ବିଜେପି ଛାଡିଲେ ବରିଷ୍ଠ ନେତା ଛୋଟେଲାଲ ମହାନ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶାର ବରିଷ୍ଠ ବିଜେପି ନେତା ତଥା କୁଡୁମୀ ନେତା ଛୋଟଲାଲ ମହାନ୍ତ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏନେଇ ଶୁକ୍ରବାର ବାରିପଦାର ମଧୁବନ ସ୍ଥିତ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ଛୋଟଲାଲ ଗତ ୩୮ବର୍ଷ ଧରି ବିଜେପି ଦଳର ଜଣେ ସଭ୍ୟ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ରାଜ୍ୟବ୍ୟାପି ପ୍ରୟାସ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ଦଳର ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ପ୍ରଚାରକ ଭାବେ ୧୯୮୦ମସିହାରେ ନିଜର ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କରିଥିଲେ। ବିଜେପି ଦଳର ବିଭିନ୍ନ ରାଜ୍ୟ ଓ ଜିଲ୍ଲା ସାଙ୍ଗଠନିକ ଦାୟିତ୍ବ ନିର୍ବାହ କରୁଥିବା ବେଳେ ବର୍ତ୍ତମାନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଛୋଟଲାଲ ଦାୟିତ୍ୱରେ ରହିଥିଲେ।

ସାଙ୍ଗଠନିକ ଦାୟିତ୍ବକୁ ଅତ୍ୟନ୍ତ ନିଷ୍ଠାର ନିର୍ବାହ କରିଥିବା ସତ୍ତ୍ୱେ ତାଙ୍କୁ ଦଳରେ ଉପେକ୍ଷା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ସେ ଜିଲ୍ଲାର ଜଣେ କୁଡୁମୀ ନେତା ଭାବେ ପରିଚିତ ଥିବା ବେଳେ ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଆଶାୟୀ ରହିଥିଲେ। କିନ୍ତୁ ଗତ ସାଧାରଣ ନିର୍ବାଚନରୁ ତାଙ୍କୁ ଟିକେଟ ପ୍ରଦାନ କରିବାରେ ଦଳ ଉପେକ୍ଷା କରିଛି। ଦୁଃଖ ପରିତାପର ବିଷୟ ଯେ ଓଡିଶାର ୪୦ଲକ୍ଷ କୁଡୁମୀ (ମହାନ୍ତ) ସମାଜର କୌଣସି ବ୍ୟକ୍ତିଙ୍କୁ ବିଜେପି ପକ୍ଷରୁ ଚଳିତ ୨୦୨୪ ନିର୍ବାଚନରେ କୈାଣସି ସ୍ଥାନରୁ ନିର୍ବାଚନ ଲଢିବାର ସୁଯୋଗ ଦିଆଗଲା ନାହିଁ। ଯାହାକୁ ସେ ଛୋଟଲାଲ ଦୃଢ ଭାବରେ ବିରୋଧ କରି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଦୁର୍ଭାଗ୍ୟର କଥା ଯେ ଓଡ଼ିଶାର ୧୪୭ଟି ବିଧାନସଭା ଆସନ ଥିଲେ ମଧ୍ୟ ଗୋଟିଏ ହେଲେ ଆସନରେ କୁଡୁମି ଜାତିକୁ ସୁଯୋଗ ଦିଆଗଲା ନାହିଁ। ଯାହାକି ଗଣତନ୍ତ୍ରର ପୁରାମାତ୍ରାରେ ପରିପନ୍ଥୀ ଅଟେ। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ ଯାଜପୁର ଜିଲ୍ଲାରେ ବସବାସ କରୁଥିବା ୪୦ ଲକ୍ଷ କୁଡୁମୀ ଜନଜାତିର ଭାଇ ଭଉଣୀ ତଥା ଅଞ୍ଚଳରେ ବସବାସ କରୁଥିବା ସମସ୍ତ ପଛୁଆ ବର୍ଗର ଗଣତାନ୍ତ୍ରିକ ସୁରକ୍ଷା ପାଇଁ ଛୋଟଲାଲ ଆଜି ସହିଦ୍ ରଘୁନାଥ ମହାନ୍ତଙ୍କ ତିରୋଧାନ ଦିବସରେ ଦଳର ସମସ୍ତ ପଦ ପଦବୀ ସମେତ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉଦ୍ଦେଶ୍ୟରେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ଆଗାମୀ ନିର୍ବାଚନରେ କୁଡୁମି ସମ୍ପ୍ରଦାୟର ଅଧିକାର ପାଇଁ ଛୋଟଲାଲ ସବୁ ପ୍ରକାର ଚେଷ୍ଠା କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.