ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବରଗଡରୁ ଯାଉଛି ସମ୍ବଲପୁରୀ ଶାଢୀ ଉପହାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବରଗଡରୁ ଯାଉଛି ସମ୍ବଲପୁରୀ ଶାଢୀ ଉପହାର। ଦେଶ ବିଦେଶର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ପ୍ରଭୁ ଶ୍ରୀରାମ ଙ୍କ ପାଇଁ ନାନା ସାମଗ୍ରୀ ପହଂଚାଉଥିବା ବେଳେ ଓଡିଶାରୁ ରାମଲଲାଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରାଯାଇଛି ରାମ ସେତୁ ଶାଢ଼ୀ । ରାମଙ୍କର ଚେତନାର ପ୍ରସାର ପାଇଁ ବରଗଡ଼ ଜିଲା କଟା ପାଲିର ଈଶ୍ୱର ମେହେର ପ୍ରସ୍ତୁତ କରିଛନ୍ତି ରାମ ସେତୁ ଶାଢ଼ୀ ।

ଏହି ଶାଢୀରେ ସମ୍ବଲପୁରୀ ବାନ୍ଧକଳା ଜରିଆରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମହିମା ଓ ରାମାୟଣର କଥାବସ୍ତୁକୁ ଅତି ନିଖୁଣ ଭାବରେ ପ୍ରଦର୍ଶିତ କରାଯାଇଛି। ବରଗଡର ଇଶ୍ୱର ମେହେର ଓ ତାଙ୍କ ପରିବାର ସୂକ୍ଷ୍ମ ବାନ୍ଧ କାରିଗରୀ କୌଶଳ ପ୍ରୟୋଗ କରି ଏହି ଶାଢି ବୁଣିଛନ୍ତି। ରାମଲାଲା ଓ ମାତା ସୀତାଙ୍କୁ ସମଗ୍ର ଦେଶରୁ ଦିଆଯାଉଥିବା ଉପହାର ମଧ୍ୟରେ ବରଗଡର ଏହି ଶ୍ରଦ୍ଧା ଉପହାର ମଧ୍ୟ ସ୍ଥାନ ପାଇବାକୁ ଯାଉଛି। ପ୍ରଭୁ ଶ୍ରୀ ରାମଚନ୍ଦ୍ର ମାତା ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରିବାକୁ ସମୁଦ୍ରରେ ସେତୁ ନିର୍ମାଣ କରିଥିବା ‘ରାମସେତୁ’ର ମହାନ କଥାବସ୍ତକୁ ଏହି ଶାଢୀରେ ଅତି ନିଖୁଣ ଭାବରେ ପ୍ରଦର୍ଶିତ କରାଯାଇଛି। ଶାଢୀର ଦୁଇ ପାଶ୍ୱର୍ ଧାଡିର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଭଗବାନଙ୍କ ଅନ୍ୟ ଦୁଇ ଅବତାର ମତ୍ସ୍ୟ ଓ କଚ୍ଛପ ସ୍ଥାନ ପାଇଛନ୍ତି। ସମୂଦ୍ରର ରୂପ ଦିଆଯାଇଥିବା ଏହି ଶାଢୀର ଦେହସାରା ସାମୂଦ୍ରିକ ଜୀବର ଚିତ୍ର ଦେଖିବାକୁ ମିଳିଛି।

ଶାଢ଼ୀଟିକୁ ପ୍ରସ୍ତୁତ କରିବା ପାଇଁ ଦୀର୍ଘ ୫ ମାସ ଲାଗିଥିବା ବେଳେ ଖଦି କଟନ ସହ ପ୍ରାକୃତିକ ରଙ୍ଗର ବ୍ୟବହାର ହୋଇ ଅତି ସୂକ୍ଷ୍ମ କାରୁକାର୍ଯ୍ୟର ବାନ୍ଧରେ ଶାଢ଼ୀଟିକୁ ପ୍ରସ୍ତୁତ କରାଯାଇଛି ଯେଉଁ ଶାଢ଼ୀକୁ ଈଶ୍ୱରଙ୍କ ଭାଇ ଦୁସ୍ୟନ୍ତ ଦିଲ୍ଲୀ ଦରବାର କୁ ନେଇ ପହଞ୍ଚାଇଛନ୍ତି । ନଳ, ନୀଳ, ଅଙ୍ଗଦ, ଗୁଣ୍ଡୁଚି, ବାନରଙ୍କୁ ନେଇ ଶାଢ଼ିରେ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳିଛି । ଯାହାକୁ ତିଆରି କରିଛନ୍ତି ଜାତୀୟ ପୁରସ୍କାରପ୍ରାପ୍ତ ସମ୍ବଲପୁରର ଶିଳ୍ପୀ ଈଶ୍ୱର ମେହେର । ସାରା ରାଜ୍ୟରେ ରାମ ନାମ ଗୁଞ୍ଜରଣ ହେଉଥିବାବେଳେ ଏମିତି ଏକ ସମୟରେ ନିଜ ସୂକ୍ଷ୍ମ କଳାର ପରିଚୟ ଦେଇଛନ୍ତି ଈଶ୍ୱର । ଯାହାକୁ ଦିଲ୍ଲୀରେ ପ୍ରଦର୍ଶିତ କରାଯାଇଛି ।

Leave A Reply

Your email address will not be published.