ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ: ୨୩,୫୩୬ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ୪୫.୭୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନ

0

ଓଡ଼ିଆ ନ୍ୟୁଜ୍: ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ୨୩,୫୩୬ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ୪୫.୭୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ମିସନ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ‘ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୩୩୦ ଜଣ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟାଙ୍କ କରକମଳରେ ୨,୮୮,୧୯୮ ଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୪୭.୭୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ଏହି ସ୍ୱତନ୍ତ୍ର ଉତ୍ସବ ଅବସରରେ ୨୬ଟି ଜିଲ୍ଲାର ୨୩,୫୩୬ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ୪୫.୭୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି (Revolving Fund) ପ୍ରଦାନ କରାଯାଇଛି, ଯେଉଁଥିରେ ଖୋର୍ଦ୍ଧାର ମା ମଙ୍ଗଳା ଓ ଶ୍ରୀରାମ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଯଥାକ୍ରମେ ୩୦,୦୦୦ ଟଙ୍କାର ଚେକ୍ ମାନ୍ୟବର ମନ୍ତ୍ରୀଙ୍କ କରକମଳରୁ ସାକ୍ଷାତ ଭାବେ ଗ୍ରହଣ କରିଛନ୍ତି।

ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଂଗଠିତ କରିବା ପାଇଁ ୨୭ଟି ଜିଲ୍ଲାର ୬୨୪ଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ (GPLF) କୁ ୧୮୯.୫୭ କୋଟି ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି (Community Investment Fund) ପ୍ରଦାନ କରାଯାଇଛି, ଯେଉଁଥିରେ ପୁରୀର ଅଭୟମୁଖୀ ଓ ଗୁଆଳିପଡା ଗ୍ରାମପଞ୍ଚାୟତସ୍ତରୀୟ ସଂଘର ମା’ମାନେ ଯଥାକ୍ରମେ ୩୫ ଲକ୍ଷ ଟଙ୍କାର ଚେକ୍ ସିଧାସଳଖ ଭାବରେ ପାଇଛନ୍ତି। ଏହା ବ୍ୟତୀତ, ୧୫ଟି ଜିଲ୍ଲାର ୬୫୬ଟି ଆଞ୍ଚଳିକ ମହାସଂଘ (ALF) କୁ ୯.୬୪ କୋଟି ଟଙ୍କାର ନିରାପତ୍ତା ପାଣ୍ଠି (Vulnerability Reduction Fund) ମଧ୍ୟ ପ୍ରଦାନ କରାଯାଇଛି, ଯେଉଁଥିରେ ଯାଜପୁରର ରାମପୁର ଓ ଜହ୍ନା ଆଞ୍ଚଳିକ ମଞ୍ଚର ମା’ମାନେ ଯଥାକ୍ରମେ ୧.୫୦ ଲକ୍ଷ ଟଙ୍କାର ଚେକ୍ ନିରାପତ୍ତା ପାଣ୍ଠି ବାବଦକୁ ପ୍ରତ୍ୟକ୍ଷ ଭାବରେ ଗ୍ରହଣ କରିଛନ୍ତି। ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସମ୍ମିଳନୀର ଉଦ୍ଘାଟନ କରି କହିଥିଲେ ଯେ, ଓଡ଼ିଶା ସରକାର ୨୦୩୬ ସୁଦ୍ଧା ରାଜ୍ୟକୁ ଏକ ସମୃଦ୍ଧ ଓ ବିକଶିତ ଅର୍ଥନୀତିରେ ପରିଣତ କରିବାର ସଂକଳ୍ପ ନେଇଛନ୍ତି, ଯେଉଁଥିରେ ମହିଳାମାନେ ପରିବର୍ତ୍ତନର ପ୍ରମୁଖ ବାହକ ଅଟନ୍ତି।

ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଆତ୍ମନିର୍ଭରଶୀଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ହୋଇଥିବା ବେଳେ, ରାଜ୍ୟ ସରକାର ନିର୍ଦ୍ଧାରିତ ସମୟର ୧ ବର୍ଷ ପୂର୍ବରୁ ହିଁ ୨୫ ଲକ୍ଷର ମାଇଲଖୁଣ୍ଟ ଅତିକ୍ରମ କରି ବର୍ତ୍ତମାନ ଲକ୍ଷପତି ଦିଦିଙ୍କ ସଂଖ୍ୟାକୁ ୨୬,୩୯,୯୦୯ରେ ପହଞ୍ଚାଇ ପାରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ଓଡ଼ିଶା ଭିଜନ–୨୦୩୬ରେ ମହିଳାଙ୍କ ଭୂମିକା, ଲକ୍ଷପତି ଦିଦି, ମହାଲକ୍ଷପତି ଦିଦି ଓ କୋଟିପତି ଦିଦି ସୃଷ୍ଟି, ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ, ପ୍ରଡ୍ୟୁସର ଗ୍ରୁପ୍ ଓ ପ୍ରଡ୍ୟୁସର କମ୍ପାନୀର ପ୍ରୋତ୍ସାହନ, ବଜାର ସଂଯୋଗ, ଆର୍ଥିକ ସହାୟତା ଏବଂ ବିଭିନ୍ନ ଜିଲ୍ଲାର ସଫଳ ଉଦ୍ୟୋଗର ଅନୁଭୂତି ବିନିମୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

Leave A Reply

Your email address will not be published.