ଆପଣ ଜାଣନ୍ତି କି ଏକଦା ଶ୍ରୀକ୍ଷେତ୍ରରେ ଥିଲା ୭୫୨ଟି ମଠ, ଜାଣନ୍ତୁ ସେଇ ସବୁ ମଠର ମହାପ୍ରଭୁଙ୍କ ନିତିକାନ୍ତି ସହ କଣ ରହିଛି ସମ୍ପର୍କ…

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁରୁଷୋତ୍ତମ କ୍ଷେତ୍ର ବା ପୁରୀରେ ଏକଦା ୭୫୨ଟି ମଠ ଥିଲା ବୋଲି ପ୍ରବାଦ ଅଛି । କିନ୍ତୁ ବର୍ତ୍ତମାନ ଏ ସବୁ ମଠର ଅସ୍ତିତ୍ୱ ନାହିଁ । ଯେଉଁ କେତୋଟି ରହିଛି, ସେମାନଙ୍କ ଭିତରୁ ଅଧିକାଂଶ ଜରାଜୀର୍ଣ୍ଣ ବା ଭଗ୍ନ । ଏଠାରେ ଏତେ ସଂଖ୍ୟକ ମଠ ସ୍ଥାପନର ମୂଳ ଉଦ୍ଦେଶ୍ୟ ଥିଲା- ଜଗନ୍ନାଥ ଧର୍ମ ଓ ଦର୍ଶନର ପ୍ରଚାର ଓ ପ୍ରସାର । ଜଗନ୍ନାଥ ଦର୍ଶନପାଇଁ ଆସୁଥିବା ସାଧୁ ସନ୍ନ୍ୟାସୀ, ପଣ୍ଡିତ ଓ ତୀର୍ଥ ଯାତ୍ରୀମାନଙ୍କୁ ଆଶ୍ରୟ ପ୍ରଦାନ ଓ ଗରିବ ତ‌ଥା ମେଧାବୀ ଛାତ୍ରମାନଙ୍କୁ ଆର୍ଥିକ ସାହାଯ୍ୟ ସାଙ୍ଗକୁ ସେମାନଙ୍କ ରହଣି ବ୍ୟବସ୍ଥା ଥିଲା ଏହାର ଅନ୍ୟତମ ଉଦ୍ଦେଶ୍ୟ । “ମଠର ଅର୍ଥ ଛାତ୍ରାବାସ । ଶିଷ୍ୟମାନେ ଯେଉଁଠି ରହି ଧର୍ମଶିକ୍ଷା ଓ ଧର୍ମଶାସ୍ତ୍ରାଲୋଚନା କରନ୍ତି ତାକୁ ମଠ କୁହାଯାଏ” ବୋଲି ପ୍ରାବନ୍ଧିକ ଜଗବନ୍ଧୁ ସିଂହ ଲେଖିଛନ୍ତି ।

⁠ଓଡ଼ିଶାର ଧର୍ମ ଓ ସଂସ୍କୃତିର ଇତିହାସରେ ଏହି ମଠମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହିନ୍ଦୁଧର୍ମର ବିଭିନ୍ନ ସଂପ୍ରଦାୟ ଓ ପନ୍ଥୀମାନଙ୍କର ମଠ ଏହି ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ । ସେଗୁଡ଼ିକ ହେଲା- ଅଦ୍ୱୈତ ପନ୍ଥୀ, ରାମାନନ୍ଦୀ ପନ୍ଥୀ, ରାମାନୁଜ ପନ୍ଥୀ, ଅଙ୍ଗିରା ପନ୍ଥୀ, ଅତିବଡି ପନ୍ଥୀ, ଗୌଡ଼ୀୟ ପନ୍ଥୀ, ଗୌଡ଼ ମାଧବ ପନ୍ଥୀ, ପଞ୍ଚରାମାନନ୍ଦୀ ପନ୍ଥୀ, ନାନକ ପନ୍ଥୀ, ନିମ୍ବାର୍କ ପନ୍ଥୀ, କବୀର ପନ୍ଥୀ, ଅଘୋର ପନ୍ଥୀ, ମାଧବାଚାର୍ଯ୍ୟ ପନ୍ଥୀ, ଉତ୍କଳ-ବୈଷ୍ଣବ ପନ୍ଥୀ, ଅନନ୍ତ ପନ୍ଥୀ, ପୁଷ୍ଟିମାର୍ଗ ପନ୍ଥୀ, ଦଶନାମୀ ପନ୍ଥୀ ଇତ୍ୟାଦି । କେତୋଟି ବିଶିଷ୍ଟ ମଠ ଓ ସେଗୁଡ଼ିକର ପ୍ରତିଷ୍ଠା ଏବଂ ପନ୍ଥା ସହିତ ସଂପୃକ୍ତ ବିଶିଷ୍ଟ ମହାପୁରୁଷଙ୍କ ନାମ ନିମ୍ନରେ ପ୍ରଦତ୍ତ ହେଲା –

⁠ଗୋବର୍ଦ୍ଧନ ମଠ- ଶଙ୍କରଚାର୍ଯ୍ୟ, ଏମାର ମଠ- ରାମାନୁଜ, ବଳଭଦ୍ର ଛତା ମଠ- ମାଧବାଚାର୍ଯ୍ୟ, ରାଧାକାନ୍ତ ମଠ- ଚୈତନ୍ୟ, ରାଧାବଲ୍ଲଭ ମଠ- ନିମ୍ବାର୍କ, ମହାପ୍ରଭୁଙ୍କ ବୈଠକ- ବଲ୍ଲଭାଚାର୍ଯ୍ୟ, କବୀର ଚଉରା ମଠ- କବୀର, ନନ୍ଦିନୀ ମଠ- ମୀରାବାଈ, ମଙ୍ଗୁ ମଠ ଓ ବାଉଲ ମଠ- ନାନକ, ସିଦ୍ଧ ହନୁମାନ ମଠ- ତୁଳସୀ ଦାସ, ଦଶାବତାର ମଠ- ଜୟଦେବ, ସାତ ଲହଡ଼ି ମଠ ଓ ଓଡ଼ିଆ ମଠଅତିବଡ଼ି ଜଗନ୍ନାଥ ଦାସ, ହରି ଦାସ ମଠ- ହରି ଦାସ, ରାମ ଦାସ ମଠ- ରାମ ଦାସ, ଜଗନ୍ନାଥବଲ୍ଲଭ ମଠ- ରାମାନୁଜ ପଟ୍ଟନାୟକ, ଶ୍ରୀନୀଳାଚଳ ଆଶ୍ରମ- ସୀତାରାମ ଦାସ ଓଁକାରନା, ଘୁମୁସର ମଠ ଉପେନ୍ଦ୍ରଭଞ୍ଜ ।

