ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରସି ଇଂଜିନିୟରିଂର ଦାଦାଗିରି ବିରୁଦ୍ଧରେ ଯୋଡାସ୍ଥିତ ଟାଟାଷ୍ଟୀଲ୍ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା | କେତେବେଳେ ଅଧିକାରୀଙ୍କ ପାଇଁ ବଦନାମ୍ ହେଉଛି ତ କେତେବେଳେ ଠିକାଦାରଙ୍କ ପାଇଁ ବଦନାମ୍ ମୁଣ୍ଡାଉଛି ବିଶ୍ଵ ସ୍ତରୀୟ ଟାଟାଷ୍ଟିଲ କମ୍ପାନୀ। କମ୍ପାନୀର କିଛି ବରିଷ୍ଠ ଅଧିକାରୀଙ୍କୁ ସେଟିଂ କରି ଏହି ରକ୍ତ ପିପାସୁ ଠିକାଦାର ଶ୍ରମିକଙ୍କୁ ଶୋଷଣ କରୁଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି।
ସେହିପରି ପୁଣି ଏକ ଅଭିଯୋଗ ଆସିଛି ଟାଟାଷ୍ଟିଲର ଯୋଡ଼ା ଇଷ୍ଟ ଲୌହଖଣିରେ ନିୟୋଜିତ ଠିକା ସଂସ୍ଥା ଆରସି ଇଂଜିନିୟରିଂ ବିରୁଦ୍ଧରେ ଆଉ ଅଭିଯୋଗ କରିଛନ୍ତି ସେହି ଠିକା ସଂସ୍ଥାର କାର୍ଯ୍ୟରତ ଶ୍ରମିକମାନେ। ହକ ବାବଦକୁ କଥା ହେଲେ ଚାକିରି ଛାଡ଼ିବାକୁ ଧମକ ଦେଉଥିବା ବେଳେ କିପରି ଶ୍ରମିକଙ୍କ ସମସ୍ୟା ଟାଟାଷ୍ଟୀଲ୍ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖକୁ ନପହଞ୍ଚିବ ସେ ନେଇ ମଧ୍ୟ ନିଜ ଫିଲ୍ଡିଂ ବସେଇଛି ଏହି ଠିକା ସଂସ୍ଥା। ଏଣୁ ଆରସି ଇଂଜିନିୟରିଂର ଶ୍ରମିକ ଶୋଷଣ ନୀତି ସହ ଠିକା ସଂସ୍ଥାର ମ୍ୟାନେଜରଙ୍କ ଦାଦାଗିରିକୁ ବିରୋଧ କରି ଗୁରୁବାର ସକାଳୁ ଏହି ଶ୍ରମିକ ମାନେ ଯୋଡାସ୍ଥିତ ଟାଟାଷ୍ଟୀଲ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।
ଶ୍ରମିକଙ୍କ ଅଭିଯୋଗ ନେଇ ଆମ ପ୍ରତିନିଧି ଉକ୍ତ ଆରସି ଇଂଜିନିୟରିଂର ମ୍ୟାନେଜର ଶ୍ରୀନିବାସ ସାହୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ମାତ୍ର ସେ ଫୋନ୍ ଉଠାଇ ନ ଥିଲେ। ଅନ୍ୟ ପକ୍ଷରେ ଆଜି ଏହି ଠିକା ଶ୍ରମିକଙ୍କ ଅଭିଯୋଗକୁ ଗ୍ରହଣ କରି ଟାଟାଷ୍ଟିଲର ବରିଷ୍ଠ ଅଧିକାରୀ ତାଙ୍କ ସମସ୍ୟା ଉପରେ ତ୍ୱରିତ ପଦକ୍ଷେପ ନେବାକୁ ଆଶ୍ଵାସନା ତ ଦେଇଛନ୍ତି। ମାତ୍ର ଏହି ଆଶ୍ଵାସନା କାର୍ଯ୍ୟକାରୀ ହେବ ତ ? ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।