଆବେଦନରେ ଦର୍ଶାଯାଇଛି ଯେ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ସରକାରଙ୍କ ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରଖିବା ସାଧାରଣ ଜନତାଙ୍କ ଦୃଷ୍ଟିରେ ଦିଲ୍ଲୀ ସରକାରଙ୍କ ବିଶ୍ୱସନୀୟତା ଏବଂ ଭାବମୂର୍ତ୍ତିକୁ ଖରାପ କରିଛି ।

କେଜ୍ରିୱାଲଙ୍କୁ ଦିଲ୍ଲୀ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବେ ବଜାୟ ରଖିବା କେବଳ ଆଇନର ଉପଯୁକ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ନାହିଁ କିମ୍ବା ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ନାହିଁ ବରଂ ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥାକୁ ମଧ୍ୟ ଭାଙ୍ଗିଦେବ । କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀ ମନ୍ତ୍ରୀ ଆତିଶୀ ବିଭିନ୍ନ ଚ୍ୟାନେଲକୁ ସାକ୍ଷାତକାର ଦେଇ କେଜ୍ରିୱାଲ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଥିବା ଆବେଦନରେ ଦର୍ଶାଯାଇଛି ।

Leave A Reply

Your email address will not be published.