ନିମ୍ନରେ ବର୍ଣ୍ଣିିତ କେତୋଟି ମଠ ସହିତ ଶ୍ରୀମନ୍ଦିରର ଦୈନନ୍ଦିନ ନୀତି ଓ ଯାନିଯାତ୍ରା ନୀତିର ସମ୍ପର୍କ ରହିଛି । ସେଗୁଡିକୁ ସଂକ୍ଷେପରେ ଉଲ୍ଲେଖ କରାଯାଉଛି ।

  • ଜଗନ୍ନାଥବଲ୍ଲଭ ମଠ

ଏହି ମଠ ଶ୍ରୀଜଗନ୍ନାଥ ମନ୍ଦିରର ବଗିଚା ବୋଲି ବ୍ରିଟିଶ୍‍ ଅମଳର ନଥିପତ୍ରରେ ଉଲ୍ଲେଖ ଅଛି । ଶ୍ରୀଜଗନ୍ନାଥଙ୍କର ଏହା ପ୍ରମୋଦ ଉଦ୍ୟାନ । କିନ୍ତୁ ଏହି ମଠ ଶ୍ରୀମନ୍ଦିର ପ୍ରଶାସନର ଅଧୀନସ୍ଥ ନୁହେଁ, ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ଏହି ମଠର ଏକ ଟ୍ରଷ୍ଟବୋର୍ଡ ରହିଛି । ଶ୍ରୀଜଗନ୍ନାଥ ମନ୍ଦିରରେ ବିଜେ ପ୍ରତିମାମାନଙ୍କର ଏହି ମଠରେ କେତେକ ବିଶିଷ୍ଟ ତିଥି ଓ ଯାନିଯାତ୍ରାମାନଙ୍କରେ ନୀତି ହୁଏ; ଯା-ବସନ୍ତପଞ୍ଚମୀ ଦିନ ମଧ୍ୟାହ୍ନ ଧୂପ ସରି ଚାଚେରୀ ବେଶ ହେବା ପରେ ଓ ଫାଲ୍‍ଗୁନ ଶୁକ୍ଲପକ୍ଷ ପ୍ରତିପଦ, ଚର୍ତୁୀ, ପଞ୍ଚମୀ ଓ ଦ୍ୱାଦଶୀ ତିùରେ ମଙ୍ଗଳ ଆରତି ପରେ ଶ୍ରୀମନ୍ଦିରରୁ ଠାକୁର ବେଣ୍ଟ ବା ଶିକାର ପାଇଁ ଏହି ମଠକୁ ବିଜେ କରନ୍ତି । ଦୋଳଗୋବିନ୍ଦ ଠାକୁର ମଠରେ ବିଜେ ହେବା ପରେ ମଠ ତରଫରୁ ଶୀତଳ ଭୋଗ ହୁଏ । ମଠରେ ଥିବା ବେଣ୍ଟ ପୋଖରୀରେ ଶିକାର ନୀତି ହୁଏ । ଶ୍ରୀମନ୍ଦିରରେ ଦୈନିକ ଅବକାଶ ସମୟରେ ମଶାଲ, ବଲ୍ଲଭ ସମୟରେ ବଲ୍ଲଭ ଓ ବଡ଼ସିଂହାର ବେଶ ପାଇଁ ତିଳକଝୁମ୍ପା ଏହି ମଠ ଯୋଗାଏ । ‘ବଣଭୋଜି ବେଶ’ ପାଇଁ ପିଙ୍ଗଳ, ‘କାଳୀୟଦଳନ’ ଓ ‘ପ୍ରଳମ୍ବାସୁରବଧ ବେଶରେ ଶ୍ରୀହସ୍ତ କୋରା, ଦୟଣାଚୋରି ନୀତିରେ ଦୟଣା, ବେଣ୍ଟ ନୀତିରେ ପଇଡ଼, ଚନ୍ଦନଯାତ୍ରା ଓ ଚାପରେ କର୍ପୂର ଓ ମଶାଲ ଯୋଗାଇବା ଏହି ମଠର ଦାୟି ତ୍ୱ । ଶ୍ରୀମନ୍ଦିରରୁ ମଠର ମହାବୀର ଙ୍କ ପାଇଁ ପ୍ରତିଦିନ ଶ୍ରୀଜୀଉଙ୍କର ‘କରପଲ୍ଲବ’ ପଠାଯାଏ । ମଠର ମହନ୍ତ ଶ୍ରୀମନ୍ଦିରରେ ଚାମର ସେବା କରିପାରିବେ । ଏବେ ମହନ୍ତ କେହି ନାହାନ୍ତି । ପୂର୍ବେ ମହନ୍ତଙ୍କୁ ଦୟଣା ଚୋରି ନୀତିରେ ପାଗ, ଶିରୋପା ଓ ର ଦଉଡ଼ି ପ୍ରାପ୍ୟ ଶ୍ରୀମନ୍ଦିରରୁ ମିଳୁଥିଲା । ବର୍ତ୍ତମାନ ମଠର ଟ୍ରଷ୍ଟିଙ୍କୁ ଦୟଣାଚୋରି ନୀତି ପାଇଁ ଖଣ୍ଡୁଆ ପ୍ରଦାନ କର। ଯାଉଛି । ପହିଲି ଭୋଗ (ଧନୁ ମାସ) ସମୟରେ ଓ କେତେକ ନିର୍ଦ୍ଧିଷ୍ଟ ପର୍ବ ଦିନମାନଙ୍କରେ ଶ୍ରୀମନ୍ଦିରର କୋଠଭୋଗରୁ ଖେଇ ଏହି ମଠକୁ ପ୍ରଦାନ କରାଯାଏ ।

  • ରାଘବ ଦାସ ମଠ

ଏହି ମଠ ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ମଠର ମହନ୍ତ ଉତ୍ତରପ୍ରଦେଶ ସରକାରଙ୍କର ଜଣେ ଆଇ.ଏ.ଏସ୍‍. ଅଫିସର ଥିଲେ । ମଠର ମହନ୍ତ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣମୀଦିନ ଶାଢି ବନ୍ଧାଇବା ବିଧି ଅଛି । ସେ ଚାମର ସେବା କରିପାରିବେ । କିନ୍ତୁ ମହନ୍ତ ଏ କାର୍ଯ୍ୟ ବର୍ତ୍ତମାନ କରୁନାହାନ୍ତି । ମହନ୍ତଙ୍କର ଚାମର ଓ ଆଲଟ ସେବା ଅଧିକାର ଅଛି ।

