ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋମବାର ଦିନ ଜମ୍ମୁ-କଶ୍ମୀରର ଜମ୍ମୁ ଦାରବାର ନିକଟରେ ଥିବା ସଞ୍ଜୱାନ ସେନା ଶିବିର ଉପରେ ଆକ୍ରମଣ ଘଟିବାରୁ ଜଣେ ଯବାନ ଗୁରଚତ ଭାବେ ଆହତ ହୋଇଛନ୍ତି। ସେନା କ୍ୟାମ୍ପକୁ ଟାର୍ଗେଟ୍ କରି ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। କ୍ୟାମ୍ପ୍ର ସାଣ୍ଟ୍ରି ପୋଷ୍ଟ୍ ପାଖାପାଖି ଏହି ଆକ୍ରମଣ ଘଟିଥିବାର ସୂଚନା ରହିଛି। ଏହି ଆକ୍ରମଣ ପରେ ସଂପୃକ୍ତ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।
ସୂଚନା ମୁତାବକ, ଆଜି ସାକଳ ୧୧ଟାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ପାଖାପାଖି ୨୦୦ ମିଟର ଦୂରତାରୁ ଆତଙ୍କବାଦୀମାନେ ସେନା କ୍ୟାମ୍ପ ଉପରକୁ ଟାର୍ଗେଟ କରିଥିଲେ। ଫଳରେ ବୁଲେଟ୍ ସିଧାସଳଖ ଯାଇ ନିୟୋଜିତ ଥିବା ଜଣେ ଯବାନକୁ ମାଡ଼ ହୋଇଥିଲା। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି।
ସଂପୃକ୍ତ ଅଞ୍ଚଳକୁ ସିଲ୍ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଗତ ସପ୍ତାହରେ ଅଗଷ୍ଟ ୩୧ ତାରିଖରେ ଜମ୍ମୁ-କଶ୍ମୀରର ବନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି)ରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଥିଲା। ଆତଙ୍କବାଦୀଙ୍କ ଆନ୍ଦୋଳନ ପରେ ଆତଙ୍କବାଦୀ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା।