ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ୩ ଦିନ ସ୍କୁଲ ବନ୍ଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ତାପମାତ୍ରା ବୃଦ୍ଧି ସହିତ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି ।  ସପ୍ତାହେ ହେଲାଣି ଏଭଳି ଅବସ୍ଥା ଜାରି ରହିଛି।

ଏହାକୁ ଦୃଷ୍ଟିରେ ରଖି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ୍ ୧୮,୧୯ ଏବଂ ୨୦ ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା । ତେବେ ପିଲାମାନଙ୍କ ସ୍ଵାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ପିଇବା ପାଣି, ଓଆରଏସ ଏବଂ ମୌଳିକ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା କରାଯାଇଥିଲା । ତେବେ ଅତ୍ୟଧିକ ଖରା ଦୃଷ୍ଟିରୁ ତିନିଦିନ ଧରି ସ୍କୁଲ ବନ୍ଦ କରାଯାଇଛି । ଆଜି ରାମ ନବମୀ ପାଇଁ ସ୍କୁଲ ଛୁଟି ରହିଥିବା ବେଳେ ଆସନ୍ତା ତିନି ଦିନ ସ୍କୁଲ ଛୁଟି ରଖାଯାଇଛି ।

ପୁଣି ସୋମବାର ଖୋଲିବ ସ୍କୁଲ । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ୩୪ ଡିଗ୍ରୀ ଟପିଛି ଅନେକ ସ୍ଥାନର ତାପମାତ୍ରା। ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭବାନୀପାଟଣାରେ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେର ୩୪.୪ ଡିଗ୍ରୀ, ବାଲେଶ୍ୱର ୩୪, ବାରିପଦା ୩୩.୬ ଡିଗ୍ରୀ, ଚାନ୍ଦବାଲି ୩୩.୨ ଡିଗ୍ରୀ, ଜଗତସିଂହପୁର ୩୩.୨ ଡିଗ୍ରୀ ଓ ହୀରାକୁଦ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.