ଗ୍ରୀଷ୍ମ ପ୍ରବାହରୁ ମିଳିପାରେ ଆଶ୍ବସ୍ତି
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତାତିରୁ ମିଳିପାରେ ଆଶ୍ବସ୍ତି । ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଘର ବାହାରିବା କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ଆଶ୍ୱସ୍ତି କର ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଆଜିଠୁ ରାଜ୍ୟବାସୀଙ୍କୁ ମିଳିପାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି।
ରାଜ୍ୟରେ ପାଗରେ ପରିବର୍ତ୍ତନ ନେଇ ପୂବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର | ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି। ୭ ତାରିଖରୁ ବଢିବ ବର୍ଷା ବିସ୍ତୃତି। ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ଆଜି ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଗଂଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଉତ୍ତର ଉପକୂଳ ଓଡ଼ିଶା-ପାଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ରହିବା ସମ୍ଭାବନା ରହିଛି।
ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ପାଣିପାଗ ବିଭାଗ ରେକର୍ଡ କହୁଛି, ଗତ ୧୫ ବର୍ଷରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ୨୦୧୦ରେ ଏପ୍ରିଲ ମାସରେ ୨୩ ଦିନ ଦୁଇଟି ଅବଧିରେ ଅନୁଭୂତ ହୋଇଥିଲା। କିନ୍ତୁ ୨୦୧୬ରେ ଲଗାତର ଭାବେ ୨୧ ଦିନ ଅର୍ଥାତ୍ ୧୦ ଏପ୍ରିଲରୁ ୩୦ ଏପ୍ରିଲ ଯାଏଁ ରହିଥିଲା ଗ୍ରୀଷ୍ମପ୍ରବାହ।