ମତଦାନ ପ୍ରକ୍ରିୟାକୁ ସୁଦୃଢ ଏବଂ ଜ୍ଞାନ ବର୍ଦ୍ଧକ କରାଇବା ପାଇଁ ବାରିପଦା ଠାରେ ପ୍ରଶାସନ ତରଫରୁ କୁଇଜ ପ୍ରତିଯୋଗିତା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଭାରତୀୟ ନିର୍ବାଚନ କମିଶନଙ୍କ ବ୍ୟବସ୍ଥିତ ଭୋଟରଙ୍କ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ କାର୍ଯ୍ୟକ୍ରମର ପ୍ରତିଫଳନ ଖୁବ ଉଲ୍ଲେଖନୀୟ ଢଙ୍ଗରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଅନୁଷ୍ଠିତ ହେଉଛି।

ଯୁବ ଭୋଟର ମାନଙ୍କ ମଧ୍ୟରେ ନିର୍ବାଚନ ବାବଦରେ ସଚେତନତା ଏବଂ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନକୁ ନେଇ ତତକ୍ଷଣାତ୍ ସାଧାରଣଜ୍ଞାନ ପରୀକ୍ଷା ବା ଇନ୍ସଟାଣ୍ଟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଛୁଟିଦିନିଆ ସନ୍ଧ୍ୟା ସମୟରେ, ପାର୍କ ଠାରେ କିମ୍ବା ନିତ୍ୟ ମନୋରଞ୍ଜନ ସ୍ଥାନ ମାନଙ୍କରେ ଏହି କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି। ଜିଲ୍ଲା ପ୍ରଶାସନ ଏବଂ ବାରିପଦା ପୌରପାଳିକା ଦ୍ୱାରା ଆୟୋଜିତ ଏହି ପ୍ରଜ୍ଞାନଧର୍ମୀ କାର୍ଯ୍ୟକ୍ରମରେ ସାନ ପିଲାଙ୍କ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ମତଦାନ ଏକ ନାଗରିକର ମୌଳିକ ଅଧିକାର ଭାବରେ ଏହି ବିଷୟକୁ ଜନାଦୃତ କରିବାପାଇଁ ଏହି ପ୍ରୟାସ, ବାରିପଦା ସ୍ଥିତ ଶିଶୁ ପାର୍କ ଠାରେ ଅନୁଷ୍ଠିତ ହେଉଅଛି।

ଏହି ଇନ୍ସଟାଣ୍ଟ କୁଇଜ ପ୍ରତିଯୋଗିତାରେ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ସଂଯୋଜନା ଏବଂ ପରିଚାଳନା କରିଥିବା ବେଳେ ପୌରପାଳିକାର ସମସ୍ତ କର୍ମକର୍ତା ଏହି କୁଇଜ ପ୍ରତିଯୋଗିତାକୁ ଖୁବ ଆନନ୍ଦ ସହକାରେ ଉପସ୍ଥାପନା କରିଥିଲେ। ଅଧିକ ରୁ ଅଧିକ ଯୁବ ଭୋଟର ତଥା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁ ଥିବା ବେଳେ, ସମସ୍ତ ଅଂଶଗ୍ରହଣକାରି ମାନଙ୍କ ପାଇଁ ପୁରସ୍କାର, ବିଶେଷକରି ବିଜେତା ମାନଙ୍କୁ ସେହି ମୁହୂର୍ତ ରେ ପୁରସ୍କୃତ କରାଯାଏ। ଗଣତନ୍ତ୍ରର ଏହି ମହାନ ପର୍ବକୁ ସମସ୍ତେ ନିଜ ଅଧିକାର ସହ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ମଧ୍ୟ ନିବେଦନ କରିଥିବା ସୂଚନା ପ୍ରାପ୍ତ।

Leave A Reply

Your email address will not be published.