⁠ଏହି ମଠ ଦୈନିକ ଶ୍ରୀମନ୍ଦିରକୁ ବଲ୍ଲଭ ଯୋଗାନ୍ତି । ସ୍ନାନପୂର୍ଣ୍ଣମୀ ଦିନ ଶ୍ରୀଜଗନ୍ନାଥଙ୍କ ବାଡ଼ ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ହାତୀ ବେଶର ଉପକରଣ ବା ବେଶ ଦ୍ରବ୍ୟ ଯୋଗାନ୍ତି । ଶ୍ରୀମନ୍ଦିରର ମଣି ବିମାନର ମଣ୍ଡଣି ଓ ମରାମତିର ଦାୟିତ୍ୱ ଏହି ମଠର । ଚନ୍ଦନଯାତ୍ରାରେ ଚନ୍ଦନ ଚକଡ଼ାରେ ସର୍ବାଙ୍ଗ ନୀତି କରାନ୍ତି । ରଯାତ୍ରାବେଳେ ଭିତର ଚାର ବନ୍ଧା ହେବା ପାଇଁ ୧୪ ଖଣ୍ଡ ଚାରପଟା ଯୋଗାଇବା ଏମାନଙ୍କର ଦାୟିତ୍ୱ । ସ୍ନାନଯାତ୍ରା, ରଯାତ୍ରା, ବାହୁଡ଼ାଯାତ୍ରା ଓ ନୀଳାଦ୍ରିବିଜେ ଦିନ ଠାକୁରଙ୍କ ପହଣ୍ଡି ବିଜେ ପାଇଁ ଟାହିଆ ଯୋଗାନ୍ତି । ଖଳିଲାଗି ଏକାଦଶୀ ଦିନ ସର୍ବାଙ୍ଗ ନୀତିପାଇଁ ସାଢେ଼ ସାତ ସେର ଚନ୍ଦନକାଠ ଯୋଗାନ୍ତି । ପହଣ୍ଡି ବିଜେ ପାଇଁ ତିନୋଟି ତୂଳୀ ଦିଅନ୍ତି । ବାହୁଡ଼ାଯାତ୍ରା ପରେ ରଥ ଉପରେ ଅଧରପଣା ଭୋଗ କରାନ୍ତି । ମକରସଂକ୍ରାନ୍ତି ପୂର୍ବ ଦିନ ନବାଙ୍କ ବେଢ଼ା ପାଇଁ ଏହି ମଠ ଫୁଲମାଳ (ଜଗନ୍ନାଥଙ୍କ ପାଇଁ ୬୪ ହାତ, ବଳଭଦ୍ରଙ୍କ ପାଇଁ ୫୬ ହାତ ଓ ସୁଭଦ୍ରାଙ୍କ ପାଇଁ ୪୮ ହାତର ଗେଣ୍ଡୁଫୁଲ) ଯୋଗାନ୍ତି । ଜ୍ୟେଷ୍ଠ ଏକାଦଶୀ, ଅକ୍ଷୟତୃତୀୟା ଓ ରୁକ୍ମିଣୀ ହରଣ ନୀତିମାନଙ୍କରେ ଶୀତଳ ଭୋଗ ଯୋଗାନ୍ତି । କାର୍ତ୍ତିିକ ମାସରେ ‘ବାଳଧୂପ’ ଯୋଗାନ୍ତି । ଶ୍ରୀମନ୍ଦିରରୁ ବିଜେ ପ୍ରତିମାମାନଙ୍କର ବିଜେ ଦିନମାନଙ୍କରେ ଯଥା- କାଳୀୟଦଳନ, ରାଧାଷ୍ଟମୀ, ରାମାଭିଷେକ, ଗୁଣ୍ଡିଚା ଘରେ ରଥଯାତ୍ରା ବେଳେ ପନ୍ତି ଭୋଗ କରାନ୍ତି । ଅଣସର ସମୟରେ ଅଣସର ପିଣ୍ଡିରେ ଚକଟା ଭୋଗ କରାନ୍ତି । ଶ୍ରୀମନ୍ଦିର ରୋଷଘରେ ଏହି ମଠର ଚୁଲା ଅଛି । ଜଗନ୍ନାଥଙ୍କ ବିଜେ ପ୍ରତିମା ‘ମଦନମୋହନ’ ପ୍ରାୟ ଏକ ଶହ ବର୍ଷ ପୂର୍ବେ ଏହି ମଠ ତରଫରୁ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିର କୋଠଭୋଗରୁ ଦୈନିକ ଖେଇ ଏହି ମଠକୁ ପଠାଯାଏ । ଏହା ବ୍ୟତୀତ କେତେକ ଯାନିଯାତ୍ରା ଦିନରେ ସ୍ୱତନ୍ତ୍ର ଖେଇ ଖଞ୍ଜା ଅଛି ।

  • ଓଡ଼ିଆ ମଠ

⁠ଏହି ମଠ ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣରେ ପରିଚାଳିତ । ମଠର ମହନ୍ତ ଶାଢି ବନ୍ଧାଇ ଉପଚାର ଚାମର ସେବା କରିପାରନ୍ତି । ମଠ ତରଫରୁ ପ୍ରତିଦିନ ବଲ୍ଲଭ ଭୋଗ ପାଇଁ ଭୋଗ ଦ୍ରବ୍ୟ ଯୋଗାଯାଏ । ରତ୍ନସିଂହାସନରେ ଉପରେ ବନ୍ଧାହେବା ପାଇଁ ପ୍ରତିବର୍ଷ ତ୍ରିମୁଣ୍ଡି ଚାନ୍ଦୁଆ ଓ ଚକାଅଫିସର ନୀତି ପାଇଁ ପାଟକନା ଯୋଗାଇ କନକମୁଣ୍ଡଇ ତିଆରି କରାନ୍ତି । ଫୁଲୁରୀଲାଗି ନୀତି ପାଇଁ ପାଞ୍ଚସେର ରାଶିତେଲ ଓ ଦେବ ଦୀପାବଳୀ ନୀତି ପାଇଁ ତେଲ, ଘିଅ, ଘୁଡ଼ିସରା ଇତ୍ୟାଦି ଯୋଗାନ୍ତି । କାର୍ତ୍ତିିକ ମାସରେ ଜୟ ବିଜୟ ଦ୍ୱାରରେ ଅଖଣ୍ଡ ଦୀପ ଜଳାନ୍ତି । ଗୁଣ୍ଡିଚା ମନ୍ଦିରରେ ରଥଯାତ୍ରା ସମୟରେ ସର୍ବାଙ୍ଗ ଓ ଭୋଗ ଲଗାନ୍ତି । ଆଶ୍ୱିନ ଶୋଳପୂଜା ସମୟରେ ବିମଳା ମନ୍ଦିରରେ ଭୋଗ ପାଇଁ ଚାଉଳ, ପରିବା ଯୋଗାନ୍ତି ଓ ପଶୁବଳି ପାଇଁ ମଠ ତରଫରୁ ଏକ ମେଣ୍ଢା ଷ୍ଟେଟ୍‍ (ସରକାର)ଙ୍କ ଜରିଆରେ ଯୋଗାଯାଏ । ନୀଳାଦ୍ରିବିଜେ ଦିନ ମଠ ତରଫରୁ

