ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆସନ୍ତାକାଲି ଏହାର ସୌନ୍ଦର୍ଯ୍ୟ ଦେଖିବ ଦୁନିଆ । ଏହା ପୂର୍ବରୁ ଆଜି ବସୁଛି ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏଥିରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପକରେ ଆଲୋଚନା ହେବ ।  ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ, ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀମାର୍ଗ, ପରିକ୍ରମା ମାର୍ଗ ଏବଂ ଯଜ୍ଞସ୍ଥଳ କାମ ସରିବା ଉପରେ। ଗୁରୁବାର ସବୁ କାମ ଶେଷ ହେବ। ଗୁରୁବାର ରାତି ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ନିର୍ମାଣ ସଂସ୍ଥା। ସମସ୍ତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର। ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ଟି ବସରେ ଲୋକଙ୍କୁ କାର୍ଯ୍ୟକ୍ରମକୁ ଅଣାଯିବ । କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ହେଲିପ୍ୟାଡ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ପ୍ରକଳ୍ପ ଉଦଘାଟନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ୫୦ ପ୍ଲାଟୁନରୁ ଅଧିକ ଫୋର୍ସ ଓ ୩୦ରୁ ଅଧିକ ଅଫିସର ମୁତୟନ ହେବେ । ପ୍ରାୟ ୯ଟି କୋଠା ଉପରେ ପୋଲିସ ଫୋର୍ସ ବାଇନାକୁଲାର ଧରି ମୁତୟନ ରହିବେ । ଏହି ଟିମ୍ ସହରର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିବେ । ସେହିପରି ସାଦା ପୋଷାକରେ ମଧ୍ୟ ପୋଲିସର ଗୁଇନ୍ଦା ଟିମ୍ ଜନଗହଳି ଅଂଚଳରେ ପଇଁତରା ମାରିବେ ।

ସେପଟେ ଖୁବଶୀଘ୍ର ସବୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍। ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁ ବିନା ବାଧାରେ କିପରି ପୁରୀ ଆସିପାରିବେ ସେନେଇ ମୁଖ୍ୟମନ୍ତ୍ରୀ ଏହି ବସ୍ ସେବା ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଖୁବଶୀଘ୍ର ଶୁଭାରମ୍ଭ କରିବେ। ରାଜ୍ୟରେ ୬୦ଟି ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍‌ ଗଡ଼ିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର।

Leave A Reply

Your email address will not be published.