ଫଳ ଦୋକାନୀଙ୍କୁ ନିଶାଯୁକ୍ତ ଥଣ୍ଡା ପାନୀୟ ପିଆଇ ଲୁଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫଳ ଦୋକାନୀଙ୍କୁ ନିଶାଯୁକ୍ତ ଥଣ୍ଡା ପାନୀୟ ପିଆଇ ଲୁଟ । ସ୍ପଷ୍ଟ ଦିବାଲୋକରେ ଫଳ ବ୍ୟବସାୟ କରୁଥିବା ୨ଭାଇଙ୍କୁ ଥଣ୍ଡାପାନୀୟ ପିଆଇ ଲୁଟିନେଲ ଟଙ୍କା ,ଗାଡି , ଫଳ ଓ ମୋବାଇଲ । ଏପରି ଘଟଣା ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ (ବାଲେଶ୍ଵର ଗୋଲେଇ) ଠାରେ ଦେଖିବାକୁ ମିଳିଛି । ଦୁଇ ଫଳ ବ୍ୟେବସାୟୀ ଭାଇ ହେଲେ ଦୀପକ ବାରିକ ଓ ପ୍ରକାଶ ବାରିକ । ଗୁରୁତର ଅବସ୍ଥାରେ ୨ଭାଇଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ମୁତାବକ ରବିବାର ଅପରାହ୍ନ ୪ଟା ସମୟରେ ୨ଜଣ ଯୁବକ ଫଳ କିଣିବା ପାଇଁ କୃଷ୍ଣଚନ୍ଦ୍ର ଗୋଲେଇ ହନୁମାନ ମନ୍ଦିର ସାମ୍ନାରେ ଏକ ଠେଲାରେ ଫଳ ବ୍ୟାବସାୟ କରୁଥିବା ଦୀପକ ଓ ପ୍ରକାଶ ଙ୍କ ପାଖକୁ ପହଞ୍ଚିଥିଲେ । ଜଣେ ସମ୍ପର୍କୀୟଙ୍କ ବ୍ରତଘର ଅଛି ତେଣୁ ଫଳ ଆବଶ୍ୟକ କହି ୪ହଜାର ଟଙ୍କାର ବିଭିନ୍ନ ଫଳ ଏକ ପେଟିରେ ପ୍ୟାକ କରାଇଥିଲେ । ଅଳ୍ପ ଦୂରରେ ବ୍ରତଘର ହେଉଛି ତେଣୁ ସେଠାରେ ଫଳ ପହଞ୍ଚିବା ଏବଂ ସେଠାରେ ଟଙ୍କା ପ୍ରଦାନ କରିଦେବା କହିଥିଲେ । ଘଟଣା ୪ ଦିନ ପୂର୍ବରୁ ଉକ୍ତ ଯୁବକମାନେ ତାଙ୍କ ଦୋକାନକୁ ଯା-ଆସ କରୁଥିବା କାରଣରୁ ଫଳ ଦୋକାନୀ ସେମାନଙ୍କ କଥାକୁ ବିଶ୍ୱାସକୁ ନେବା ସହ ସେମାନେ ଦେଇଥିବା ଥଣ୍ଡାପାନୀୟ ପିଇଥିଲେ । ପ୍ରକାଶ ଦୋକାନରେ ରହିଥିବା ବେଳେ ଦୀପକ ନିଜ ମୋଟରସାଇକେଲରେ ଫଳପେଟି ନେଇ ଲୁଟେରାଙ୍କ ସହ ଟଙ୍କା ଆଣିବାକୁ ଯାଇଥିଲେ ।

ନିଶାଯୁକ୍ତ ଥଣ୍ଡା ପାନୀୟ ପିଇଥିବା କାରଣରୁ ସାନଭାଇ ପ୍ରକାଶ ଦୋକାନ ପାଖରେ ଥିବା ହନୁମାନ ମନ୍ଦିର ନିକଟରେ ପଡି ରହିଥିବା ଦେଖି ସ୍ଥାନୀୟ ଲୋକେ ପରିବାରଙ୍କୁ ଖବର ଦେବା ସହ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ବଡଭାଇ ଦୀପକଙ୍କୁ ଖୋଜାଖୋଜି କରୁଥିଲେ । ରାତିରେ ପାଖାପାଖି ୯ଟା ସମୟରେ ଷ୍ଟେସନବଜାର ପଟୁ ନିଶାଶକ୍ତ ଅବସ୍ଥାରେ ଚାଲୁଥିବା ଦେଖି ଦୀପକଙ୍କୁ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଲୁଟେରା ଦୁଇ ଭାଇଙ୍କୁ ନିଶାଯୁକ୍ତ ଥଣ୍ଡାପାନୀୟ ପିଆଇ ସେମାନଙ୍କ ନିକଟରୁ ଗୋଟିଏ ମଟରସାଇକେଲ, ୨ଟି ମୋବାଇଲ, ମନିପର୍ସ ଓ ଟଙ୍କା ଲୁଟିନେଇଥିବା ଜଣାପଡିଲା ପରେ ଫଳ ଦୋକାନୀଙ୍କ ପରିବାର ଓ ଫଳ ବ୍ୟାବସାୟୀ ସଂଘ ମିଳିତ ଭାବେ ବାରିପଦା ଟାଉନଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ସହ ଲୁଟ ହୋଇଥିବା ସାମଗ୍ରୀ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.