ରତ୍ନସିଂହାସନ ମାଜଣା କରାଯାଏ ଓ ନୀଳଚକ୍ରରେ ଧ୍ୱଜା ବନ୍ଧାଯାଏ । ରତ୍ନସିଂହାସନ ମରାମତି ଏହି ମଠର ସେବା ଓ ଦାୟିତ୍ୱ । ବାହୁଡ଼ାଯାତ୍ରା ପରେ ରଥ ଉପରେ ଅଧରପଣା କରାନ୍ତି । ଦୈନିକ ଦ୍ୱାରଫିଟା ଓ ମଙ୍ଗଳ ଆରତିବେଳେ ମଠ ତରଫରୁ ମଶାଲ ଯୋଗାଇବା ବିଧି ଅଛି । ଅନବସର ସମୟରେ ଚକଟା ଭୋଗ ଓ ଅନବସର ପଞ୍ଚମୀ ଦିନ ରାଶିତେଲ ଯୋଗାନ୍ତି । ଚନ୍ଦନଯାତ୍ରା (୪୨ଦିନ)ରେ ପଣାଭୋଗ କରାନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରାରେ ‘ଆହୁଡ଼ା ବାହୁଡ଼ା’ ପନ୍ତି ଓ ଖେଚେଡ଼ି ଭୋଗ ଲଗାନ୍ତି । ଶ୍ରୀମନ୍ଦିର ରୋଷଘରେ ଏହି ମଠର ସ୍ୱତନ୍ତ୍ର ଚୁଲା ଅଛି । ସରଘର ମଧ୍ୟ ଅଛି । ଦୈନିକ ଓ ପର୍ବଯାତ୍ରା ଖେଇ ଶ୍ରୀମନ୍ଦିରରୁ ଏହି ମଠ ପାଆନ୍ତି । ରାଧାଷ୍ଟମୀ ଦିନ ବାରଲାଗି ଖଣ୍ଡୁଆ ପାଆନ୍ତି ।

  • ଶ୍ରୀରାମ ଦାସ (ଦକ୍ଷିଣପାର୍ଶ୍ୱ) ମଠ

⁠ଶାଢି ବନ୍ଧାଇଲେ ମଠର ମହନ୍ତ ଶ୍ରୀମନ୍ଦିରରେ ଚାମର ଓ ଆଲଟ ସେବା କରିପାରିବେ । ଚନ୍ଦନଯାତ୍ରା ସମୟରେ ସର୍ବାଙ୍ଗ କରିବା ବିଧି ଥିଲେ ବି ଏବେ ଏହା କରୁନାହାନ୍ତି । ଠାକୁରମାନଙ୍କ ପାଇଁ ଘୋଡ (ଏକ ପ୍ରକାର ଶୀତବସ୍ତ୍ର) ଯୋଗାଇବା ଏହି ମଠର ସେବା ଥିଲେ ମଧ୍ୟ ଏବେ କରୁନାହାନ୍ତି । ପୂର୍ବେ ସକାଳ ଧୂପରେ ପ୍ରତ୍ୟହ ମହାଦେଈ ଭୋଗ ଏହି ମଠ ତରଫରୁ ହେଉଥିଲା, ଏବେ ହେଉ ନାହିଁ । ବଡ଼ସିଂହାର ବେଶ ପାଇଁ ଫୁଲରେ ତିଆରି କରପଲ୍ଲବ, ତଡ଼ପ କୁଣ୍ଡଳ ଯୋଗାନ୍ତି । ଦୈନିକ ବଲ୍ଲଭ ଯୋଗାନ୍ତି ଓ କାର୍ତ୍ତିିକ ମାସରେ ବାଳଭୋଗ କରାନ୍ତି । ଚନ୍ଦନ ଯାତ୍ରାରେ ପଣାଭୋଗ କରାନ୍ତି । ଦିଅଁ ବିଜେ ସମୟରେ ପନ୍ତି ଭୋଗ କରାନ୍ତି । ‘ଅମୃତମଣୋହି ଭୋଗ’ କରିବା ପାଇଁ ଏମାନଙ୍କର ଶ୍ରୀମନ୍ଦିରରେ ସରଘର ଓ ଚୁଲା ଅଛି । ପୂର୍ବେ ରଥକାଠ ଆଣିବା ପାଇଁ ଏହି ମଠ ଶଗଡ଼ ଯୋଗାଉଥିଲେ । ଶ୍ରୀଜଗନ୍ନାଙ୍କ ଗୋପାଳବଲ୍ଲଭ ଭୋଗରୁ ଏକଓଳି ବଲ୍ଲଭ ଖଇ ଏହି ମଠକୁ ପ୍ରତ୍ୟହ ଖଞ୍ଜା ଅଛି ।

  • ଏମାର ମଠ

⁠ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣରେ ପରିଚାଳିତ । ମହନ୍ତ ଶାଢି ବନ୍ଧାଇବା ପରେ ଶ୍ରୀମନ୍ଦିରରେ ଚାମର ଓ ଆଲଟ ସେବା କରିପାରିବେ । ଶ୍ରୀମନ୍ଦିରକୁ ଏହି ମଠ ତରଫରୁ ଦୈନିକ ବଲ୍ଲଭ ଯୋଗାଯାଏ । ବଡ଼ସିଂହାର ବେଶ ପାଇଁ ଫୁଲର ଚନ୍ଦ୍ରିକା ଓ ଚଉସରା ମାଳ ଯୋଗାଯାଏ । ମଶାଲ ଜଳାଇବା ବିଧି ଅଛି । ବର୍ତ୍ତମାନ ଅବକାଶ ନୀତିବେଳେ ମଶାଲ ଜାଳନ୍ତି । ଅନବସର ସମୟରେ ‘ଚକଟା ଭୋଗ’ ଓ କାର୍ତ୍ତିିକ ମାସରେ ‘ବାଳଭୋଗ’ କରାନ୍ତି । ସ୍ନାନପୂର୍ଣ୍ଣିିମୀ ଓ ରଯାତ୍ରାବେଳେ ଫୁଲ ଓ ଚନ୍ଦନ ଯୋଗାଇବା ଏହି ମଠର ଦାୟିତ୍ୱ । ଚନ୍ଦନଯାତ୍ରା ବେଳେ ପଣାଭୋଗ କରନ୍ତି । ‘ନବାଙ୍କ’ ନୀତିରେ ମାଳ ଓ ଚୂଳ ଯୋଗାନ୍ତି । ଦିଅଁ ବିଜେ ସମୟରେ ପନ୍ତିଭୋଗ କରାନ୍ତି । ବର୍ତ୍ତମାନ ଅନେକ ସେବା ମଠ ତରଫରୁ କରାଯାଉନାହିଁ । ଶ୍ରୀମନ୍ଦିରର କୋଠ ଭୋଗରୁ ପ୍ରତ୍ୟହ ଭୋଗ ଏହି ମଠ ପାଇଁ ଖଞ୍ଜା ଅଛି ।

