ଦୁର୍ନୀତିଗ୍ରସ୍ତ ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୪ବର୍ଷ ଜେଲ୍ ଦଣ୍ଡାଦେଶ

0

ଓଡ଼ିଆ ନ୍ୟୁଜ୍: ନବରଙ୍ଗପୁରର ପୂର୍ବତନ ଉପଜିଲ୍ଲାପାଳ ତଥା ଓଏଏସ୍ ପ୍ରଶାନ୍ତ ରାଉତ କ୍ଷମତାର ଅପବ୍ୟବହାର କରି କୋଟିକୋଟି ଟଙ୍କା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନେଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ୪ବର୍ଷ ସଶ୍ରମ ଜେଲ୍ ଓ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କୁ ଏହି ମାମଲାରେ ଜେଲ୍ ପଠାଇ ଦିଆଯାଇଛି। ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି।

୨୦୧୮ ନଭେମ୍ବର ୫ ତାରିଖରେ ସମ୍ବଲପୁର ଭିଜିଲାନ୍ସ ଥାନାର ଏକ ମାମଲାରେ ସୁନ୍ଦରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଆଜି ଶ୍ରୀ ରାଉତଙ୍କୁ ୪ବର୍ଷ ସଶ୍ରମ ଜେଲ୍ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଶ୍ରୀ ରାଉତ ବିର୍ସା ବ୍ଲକ ବିଡିଓ ଥିବାବେଳେ ୪ର୍ଥ ରାଜ୍ୟ ଅର୍ଥ କମିଶନ ଓ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ୪ଟି ପ୍ରକଳ୍ପର ଅନୁମୋଦନ ପାଇଁ ୧ଲକ୍ଷ ଟଙ୍କା ଲାଂଚ ଦାବି କରିବା ଘଟଣାରେ ୨୦୧୮ ନଭେମ୍ବର ମାସରେ ଭିଜିଲାନ୍ସ ତାଙ୍କୁ ଲାଂଚ ଟଙ୍କା ସହ ଧରିଥିଲା ଓ ଗିରଫ କରି ଜେଲ୍ ପଠାଇଥିଲା। ଏହି ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ସେହିପରି ୨୦୨୩ ଜୁନ୍ ମାସରେ ଶ୍ରୀ ରାଉତ ନବରଙ୍ଗପୁରର ଉପଜିଳ୍ଲାପାଳ ଥିବାବେଳେ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘର ଓ ଅଫିସ ଆଦିରେ ଚଢ଼ଉ କରି ୩.୦୨କୋଟିର ନଗଦ ଟଙ୍କା ଜବତ କରିଥିଲା।

ଏହି ଘଟଣାରେ ମଧ୍ୟ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା। ପରେ ସେ ଜାମିନରେ ଆସିଥିଲେ ଓ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଇଥିଲେ। ଏବେ ପୁରୁଣା କେସରେ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବପରେ ତାଙ୍କୁ ପୁଣିଥରେ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ଏହାସହିତ ଭିଜିଲାନ୍ସ ବିଭାଗ ମଧ୍ୟ ତାଙ୍କ ପେନସନ୍ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.