ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୨ତାରିଖରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନା ପାଇଁ ହେବ ସର୍ଭେ ପ୍ରକ୍ରିୟା। ଘର ପାଇବାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ଆୱାସ ପ୍ଲସ୍ ମୋବାଇଲ ଆପ୍ ମାଧ୍ୟମରେ ଚିହ୍ନଟ କରିବାକୁ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ପ୍ରକ୍ରିୟା ଆରମ୍ଭ ପାଇଁ ପରାମର୍ଶ ଦିଆଯାଇଛି। ମୋବାଇଲ୍ ଆପ୍ଲିକେସନ ‘ଆୱାସ୍ ପ୍ଲସ୍’ ମାଧ୍ୟମରେ ସାନି ସର୍ଭେ କରି ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜାରି ରହିବ। ସଂଶୋଧିତ ସର୍ତ୍ତାବଳୀ ଆଧାରରେ ସାନି ସର୍ଭେରେ ଯେଭଳି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡ଼ିବେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି।
ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ଜାରି ଏସଓପିକୁ ପାଳନ କରିବାକୁ ମଧ୍ୟ ତାଗିଦ୍ କରାଯାଇଛି। ବିଭାଗ ପକ୍ଷରୁ ନଭେମ୍ବର ୨୭ ଓ ଡିସେମ୍ବର ୨୭ତାରିଖରେ ପ୍ରଧାନମନ୍ତ୍ରୀ-ଆବାସ ଯୋଜନାକୁ ନେଇ ଏସଓପି ଓ ସର୍ତ୍ତାବଳୀ ଜାରି କରାଯାଇଥିଲା। ଏହି ସର୍ଭେ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ମଧ୍ୟ ବିଭାଗ ପରାମର୍ଶ ଦେଇଛି। ବ୍ଲକ ଓ ଜିଲ୍ଲାସ୍ତରରେ ଉପଲବ୍ଧ ଥିବା ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ପ୍ରଶାସନିକ ପାଣ୍ଠିରୁ ଖର୍ଚ୍ଚ ତୁଲାଇବାକୁ କୁହାଯାଇଛି । ସବୁ ପଂଚାୟତରେ ମାଇକ୍ ଯୋଗେ ଘୋଷଣା କରାଯିବ। ରେକର୍ଡିଂ ହୋଇଥିବା ତଥ୍ୟ ରାଜ୍ୟ ସରକାର ଯୋଗାଇ ଦେବେ ଯାହାକୁ ମାଇକ୍ ଯୋଗେ ପ୍ରଚାର କରାଯିବ।