ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଦୁଙ୍କ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୩୪ ବର୍ଷ ପୂର୍ବେ ରାସ୍ତା ଉପରେ ଜଣେ ବୃଦ୍ଧଙ୍କୁ ମାଡ଼ ମାରି ଘଟଣାସ୍ଥଳରୁ ଫେରାର ହେବା ଓ ପରେ ବୃଦ୍ଧଙ୍କ ମୃତ୍ୟୁ ହେବା ମାମଲାରେ ସିଦ୍ଦୁଙ୍କୁ ଜେଲ ଦଣ୍ଡ ଦେଇଛନ୍ତି ସୁପ୍ରିମକୋର୍ଟ। ୧୫ ମେ’, ୨୦୧୮ରେ ୧,୦୦୦ଟଙ୍କା ଜରିମାନା ଦେବାକୁ କହି ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଛାଡ଼ିଦେଇଥିବା ବେଳେ ପୀଡ଼ିତଙ୍କ ପରିବାର ପୁର୍ନବିଚାର ପାଇଁ ଆବେଦନ କରିବା ପରେ ଏବେ କୋର୍ଟ ନିଜ ରାୟକୁ ବଦଳାଇ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଜଷ୍ଟିସ ଏଏମ ଖାନୱିଲକର ଏବଂ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ତେବେ କୋର୍ଟଙ୍କ ରାୟ ମୁତାବକ ୧ବର୍ଷ ଜେଲରେ ରହିବେ ସିଦ୍ଦୁ।
ସୂଚନାଯୋଗ୍ୟ, ଡିସେମ୍ବର ୨୭, ୧୯୮୮ ରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁ ପଟିଆଲାର ଶେରାନୱାଲା ଗେଟ୍ କ୍ରସିଂ ନିକଟ ରାସ୍ତା ମଝିରେ ନିଜ କାର ପାର୍କ କରିଥିଲେ। ଏହି ସମୟରେ ୬୫ ବର୍ଷିୟ ଗୁରୁନାମ ସିଂ ନିଜ କାର ନେଇ ସେହି ବାଟ ଦେଇ ଯାଉଥିବା ବେଳେ ରାସ୍ତା ମଝିରେ କାର ଥିବା ଦେଖି ସିଦ୍ଦୁଙ୍କୁ କାର ହଟାଇବାକୁ କହିଥିଲେ। ଏହା ଶୁଣି ସିଦ୍ଦୁ ଏବଂ ତାଙ୍କ ବନ୍ଧୁ ଗୁରୁନାମଙ୍କୁ ମାଡ଼ ମାରିଥିଲେ। ପରେ ଗୁରୁନାମଙ୍କ ମୃତ୍ୟୁ ହୋଇଥିଲା।