ଓଡ଼ିଆ ନ୍ୟୁଜ୍: STF ଖୋଲିଲା ଆନ୍ତଃରାଜ୍ୟ ଡ୍ରଗ୍ସ ନେଟୱର୍କ। ଓଡ଼ିଶାରୁ ରାଜସ୍ଥାନ ପର୍ଯ୍ୟନ୍ତ ରାଜପଥରେ ହେଉଥିଲା କୋଟି କୋଟି ଟଙ୍କାର ଗଞ୍ଜେଇ କାରବାର । ପରଦା ପଛରୁ ଆନ୍ତଃରାଜ୍ୟ ଡ୍ରଗ୍ସ ସିଣ୍ଡିକେଟ୍ ଅପରେଟ୍ କରୁଥିଲେ । ଗଞ୍ଜେଇ କାରବାର ହେଉଥିବା ନେଇ ଏସ୍ଟିଏଫ୍ ସୁରାକ୍ ପାଇଥିଲା। ଯାହାପରେ ପୂରା ନେଟ୍ୱର୍କକୁ ଧ୍ୱଂସ କରିବା ପାଇଁ ଏସ୍ଟିଏଫ୍ ଡାଟା ଡ୍ରିଭେନ୍ ଟାର୍ଗେଟିଂ ଅଭିଯାନ ଆରମ୍ଭ କରିଥିଲା। ଏପ୍ରିଲ ୧୮ ତାରିଖରେ ଏସ୍ଟିଏଫ୍ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟ ପିତାପଲ୍ଲୀ ଅଞ୍ଚଳରୁ ୨୨୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଭର୍ତ୍ତି କଣ୍ଟେନର ଜବତ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ରାଜସ୍ଥାନର ପାରସ ନାଥଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ତଦନ୍ତ ସେଠାରେ ଅଟକି ନଥିଲା। ପୋଲିସ ଗୁଜରାଟ ଓ ରାଜସ୍ଥାନ ଯାଇ ସୁରାକ୍ ପାଇଥିଲା ।
ଓଡ଼ିଶାରୁ ମିଳିଥିବା ପ୍ରମାଣ, ଟେକ୍ନିକାଲ ଆନାଲିସିସ ଏବଂ ଫିଲ୍ଡ ଇଣ୍ଟେଲିଜେନ୍ସ ଆଧାରରେ ଏସ୍ଟିଏଫ୍ ଟିମ୍ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗଞ୍ଜାମର ଶିବରାମ ବିଶ୍ୱାଳ, ଶିବରାମ ପାତ୍ର ଓ କଣା ମିଟୁ ଓରଫ ମନୋରଞ୍ଜନ ସାବତଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ ଶିବରାମ ବିଶ୍ୱାଳଙ୍କ ଘରୁ ୩ ଲକ୍ଷ ୮୬ ହଜାର ନଗଦ ଟଙ୍କା, ମୋବାଇଲ ଫୋନ ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ ହୋଇଛ । ତେବେ ଏହି ଟଙ୍କା ଡ୍ରଗ୍ସ କାରବାରର ଆୟ ଥିଲା କି ଏହା ପଛରେ ଆଉ କିଛି ଅପରାଧିକ ମାମଲା ଜଡ଼ିତ ଅଛି, ତାହାର ଖୋଳତାଡ଼ କରୁଛି ଟିମ୍ । ତଦନ୍ତରେ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବ୍ୟବସାୟିକ ପରିମାଣର ଗଞ୍ଜେଇ ସଂଗ୍ରହ କରି ରାଜସ୍ଥାନ ସମେତ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିଲା । ଏବେ ଏହି ଗ୍ୟାଙ୍ଗର ଆର୍ଥିକ କାରବାର, ସମ୍ପତ୍ତି ଓ ନେଟୱର୍କରେ ସାମିଲ ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରିବାକୁ ଜୋରଦାର ତଦନ୍ତ ଚାଲିଛି ।