  • ଗୋପାଳ ତୀର୍ଥ ମଠ

⁠ଦେବୋତ୍ତର ବିଭାଗ ଦ୍ୱାରା ନିୟନ୍ତ୍ରିତ । ଏହି ମଠ ମହନ୍ତଙ୍କର ‘ମୁକ୍ତିମଣ୍ଡପ’ରେ ବସିବା ଅଧିକାର ଅଛି । ସ୍ନାନ ପୂର୍ଣ୍ଣମୀ ଦିନ ସ୍ନାନ ବେଦୀରେ ଶ୍ରୀବଳଭଦ୍ରଙ୍କ ବାଡର ହାତୀ ବେଶ ସାମଗ୍ରୀ ଯୋଗାନ୍ତି । ସ୍ନାନପୂର୍ଣ୍ଣମୀ ଓ ମକରସଂକ୍ରାନ୍ତି ଦିନ ମକରଚୂଳ ଏହି ମଠ ଯୋଗାନ୍ତି । ସ୍ନାନପାଦୁକ ଶ୍ରୀମନ୍ଦିରରୁ ଘଣ୍ଟ ଓ କାହାଳୀ ସହିତ ଏହି ମଠକୁ ପଠାଯାଏ । ଦିଅଁ ବାହାର ବିଜେରେ ମଠ ତରଫରୁ ପନ୍ତିଭୋଗ ହୁଏ । ଏହି ମଠର ପରିଚାଳନା ଦାୟିତ୍ୱ ଡିସେମ୍ବର ୨୦୧୩ଠାରୁୁ ଶ୍ରୀମନ୍ଦିର ପ୍ରଶାସନ ଉପରେ ନ୍ୟସ୍ତ ରହିଛି ।

  • ଗୋବର୍ଦ୍ଧନ ମଠ

⁠ଦେବୋତ୍ତର ବିଭାଗ ଦ୍ୱାରା ନିୟନ୍ତ୍ରିତ । ଏହି ମଠରେ ପୁରୀର ଶଙ୍କରାଚାର୍ଯ୍ୟ ରହନ୍ତି । ସେ ଏହି ମଠର ମୁଖ୍ୟ ତ‌ଥା ‘ମୁକ୍ତିମଣ୍ଡପ’ର ସ୍ଥାୟୀ ସଭାପତି । ସେ ଶ୍ରୀମନ୍ଦିର ଭିତରକୁ ‘ଦଣ୍ଡ’ ଧରି ପ୍ରବେଶ କରିପାରିବେ ଓ ମନ୍ଦିର ଭିତରେ ‘ଆସନ’ ପକାଇ ବସିପାରିବେ । ଶ୍ରୀମନ୍ଦିରର ରୀତିନୀତି ଉପରେ ସେ ମତ ବା ପରାମର୍ଶ ଦିଅନ୍ତି । ଏ ବିଷୟରେ ସମସ୍ୟା ଉପୁଜିଲେ ତାଙ୍କୁ ପଚାରିବା ବିଧି ଅଛି । ପୂର୍ବେ ସେ ଶ୍ରୀମନ୍ଦିରର ପୂଜାପଣ୍ଡାମାନଙ୍କୁ ପୂଜାଜ୍ଞାନ ସମ୍ପର୍କରେ ପରୀକ୍ଷା କରି ସାର୍ଟିଫିକେଟ୍‍ ଦେଉଥିଲେ । ଏହା ପାଇବା ପରେ ସେମାନେ ପୂଜା କରିପାରୁଥିଲେ । ମଠପାଇଁ ଶ୍ରୀମନ୍ଦିରରୁ ଦୈନିକ ଓ ପର୍ବଯାତ୍ରା ଖେଇ ପଠାଯାଏ । ଏହି ମଠର ଅନ୍ୟନାମ ଭୋଗବର୍ଦ୍ଧନ ମଠ ।

  • ବଡ଼ଛତା ମଠ

⁠ଦେବୋତ୍ତର ବିଭାଗ ଦ୍ୱାରା ନିୟନ୍ତ୍ରିତ । ମଠ ତରଫରୁ ମଙ୍ଗଳ ଆରତି ଓ ପହୁଡ଼ ଆରତିରେ କୀର୍ତ୍ତନ କରାଯାଏ । ବାଳଧୂପ, ଚନ୍ଦନ ଓ ଦୋଳଯାତ୍ରା ସମୟରେ ମଧ୍ୟ କୀର୍ତ୍ତନ କରାଯିବା ବିଧି ଅଛି । ମଠ ତରଫରୁ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ପଦ୍ମବେଶ କରାଯାଏ । ମାଘ ଅମାବାସ୍ୟା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ଶନିବାର କିମ୍ବା ବୁଧବାରରେ ଏହି ବେଶ ହୁଏ । ବେଶ ଦିନ ମଠ ତରଫରୁ ଖିରି ଭୋଗ କରାଯାଏ ।

  • ରାଧାକାନ୍ତ ମଠ

⁠ଦେବୋତ୍ତର ବିଭାଗଦ୍ୱାରା ନିୟନ୍ତ୍ରିତ । ମଠର ମହନ୍ତ ଶାଢ଼ି ବନ୍ଧାଇ, ଉପଚାର ଚାମର ସେବା କରିପାରିବେ । ଶ୍ରୀମନ୍ଦିରରେ ମଠ ତରଫରୁ କୀର୍ତ୍ତନ କରାଯାଇ ପାରିବ । ଗୁଣ୍ଡିଚା ମନ୍ଦିରର ଭିତର ଓ ବାହାର ବେଢ଼ା ଏହି ମଠ ପରିଷ୍କାର କରାନ୍ତି । କାର୍ତ୍ତିିକ ମାସରେ ଶ୍ରୀମନ୍ଦିରରେ ଅଖଣ୍ଡ ଜାଳନ୍ତି । ଶ୍ରୀମନ୍ଦିର ରୋଷଘରେ ମଠର ଚୁଲା ଅଛି । ଶ୍ରୀମନ୍ଦିର କୋଠଭୋଗରୁ ଦୈନିକ ଖେଇ ପାଆନ୍ତି ।

  • ତ୍ରିମାଳୀ ମଠ

⁠ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣରେ ପରିଚାଳିତ । ମହନ୍ତ ଉପଚାର ଚାମର ଓ ଆଲଟ ସେବା କରିପାରିବେ । କିନ୍ତୁ ସେଥିପାଇଁ ଶାଢି ବନ୍ଧାଇବା ଆବଶ୍ୟକ । ଅବକାଶ ନୀତି ପାଇଁ ଦିହୁଡ଼ି ଯୋଗାନ୍ତି, ଦୈନିକ ବଲ୍ଲଭ ଯୋଗାନ୍ତି । ପୂର୍ବେ ମୋହନ ଭୋଗ କରୁଥିଲେ, ଏବେ କରୁନାହାନ୍ତି । ବିଜେ ଠାକୁରଙ୍କ ପନ୍ତିଭୋଗ କରାନ୍ତି ।

  • ଉତ୍ତର ପାର୍ଶ୍ୱ ମଠ

⁠ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ମହନ୍ତ ଶାଢି ବନ୍ଧାଇ ‘ସୁନାବେଣ୍ଟ’ ଚାମର ସେବା କରିପାରିବେ । ଆଲଟ ସେବା କରନ୍ତି । ଅଖଣ୍ଡ ଦୀପ ଜଳାନ୍ତି । ଦୈନିକ ଠାକୁରମାନଙ୍କର ମଣୋହି ପାଇଁ ‘ମୋହନଭୋଗ’ କରିବାକୁ ଏମାନଙ୍କର ଜମି ଖଞ୍ଜା ଥିଲା । ଏବେ ଏହି ଭୋଗ କରୁନାହାନ୍ତି । ମନ୍ଦିରରେ ଚୁଲା ଓ ସରଘର ଅଛି ।

