ଓଡ଼ିଆ ନ୍ୟୁଜ୍: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ରେଳ ଷ୍ଟେସନଠାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ ମହାରାଷ୍ଟ୍ରର ପ୍ରସିଦ୍ଧ ତୀର୍ଥସ୍ଥଳୀ ସିରିଡି ଓ ନାସିକ ଦର୍ଶନ ପାଇଁ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପାରମ୍ପରିକ ପୂଜା ସହିତ ପତକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏଥି ସହିତ ଟ୍ରେନ ଭିତରେ ବୁଲି ବୁଲି ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ। ରାଜ୍ୟର ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ଆଧ୍ୟାତ୍ମିକ ଓ ଧାର୍ମିକ ଆକାଂକ୍ଷା ପୂରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରାଯାଇଛି।
ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକଙ୍କ ପାଇଁ ୧୦ଟି ପର୍ଯ୍ୟାୟରେ ସିରିଡି, ନାସିକ, କୋଲକତା ଦକ୍ଷିଣକାଳୀ, କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାୟଗଡା ଓ ବାଲେଶ୍ୱର ଷ୍ଟେସନରୁ ଦୁଇଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଟ୍ରେନ ଚଳାଚଳ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ସନାତନ ପରମ୍ପରା ଅନୁଯାୟୀ, ଜୀବନକାଳ ମଧ୍ୟରେ କିଛି କିଛି ଧର୍ମସ୍ଥଳୀ ଦର୍ଶନ କରି ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ସମସ୍ତଙ୍କ ଇଚ୍ଛା ଥାଏ। କୌଣସି କାରଣ ବଶତଃ ଏହା ସମ୍ଭବ ହୋଇନଥାଏ। ଖୁସିର କଥା ଆପଣମାନଙ୍କ ପାଇଁ ବାବା ଭୋଲେନାଥ ଓ ସିରିଡି ସାଇଙ୍କ ଦରବାରକୁ ଡୋର ଲାଗିଛି ଏବଂ ଆପଣମାନେ ତାଙ୍କ ଦର୍ଶନ ପାଇଁ ଯାଉଛନ୍ତି। ନିଜର ଓ ନିଜ ପରିବାରର ମଙ୍ଗଳ କାମନା କରିବା ସହିତ ରାଜ୍ୟର ସମୃଦ୍ଧି ଓ ଉନ୍ନତି ପାଇଁ ମଧ୍ୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ। ସେ ଆହୁରି କହିଥିଲେ ଯେ, ଭାରତୀୟ ସଂସ୍କୃତିକୁ ଏକ ସୂତ୍ରରେ ବାନ୍ଧି ରଖିଛି ଆମ ମନ୍ଦିର ପରମ୍ପରା। ଅତୀତରେ ମନ୍ଦିର ପରମ୍ପରା ଆମ ସାଂସ୍କୃତିକ ଭାବ ବିନିମୟର କେନ୍ଦ୍ର ଥିଲା। ଆମ ଐତିହ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ ଅର୍ଥନୀତିର ସମନ୍ୱୟ ପୀଠ ଥିଲା ମନ୍ଦିର।
ସେଥିପାଇଁ ପ୍ରତ୍ୟେକ ଭାରତୀୟମାନେ ତୀର୍ଥସ୍ଥଳୀ ଓ ମନ୍ଦିର ପରିଦର୍ଶନ କରିବା ପାଇଁ ମନ ଭିତରେ ସବୁ ବେଳେ ଆଶା ରଖିଥାନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତୀର୍ଥଯାତ୍ରୀମାନେ ଯେପରି ସୁରୁଖୁରୁରେ, ସୁବିଧାରେ ଭ୍ରମଣ ଓ ଦର୍ଶନ କରିପାରିବେ ସେଥିପାଇଁ ସେମାନଙ୍କ ସହିତ ପୁରା ଯାତ୍ରା ସମୟ ପାଇଁ ସ୍ୱତନ୍ତ୍ର ଅଧିକାରୀ, ଗାଇଡ୍ ଓ ଡାକ୍ତରୀ ଦଳର ବ୍ୟବସ୍ଥା କରାଯାଇଛି। ସମସ୍ତ ତୀର୍ଥଯାତ୍ରୀଙ୍କୁ ନିଜ ଗ୍ରାମଠାରୁ ସେମାନେ ଯାତ୍ରା ଆରମ୍ଭ କରୁଥିବା ରେଳ ଷ୍ଟେସନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଯିବା ଆସିବା ସୁବିଧା କରାଯାଇଛି। ଯାତ୍ରା ସମୟରେ ସେମାନଙ୍କର ରହିବା, ଖାଇବା ପିଇବା ସହିତ ରେଳ ଷ୍ଟେସନରୁ ତୀର୍ଥସ୍ଥାନ ପର୍ଯ୍ୟନ୍ତ ଯିବା ଆସିବା ସୁବିଧା ମଧ୍ୟ କରାଯାଇଛି।