ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଓଡିଶାବାସୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସକାଳୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସିଝିଲାଣି ସାରା ରାଜ୍ୟ । ଗତକାଲି ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ଆଜି ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ତାତି ସହ କିଛି ଜାଗାରେ ଆଦ୍ରତା ମଧ୍ୟ ବୃଦ୍ଧି ପାଇଛି । ଏହି ଦୁଇ କାରଣରୁ ଖରା ଓ ତାତିରେ ସାରା ଓଡିଶା ସନ୍ତୁଳି ହେଉଥିବା ବେଳେ ଆଗାମୀ ୫ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ଲାଗି ରହିବ ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସକାଳ ୮ଟା ୩୦ ସୁଦ୍ଧା ତାଳଚେର ୩୪.୪ ଡିଗ୍ରୀ, ବାଲେଶ୍ୱର ୩୪, ବାରିପଦା ୩୩.୬ ଡିଗ୍ରୀ ରହିଛି । ସେହିପରି ଚାନ୍ଦବାଲି ୩୩.୨, ଜଗତସିଂହପୁର ୩୩.୨, ହୀରାକୁଦ ୩୨.୮ ଡିଗ୍ରୀ ତାପମାତ୍ରା ରହିଛି । ଜାରି ରହିବ ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ । ପାଣିପାଗ ବିଭାଗ ପକ୍ଷରୁ ଆଜି ୧୪ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼, ମାଲକାନଗିରି, କୋରାପୁଟ, ଯାଜପୁର, କନ୍ଧମାଳ, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ । ଏହିସବୁ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ଅର୍ଥାତ ତାପମାତ୍ରା ପାଖାପାଖି 45 ଡିଗ୍ରୀ ରହିବ ।

ସେହିପରି ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ 43ରୁ 45 ପର୍ଯ୍ୟନ୍ତ ତାପମାତ୍ରା ରହିବା ନେଇ ଆକଳନ କରାଯାଇଛି । ତେବେ ରାଜ୍ୟରେ ଆଗାମୀ 3 ଦିନ ମଧ୍ୟରେ ବିଶେଷ ଭାବେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 2ରୁ 3 ଡିଗ୍ରୀ ବୃଦ୍ଧି ହେବ । 20 ତାରିଖ ପର୍ଯ୍ୟନ୍ତ ପ୍ରବଳ ଖରା ହେବାସହ 20ରୁ 22 ପାଗ ମେଘୁଆ ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଁଭାଁ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରେକର୍ଡ ହୋଇଥିଲା ।

Leave A Reply

Your email address will not be published.