  • ମହୀପ୍ରକାଶ ମଠ

⁠ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ଠାକୁରମାନଙ୍କର ଫୁଲ ଓ ବସ୍ତ୍ର ରଖାଯିବା ପାଇଁ ବାଉଁଶ ତିଆରି ବଡ଼ ତାଟ ଯୋଗାଇବା ବିଧି ଅଛି । ଅନବସର ସମୟରେ ଚକଟା ଭୋଗ କରାନ୍ତି । ଅବକାଶପାଇଁ ଦାନ୍ତକାଠି ଯୋଗାନ୍ତି । ଦୈନିକ ଶ୍ରୀମନ୍ଦିରରୁ କୋଠଭୋଗ ଖେଇ ପାଆନ୍ତି । ମଠର ସ୍ୱାମୀ ଦଣ୍ଡ ଧରି ଯାଇପାରିବେ ଓ ଆସନ ପକାଇ ବସି ପାରିବେ ।

  • ସୁନା ଗୋସ୍ୱାମୀ ଓ ଦର୍ପନାରାୟଣ ମଠ

⁠ମଠର ଅଧିକାରୀଙ୍କର ଚାମର ଓ ଆଲଟ ସେବା ଅଛି । ଦୈନିକ ଫୁଲଗୁନ୍ଥାଇ ଯୋଗାନ୍ତି । ଚନ୍ଦନଯାତ୍ରା (୪୨ ଦିନ) ସମୟରେ ପ୍ରତ୍ୟେକ ଦିନ ଫୁଲର ଅଳକା ଓ ଚଉସରା ଯୋଗାନ୍ତି । ବନକଲାଗି ସମୟରେ ରତ୍ନସିଂହାସନ ମାର୍ଜନା କରାନ୍ତି । ସ୍ନାନ ପୂର୍ଣ୍ଣମୀରେ ଜଳ ଅଧିବାସ କରାନ୍ତି । ଅନବସର ବେଳେ ଦ୍ୱିପ୍ରହର ଧୂପରେ ମଇଲମଭୋଗ (ଧୁଆମୁଗ ଓ ନଡ଼ିଆଖଣ୍ଡ) ଯୋଗାନ୍ତି । ଅଗ୍ନି ଉତ୍ସବ ନୀତିରେ ଦୋଳଗୋବିନ୍ଦଙ୍କର ପନ୍ତିଭୋଗ କରାନ୍ତି । ଶ୍ରୀମନ୍ଦିର କୋଠଭୋଗ ଦୈନିକ ଓ ପର୍ବଯାତ୍ରା ଖେଇ ପାଆନ୍ତି । ଦେବୋତ୍ତର କମିଶନରଙ୍କ ପରିଚାଳନାଧୀନ ।

  • ଚାଉଳିଆ ମଠ

⁠ମହନ୍ତ ଉପଚାର ଚାମର ସେବା କରିପାରିବେ । ଠାକୁରମାନଙ୍କୁ “ଚାଉଳିଆ’ ଫଳ ଯୋଗାଉଥିଲେ । ଏବେ କେହି ମହନ୍ତ ନାହାନ୍ତି । ଏବେ ଏହି ମଠ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଅଛି ।

  • ଶଙ୍କରାନନ୍ଦ ମଠ

⁠ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ମହନ୍ତଙ୍କର କେତେକ ବ୍ୟକ୍ତିଗତ ସେବା ଅଧିକାର ଅଛି । ଏହି ମଠର ମହନ୍ତ ଶ୍ରୀଲୋକନା ମନ୍ଦିରର ମ୍ୟାନେଜର ଦାୟିତ୍ୱରେ ଥିଲେ । ଶ୍ରୀମନ୍ଦିରରେ ଚୁଲା ଓ ସରଘର ଅଛି । ଦୈନିକ ଖେଇ ପାଆନ୍ତି । ମଠର ସ୍ୱାମୀ ବା ମହନ୍ତ ଦଣ୍ଡ ଧରି ଶ୍ରୀମନ୍ଦିରକୁ ଯାଇପାରିବେ ଓ ମନ୍ଦିର ବେଢ଼ାରେ ଆସନ ପକାଇ ବସିପାରିବେ । ମୁକ୍ତିମଣ୍ଡପରେ ମଧ୍ୟ ବସିପାରିବେ । ଭୁବନେଶ୍ୱରରେ ଏହି ମଠର ଏକ ଶାଖା ଅଛି ।

  • ଗଙ୍ଗାମାତା ମଠ

⁠ମଠର ମହନ୍ତ ଅଣସର ପିଣ୍ଡିରେ ଉପଚାର ଚାମର ସେବା କରିପାରିବେ । ଆଲଟ ସେବା ମଧ୍ୟ କରିପାରିବେ । କାର୍ତ୍ତିିକ ମାସରେ ବାଳଭୋଗ କରାନ୍ତି । ଦୈନିକ ଓ ପର୍ବପର୍ବାଣିରେ ଖେଇ ପାଆନ୍ତି । ଦେବୋତ୍ତର କମିଶନରଙ୍କ ପରିଚାଳନାଧୀନ ।

  • ମଙ୍ଗୁ ମଠ

⁠ପୂର୍ବେ ଅମୃତମଣୋହି ଭୋଗ କରାଉଥିଲେ । ଏହି ମଠ ଦେବୋତ୍ତର ବିଭାଗ ନିୟନ୍ତ୍ରଣରେ ଅଛି । ମହାନବମୀ ରାତିରେ ବିମଳାଙ୍କ ଠାରେ ପଶୁବଳି ପାଇଁ ଗୋଟିଏ ମେଣ୍ଢା ଯୋଗାନ୍ତି ।

  • ରାଧାବଲ୍ଲଭ ମଠ

⁠ମହନ୍ତ ଉପଚାର ଚାମର ଓ ଆଲଟ ସେବା କରିପାରିବେ । ମଶାଲ ପାଆନ୍ତି । ଦେବୋତ୍ତର ବିଭାଗ ଅଧୀନସ୍ଥ ।

  • ଲବଣିଖିଆ ମଠ

⁠ଭାଦ୍ର ମାସ କାଳୀୟଦଳନ ଏକାଦଶୀ ଦିନ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ମଦନମୋହନ ଏହି ମଠକୁ ବିଜେ ହୁଅନ୍ତି । ପନ୍ତିଭୋଗ କରାନ୍ତି ।

  • ଛାଉଣୀ ମଠ

⁠ମହନ୍ତଙ୍କର ଚାମର ଓ ଆଲଟ ସେବା ଅଛି । ବିଜୟାଦଶମୀ ଦିନ ନୀଳଚକ୍ରରେ ଏକ ବଡ଼ ପତାକା ବାନ୍ଧିବା ବିଧି ଥିଲେ ବି ଏବେ କରୁନାହାନ୍ତି ।

