ସେବାୟତଙ୍କ ପରିବାର ପାଇଁ ସ୍ବସ୍ଥ୍ୟ ବିମା ଓ ଅଧିକ ହୁଣ୍ଡି ସ୍ଥାପନ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରଥଯାତ୍ରା ସୁପରିଚାଳନା ପାଇଁ ଆଜି ନୀଳାଦ୍ରୀ ଭକ୍ତନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ । ବୈଠକରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ୍ ପାରିତ ହୋଇଥିବା ବେଳେ ଆୟର ସୂତ୍ର ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ରଥଯାତ୍ରାକୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଆଲୋଚନା ହୋଇଛି। ଆଜି ବସିଥିବା ପରିଚାଳନା କମିଟି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୨୭୧ କୋଟି ୭ଲକ୍ଷ ଟଙ୍କାର ବଜେଟ୍ ପାରିତ ହୋଇଛି। ଖର୍ଚ୍ଚ ଅଟକଳ ରହିଛି ୨୬୨ କୋଟି ୧୬  ଲକ୍ଷ ଟଙ୍କା। ୟୁନିଫର୍ମ ପଲିସିରେ ଶ୍ରୀମନ୍ଦିର ଜମିଜମା ବିକ୍ରି କରି ଆୟବୃଦ୍ଧି ସହ ରାଜ୍ୟରେ ଥିବା ୨୦୦ରୁ ଅଧିକ ପଥରଖଣି, ଅନଲାଇନ ବ୍ୟବସ୍ଥାରେ ଫୋନ୍ ପେ ଓ ପେଟିଏମ୍ ସହ ଅନୁବନ୍ଧିତ କରାଯାଇ କ୍ୟୁଆର କୋର୍ଡ ସ୍କାନର ବ୍ଯବସ୍ଥା କରାଯିବ। ସେହିପରି ଅଧିକ ହୁଣ୍ଡି ସ୍ଥାପନ କରାଯାଇ ଶ୍ରୀମନ୍ଦିର ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍ ସୂଚନା ଦେଇଛନ୍ତି। ସେହିପରି ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟଵସ୍ଥିତ କରିବାକୁ ଗୁରୁତ୍ୱ ଦିଆଯାଇଛି। ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟିବ୍ୟୁଚିତିକୁ ସୁଧାରି ବିଶୃଙ୍ଖଳାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି।

ସେହିପରି  ବଜେଟରେ ସେବାୟତଙ୍କ ପରିବାରର ସଦସ୍ୟଙ୍କ ପାଇଁ ୫ କୋଟି ଟଙ୍କାର ସ୍ୱାସ୍ଥ୍ୟବୀମା,ସେବକ ଆବାସ ଯୋଜନାରେ ୩.୫୦କୋଟି, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ ୫ କୋଟି, କର୍ପସ ଫଣ୍ଡରେ ୫୦ କୋଟି ଟଙ୍କା ଜମା କରାଯିବ। ବିଭିନ୍ନ ଜିଲ୍ଲାରେ ଥିବା ଖଣିରୁ ୩୦ କୋଟି, ହୁଣ୍ଡି ଓ ଡୋନେସନ୍ ବାବଦରେ ୩୬ କୋଟି,କର୍ପସ ଫଣ୍ଡ ସୁଧରୁ ୬୦ କୋଟି ଟଙ୍କା ଓ ଜମି ଅଧିଗ୍ରହଣ ଓ ଜମି ବିକ୍ରିବଟା ବାବଦରେ ୫୦ କୋଟି ଟଙ୍କା ଆୟ କରାଯାଇଛି। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ସାରିବା ଏକ ପ୍ରମୁଖ ଚ୍ୟାଲେଞ୍ଜ ଥିବାବେଳେ ଏବେସୁଦ୍ଧା ବାହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦୁଇଦିନ ଭିତରେ ଶେଷ ହେବ। ତେବେ ବାହ୍ଯ ପରିକ୍ରମା ପ୍ରକଳ୍ପର 6 ମିଟର ପରିଧି ମଧ୍ୟରେ ଭକ୍ତ ଓ ସେବାୟତଙ୍କ ପ୍ରବେଶ ନେଇ ବ୍ୟବସ୍ଥା ହୋଇଛି। ତେବେ ଏହାଦ୍ବାରା ରଥଯାତ୍ରା ସମୟରେ ଅସୁବିଧା ସୃଷ୍ଟି ହୋଇପାରେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି। ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଦ୍ୱାରରେ କାର୍ଯ୍ୟ ଶେଷ ନେଇ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏନେଇ ସନ୍ଦେହ ସୃଷ୍ଟି କରିଛନ୍ତି ପରିଚାଳନା କମିଟିର ସଦସ୍ୟ। ତେବେ ଆସନ୍ତା ୧୫ ତାରିଖ ସୁଦ୍ଧା ଭକ୍ତଙ୍କ ପାଇଁ ତଥା ଶ୍ରଦ୍ଧାଳୁଙ୍କ ପାଇଁ ସର୍ବନିମ୍ନ ସୁବିଧା ଶେଷ କରି ହସ୍ତାନ୍ତର କରାଯିବ। ଅନୁମୋଦିତ ବଜେଟରେ ସେବକ ଆବାସ ଯୋଜନା,ଆଦର୍ଶ ଗୁରୁକୂଳ, ରଥଯାତ୍ରା ଖର୍ଚ୍ଚକୁ ପ୍ରାଥମିକତା ଦିଆଯାଇଛି।

Leave A Reply

Your email address will not be published.