ନୀତିଶଙ୍କ ‘ବିରୋଧୀ ଦଳର ଏକତା’କୁ ସମର୍ଥନ କରିବେ ଶରଦ ପାଓ୍ୱାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନୀତିଶଙ୍କ ‘ବିରୋଧୀ ଦଳର ଏକତା’କୁ ସମର୍ଥନ କରିବେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ବିଜେପି ବିରୋଧରେ ଏକ ବିରୋଧୀ ମେଣ୍ଟ କରିବାକୁ ଆହ୍ୱାନ ଦେଇଛନ୍ତି। ଆଉ ଏହାକୁ ନୀତୀଶ କୁମାର ନେତୃତ୍ବ ନେଇ ତୁଲାଉଛନ୍ତି ବୋଲି ଦେଖିବାକୁ ମିଳିଛି। ଏହି କ୍ରମରେ ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। କିନ୍ତୁ ମହାରାଷ୍ଟ୍ରର ଏନସିପି ସୁପ୍ରିମୋଙ୍କ ଇସ୍ତଫା ନାଟକ ପରେ କୁହାଯାଉଥିଲା ଯେ ବିଜେପିକୁ ପରଦା ପଛରେ ରହି ସମର୍ଥନ କରିବାକୁ ଯାଇ ଶରଦ ପାଓ୍ୱାର ଏଭଳି କିଛି ଗୋଟି ଚଳାଉଥିଲେ। ହେଲେ ଏବେ ସେ ଏନସିପି ସଭାପତି ପଦରୁ ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ପରେ ନୀତୀଶଙ୍କ ବିରୋଧୀ ଏକତା ଆଭିମୁଖ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଯେଉଁଥିରେ ସେ କହିଛନ୍ତି, ବିଜେପି ବିରୋଧୀ ମେଳିକୁ ସେ ସମର୍ଥନ କରିବେ। ଶରଦ ପାୱାର କହିଛନ୍ତି ଯେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଅନେକ ଲୋକ କାମ କରୁଛନ୍ତି, ମୁଁ ମଧ୍ୟ ଏଥିରେ ସାହାଯ୍ୟ କରୁଛି। ମୁଁ ଯାହା କରିବି ତାହା କରିବି।

ନୀତୀଶ କୁମାରଙ୍କ ସମେତ କିଛି ନେତାଙ୍କ ନାମ ନେଇ ଶରଦ ପାୱାର କହିଛନ୍ତି ଯେ କିଛି କାମ କରି ବିରୋଧୀ ଏକତାକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଶରଦ ପାୱାରଙ୍କ ଏପରି ବିବୃତ୍ତିରୁ ସ୍ପଷ୍ଟ ସୂଚନା ମିଳିଛି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ କେଉଁ ଭୂମିକା ଗ୍ରହଣ କରିବେ। ଯେତେବେଳେ ଶରଦ ପାୱାର ଏନସିପି ସଭାପତି ପଦରୁ ଇସ୍ତଫା ଦେଇଥିଲେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ନେତା ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ମହାରାଷ୍ଟ୍ରରେ ମଧ୍ୟ ଏନସିପି ଉପସଭାପତି ପ୍ରଫୁଲ୍ଲ ପଟେଲ, ରାଜ୍ୟ ସଭାପତି ଜୟନ୍ତ ପାଟିଲ, ବିଧାୟକ ଜିତେନ୍ଦ୍ର ଆହାଦ କହିଛନ୍ତି ଯେ ଶରଦ ପାୱାର ହେଉଛନ୍ତି ଦେଶର ଏକମାତ୍ର ନେତା, ଯାହାଙ୍କ ନାମ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଲୋକ ଜାଣିଛନ୍ତି।

ସୂଚନା ଯୋଗ୍ୟ, ଆସନ୍ତା ୯ତାରିଖରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାର ବିରୁଦ୍ଧରେ ଏକ ସୁଦୃଢ଼ ମେଂଟ ଗଠନ ପ୍ରୟାସରେ ନୀତିଶ କୁମାର ଅଣଏନଡିଏ ଦଳଗୁଡ଼ିକର ନେତାମାନଙ୍କୁ ଭେଟୁଥିବା ଜଣାପଡ଼ିଛି । ନୀତିଶ କୁମାର ଆସନ୍ତା ୯ତାରିଖ ଅପରାହ୍ନ ୧୨ଟାରେ ନବୀନ ନିବାସରେ ନବୀନଙ୍କୁ ଭେଟିବେ । ନବୀନ ନିବାସରେ ପ୍ରାୟ ଏକ ଘଣ୍ଟା ଧରି ନୀତିଶ କୁମାର ରହିବେ ଓ ସେଠାରେ ତାଙ୍କୁ ମଧ୍ୟାହ୍ନ ଭୋଜନର ନବୀନ ଆପ୍ୟାୟିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତକାର ସମ୍ପୂର୍ଣ୍ଣ ଭାବେ ରାଜନୀତିକ ହୋଇଥିବାରୁ ବିସ୍ତୃତ ତଥ୍ୟ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ । ଜାତୀୟ ରାଜନୀତିରେ ବିଜେଡି ବିଶେଷ ସକ୍ରିୟ ହେବାକୁ ଚାହେଁନି । ଆଂଚଳିକ ଦଳ ଭାବେ ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ସେ ଦିଗରେ ବିଜେଡି କାର୍ଯ୍ୟ କରୁଛି । ଉଭୟ ବିଜେପି ଓ କଂଗ୍ରେସଠୁ ସମଦୂରତ୍ୱ ନୀତିରେ ବିଜେଡି ଏବେବି କାଏମ ରହିଛି । ପୂର୍ବରୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଗସ୍ତରେ ଆସି ନବୀନଙ୍କୁ ଭେଟିଥିଲେ ।

Leave A Reply

Your email address will not be published.