ଲୋକସଭା ସାଂସଦ ଭାବେ ନିର୍ବାଚନୀ ମଇଦାନରେ ହେଭିୱେଟ ସୁଦାମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଏଥର ମୟୁରଭଞ୍ଜ ଲୋକସଭା ସଂସଦୀୟ କ୍ଷେତ୍ରରେ ହେବ ସୁଦାମ ଓ ନବ ଲଢେଇ। ହେଭିୱେଟ ନେତା ସୁଦାମ ମାରାଣ୍ଡିଙ୍କୁ ବିଜୁ ଜନତା ଦଳ ମୟୁରଭଞ୍ଜ ଜିଲ୍ଲା ଲୋକସଭା(ସଂରକ୍ଷିତ) ଆସନରୁ ସାଂସଦ ପାର୍ଥି କରିଥିବା ବେଳେ ନବ ଚରଣ ମାଝୀଙ୍କୁ ଭାରତୀୟ ଜନତା ପାର୍ଟି ସାଂସଦ ପାର୍ଥି କରିଛି। ଉଭୟ ଦଳଙ୍କ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲ୍ଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମନ୍ତ୍ରୀ ତଥା ହେଭିୱେଟ ନେତା ସୁଦାମ ମାରାଣ୍ଡି ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଘରେ ଘରେ ବେଶ ପରିଚିତ। ଆଦିବାସୀ ନେତା ଭାବେ ଜିଲ୍ଲାବ୍ୟାପି ତାଙ୍କର ସୃଦୁଢ଼ ସଙ୍ଗଠନ ରହିଛି। ସୁଦାମ ମାରାଣ୍ଡିଙ୍କ ଛାତ୍ର ଜୀବନରୁ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବେ ୧୯୯୦-୯୫ ପର୍ଯ୍ୟନ୍ତ ପ୍ରଥମ ବିଧାୟକ ହୋଇ ବିଧାନସଭାରେ ପାଦ ଥାପିଥିଲେ।

ଏଥିପରେ ତତ୍କାଳୀନ କୁଳିଅଣା ନିର୍ବାଚନ ମଣ୍ଡଳୀରୁ ୧୯୯୫-୨୦୦୦ ଏବଂ ୨୦୦୦-୦୪ପର୍ଯ୍ୟନ୍ତ ଦୁଇ ଥର ବିଧାୟକ ରହିଥିଲେ। ଜେଏମଏମ ଦଳରୁ ୨୦୦୪-୦୯ପର୍ଯ୍ୟନ୍ତ ମୟୁରଭଞ୍ଜ ଲୋକସଭା ସାଂସଦ ରହିଥିଲେ। ଏଥିପରେ ସେ ବିଜେଡିରେ ଯୋଗଦାନ କରି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ୨୦୧୪-୧୯ ଏବଂ ୨୦୧୯-୨୪ ପର୍ଯ୍ୟନ୍ତ ଦୁଇ ଥର ବିଧାୟକ ହୋଇଥିଲେ। ବିଧାୟକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ କ୍ରୀଡା ଓ ଯୁବ ବ୍ୟାପାର, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଭାର ଗ୍ରହଣ କରି କାର୍ଯ୍ୟ ନିର୍ବାହ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଲୋକସଭା ନିର୍ବାଚନ ଲଢିବା ପାଇଁ ଟିକେଟ୍ ପ୍ରଦାନ ସହ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ସେବା ନିମନ୍ତେ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ତେବେ ଟିକେଟ ପାଇ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବା ପରେ ବିରାଟ ପଟୁଆରରେ ଜିଲ୍ଲାବ୍ୟାପି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ସେହିପରି ନବଚରଣ ମାଝି ଗତ ୨୦୧୯ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପିରୁ ପାର୍ଥି ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଏଥିପରେ ୨୦୨୪ରେ ବିଜେପି ଦଳ ପକ୍ଷରୁ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ବିଜେପି ପକ୍ଷରୁ ତାଙ୍କ ନାମ ଘୋଷଣା ହେବା ପରେ ଦଳୀୟ କର୍ମୀମାନଙ୍କ ଗହଣରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା ଜାରି ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ହୋଇଥିବାରୁ ମୟୂରଭଞ୍ଜ ଜିଲ୍ଲା ଲୋକସଭା ଆସନ ହାତେଇବା ନେଇ ବିଜେପି ସମେତ ବିଜେଡିର ଦୃଷ୍ଟି ରହିଛି। ରାଜନୀତି ମଇଦାନରେ ଟକ୍କର ଦେବାକୁ ଥ‌ିବା ଦୁଇ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଦଳୀୟ ରଣନୀତି ଆରମ୍ଭ ହୋଇଛି। ଭାଜପା ପକ୍ଷରୁ ରାଇରଙ୍ଗପୁର ବିଧାୟକ ନବଚରଣ ମାଝି ଓ ବିଜେଡି ପକ୍ଷରୁ ବାଙ୍ଗରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ସୁଦାମଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କାରଣ ମୟୁରଭଞ୍ଜ ଜିଲ୍ଲାରେ ସୁଦାମଙ୍କ ଭଳି ଟାଣୁଆ ନେତାଙ୍କ ସମ୍ମୁଖରେ ନବଚରଣଙ୍କ ଲୋକପ୍ରିୟତା କମ୍ ରହିଛି। କେବଳ ରାଷ୍ଟ୍ରପତିଙ୍କ ଜିଲ୍ଲା ଭାବେ ଜିଲାବାସୀଙ୍କ ଅନୁକମ୍ପା ଭୋଟ ହାତେଇବା ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଥିବା ଆଲୋଚନା ହେଉଛି।

 

Leave A Reply

Your email address will not be published.