  • ଝାଡ଼ୁ ମଠ

⁠ଶ୍ରୀମନ୍ଦିରର ଜଗମୋହନ ପ୍ରତ୍ୟହ ଝାଡୁ କରାନ୍ତି । ପୂର୍ବେ ଏହି ମଠ ଶ୍ରୀମନ୍ଦିରରେ ପ୍ରତ୍ୟହ ସବୁ ଧୂପବେଳେ ଟେରା ପଡିଲେ ସର୍ବସାଧାରଣ ଓ ମଠମାନଙ୍କ ଅବଗତି ପାଇଁ ଝାଞ୍ଜ ବଜାଉଥିଲେ । ଝାଞ୍ଜ ଜଗମୋହନରୁ ବାହାରି ବଟଗଛ, ମୁକ୍ତିମଣ୍ଡପ, ବିମଳା ଓ ଲକ୍ଷ୍ମୀ ମନ୍ଦିର ଦେଇ ଗରୁଡ଼ ଖମ୍ବ ପାଖକୁ ଆସେ । ଏହି ମଠ ଝାଞ୍ଜପିଟା କରୁନାହାନ୍ତି ।

  • ପାପୁଡ଼ିଆ ମଠ

⁠ମହନ୍ତଙ୍କର ଆଲଟ ଚାମର ସେବା ଅଧିକାର ଅଛି । ଦୈନିକ ବଲ୍ଲଭରେ ପାପୁଡ଼ି ଭୋଗ କରିବା ବିଧି ଅଛି ।

  • ରାଜଗୋପାଳାଚାରୀ, ଭେଙ୍କଟାଚାରୀ ଓ ନରସିଂହ ଆଚାରୀ ମଠ

⁠ଏହି ମଠ ମହନ୍ତମାନଙ୍କର ଚାମର ସେବା ଅଧିକାର ଅଛି । ପୂର୍ବେ ଅମୃତମଣୋହି ଭୋଗ କରାଉଥିଲେ । ବିଜେ ପ୍ରତିମାମାନଙ୍କର ପନ୍ତିଭୋଗ କରାନ୍ତି ।

  • ନେବଳ ଦାସ ମଠ

⁠ମହନ୍ତ ଚାମର ସେବା କରିପାରିବେ । ବିଜେ ପ୍ରତିମାମାନଙ୍କର ପନ୍ତିଭୋଗ କରାନ୍ତି । ଅମୃତମଣୋହି ଭୋଗ କରାଇ ବ୍ରାହ୍ମଣ ପଣ୍ଡିତମାନଙ୍କୁ ଖଇରାତ (ବଣ୍ଟନ) କରନ୍ତି ।

  • ଦେବଗିରି ମଠ

⁠ମଠ ମହନ୍ତ ଅମୃତମଣୋହି ଭୋଗ କରାଇ ଖଇରାତ କରାନ୍ତି ।

  • ପିପିଲି ସଦାବର୍ତ୍ତ ମଠ

⁠ମହନ୍ତଙ୍କ ଚାମର ସେବା ଅଛି । ପୂର୍ବେ ମହାପ୍ରସାଦ ସଦାବର୍ତ୍ତ କରାଉିଲେ, ଏବେ କରୁନାହାନ୍ତି ।

  • ସମାଧି ମଠ, ରାମଜୀ ମଠ, ରାମଚନ୍ଦ୍ର ବ୍ରହ୍ମଚାରୀ ମଠ, ବଳରାମ କୋଟ ମଠ, ସୁନ୍ଦରଦାସ ମଠ, ବଡ଼ସନ୍ଥ ମଠ, ସିଦ୍ଧ ବକୁଳ ମଠ 

⁠ଜଗନ୍ନାଥଙ୍କର ଅମୃତମଣୋହି ପାଇଁ ଏହି ମଠମାନଙ୍କର ଜମି ଖଞ୍ଜା ଅଛି । ବର୍ତ୍ତମାନ ଅମୃତମଣୋହି ଓ ସଦାବର୍ତ୍ତ କରୁନାହାନ୍ତି । ବଲ୍ଲଭ ଭୋଗ କରିବା ଓ ଚାମର ସେବା ବିଧି ଥିଲେ ବି ଏବେ କରୁନାହାନ୍ତି ।

  • ସାନଛତା ମଠ, ନୂଆ ମଠ

⁠ମଠର ମହନ୍ତମାନେ ଶ୍ରୀମନ୍ଦିରରେ ଚାମର ସେବା କରିପାରିବେ ।

  • ⁠ମହାନନ୍ଦ ବନଗୋସ୍ୱାମୀ ମଠ, ରାମତାରକ ମହେଶ୍ୱରାନନ୍ଦ ମଠ, ମଧୁସୂଦନ ଦାସ ମଠ, କଣାସ ମଠ, ହରିଡ଼ାଖଣ୍ଡି ମଠ, ଦିଲ୍ଲୀ ବାଳକ ରାମ ଦାସ ମଠ, ଅଷ୍ଟଗ୍ରାସୀ ମଠ, କଉଶଲ୍ୟା ମଠ, ନିରାଲମ୍ବୀ ଆଖଡ଼ା ମଠ

⁠ମହନ୍ତମାନେ ଚାମର ସେବା ଓ ଅମୃତମଣୋହି ଭୋଗ କରିବା କା; କିନ୍ତୁ ଏବେ କରୁନାହାନ୍ତି । ଦିଲ୍ଲୀ ବାଳକ ରାମଦାସ ମଠ ଶ୍ରୀମନ୍ଦିର ପ୍ରଶାସନର ପ୍ରଦତ୍ତ ସମ୍ପତ୍ତି । ଏହାର କେହି ମହନ୍ତ ନାହାନ୍ତି ।

⁠ଉପରେ ବର୍ଣ୍ଣିିତ କେତୋଟି ମଠ ବ୍ୟତୀତ ନିମ୍ନଲିଖିତ କେତୋଟି ମଠ ତରଫରୁ ବିଜେ ଠାକୁରମାନଙ୍କର ପନ୍ତି କରାଯାଏ । ସେମାନେ ହେଲେ- ଜଟିଆ ବାବାଜି ମଠ, ଚିକିଟି ମଠ, କୋଠଭୋଗ ମଠ, ସଂକ୍ରାନ୍ତି ମଠ, କେନ୍ଦୁଝର ମଠ, ସୁନାର ଗୌରାଙ୍ଗ ମଠ, ଆଉଲା ମଠ, ଘୁମୁସର ମଠ, ଖଡାଖିଆ ମଠ, ନାଗା ମଠ, ଗୌରୀ ମଠ, ଦର୍ପଣୀ ମଠ ଇତ୍ୟାଦି ।

  • ଝାଞ୍ଜପିଟା ମଠ

⁠ଏହି ମଠ ତରଫରୁ ଭିତରବେଢ଼ା ଉତ୍ତର ଦ୍ୱାର ନିକଟସ୍ଥ ଗୌରାଙ୍ଗ ମହାପ୍ରଭୁଙ୍କର ପାଦପଦ୍ମ ସେବା କରାଯାଏ । ଝାଞ୍ଜପିଟା ମଠର ବାବାଜି ପ୍ରତ୍ୟହ ପାଦପଦ୍ମରେ ପାଣି ଦିଅନ୍ତି ।
⁠ଏହି ମଠର ନାମକରଣରୁ ସନ୍ଦେହ ହୁଏ ଯେ ବୋଧହୁଏ ଅତୀତରେ ଶ୍ରୀମନ୍ଦିରର ବିଭିନ୍ନ ଧୂପ ଟେରା ପଡିଲେ ଏହି ମଠ ଝାଞ୍ଜପିଟା କରାଉùଲେ । ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ୱଲିପି (ରେକଡର଼୍ଅ ଫ୍‍ ରାଇଟ୍‍ସ୍‍)ରେ ଉଲ୍ଲେଖ ଅଛି ଯେ, ଝାଡୁ ମଠ ସବୁ ଧୂପରେ ଝାଞ୍ଜପିଟା କରାଏ । କିନ୍ତୁ ଏହା ଠିକ୍‍ ନୁହେଁ । ସଂପ୍ରତି ଜନୈକ ଭକ୍ତ ଭଜନି ଦାସ ବାବାଜି ଝାଞ୍ଜ ପିଟା କାର୍ଯ୍ୟ କରୁଛନ୍ତି ।
⁠ଶ୍ରୀଜଗନ୍ନାଥ ମନ୍ଦିରର ସେବାପୂଜା ବା ନୀତି ସହିତ ସଂପୃକ୍ତ କୌଣସି ମଠ କିମ୍ବା ଅନୁଷ୍ଠାନରୁ ଜଣେ ପ୍ରତିନିଧି ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫, ଧାରା ୬ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭ୍ୟ ରୂପେ ରାଜ୍ୟସରକାରଙ୍କଦ୍ୱାରା ମନୋନୀତ ହୁଅନ୍ତି ।
⁠ଶ୍ରୀମନ୍ଦିର ନୀତି ସହିତ ସଂପୃକ୍ତ ଅନେକ ମଠ ଏବେ ଆଉ ନିଷ୍ଠାପର ଭାବେ ସେବା ଦାୟିତ୍ୱ ତୁଲାଉ ନାହାନ୍ତି । ମଠର ମହନ୍ତମାନେ ମହାନାୟକ ଶାଢ଼ି ବନ୍ଧାଇବା ପରେ ଆଲଟ ଚାମର କରିବା ସେବା ନିୟମ ଅଛି । କିନ୍ତୁ ଅନେକ ମହନ୍ତ ଶାଢ଼ି ବନ୍ଧାଇ ନାହାନ୍ତି କିମ୍ବା ଏହି ସେବା କରୁ ନାହାନ୍ତି । ମହନ୍ତମାନଙ୍କ ପରଲୋକ ହେଲେ ଶ୍ରୀମନ୍ଦିର ରୋଷରୁ ବୈଷ୍ଣବାଗ୍ନି ପ୍ରଦାନ କରାଯାଏ ।
⁠ପୂର୍ବେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଅମୃତ ମଣୋହି ଭୋଗ ପାଇଁ ବିଭିନ୍ନ ମଠମାନଙ୍କୁ ରୋଷ ଚୁଲି ହସ୍ତାନ୍ତର କରାଯାଇିଲା । ବର୍ତ୍ତମାନ ଉକ୍ତ କାର୍ଯ୍ୟ କେତେକ ମଠ କରୁନାହାନ୍ତି । କେତେକ ମଠ ସେମାନଙ୍କର ନାମରେ ଥିବା ରୋଷ ଚୁଲିମାନ ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସୂପକାରମାନଙ୍କୁ ହସ୍ତାନ୍ତର କରିଛନ୍ତି ।
⁠ଠାକୁରମାନଙ୍କର ଯାନିଯାତ୍ରାର ବ୍ୟୟ ନିର୍ବାହ ତା ଅମୃତ ମଣୋହି ନିମନ୍ତେ ପୂର୍ବେ ବହୁ ରାଜା, ଜମିଦାର ଓ ଧନୀବ୍ୟକ୍ତି ମଠମାନଙ୍କୁ ବହୁ ଭୂ-ସମ୍ପତ୍ତି ଦାନ କରିିଲେ । ଖୋର୍ଦ୍ଧାର ରାଜାମାନେ ବହୁ ଜମି ଦାନ କରିିଲେ । ଅମୃତମଣୋହି ଜମି ସଂପର୍କରେ ପୁରୀଜିଲ୍ଲା ଗେଜେଟିଅରରେ ଉଲ୍ଲେଖ ଅଛି-⁠ଜମିଦାରୀ ଉଚ୍ଛେଦ ପରେ ମଠମାନଙ୍କର ଆର୍ଥିକ ପରିସ୍ଥିତିର ଅବନତି ହୋଇଛି ବୋଲି କୁହାଯାଏ । ପ୍ରତ୍ୟେକ ମଠର ସଂକ୍ଷିପ୍ତ ଇତିହାସ, ଆର୍ଥିକ ପରିସ୍ଥିତି ଓ ଧାର୍ମିକ ପରଂପରା ଆଦି ଆଲୋଚନା କଲେ ଏହି ପ୍ରବନ୍ଧର କଳେବର ଅତି ଦୀର୍ଘ ହୋଇଯିବ । ⁠ପୁରୀ ବାହାରେ ଥିବା ମଠମାନଙ୍କ ମଧ୍ୟରୁ କାକଟପୁର ମଙ୍ଗଳାଠାକୁରାଣୀଙ୍କ ନିକଟସ୍ଥ ଦେଉଳି ମଠର ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ନୀତି ସହିତ ନିବିଡ଼ ପାରମ୍ପରିକ ସଂପର୍କ ରହିଛି । ନବକଳେବର ବନଯାଗ ପାଇଁ ପୁରୀରୁ ଦଇତାପତି ଓଗେର ବାହାରି ଉକ୍ତ ମଠରେ କିଛିଦିନ ଅବସ୍ଥାନ କରନ୍ତି ।
⁠ଏହି ସବୁ ମଠମାନଙ୍କ ପରି ଶ୍ରୀଜଗନ୍ନା ମନ୍ଦିର ବେଢ଼ା ବାହାରେ ଥିବା ପୁରୀରେ ଓ ପୁରୀ ବାହାରେ ଅବସ୍ଥିତ କେତେକ ଆଶ୍ରମ ଓ ମନ୍ଦିରମାନଙ୍କରେ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ଓ ଯାନିଯାତ୍ରା ନୀତି ସହ ପାରମ୍ପରିକ ସମ୍ପର୍କ ରହିଅଛି ।

Leave A Reply

Your email address will not be published.