ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ- ସୁରକ୍ଷାକର୍ମୀ ମୁହାଁମୁହିଁ । ଦକ୍ଷୀଣ ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲା ରେଡଓ୍ୱାନୀ ପାୟିନ ଅଞ୍ଚଳରେ ଆତଙ୍କୀ- ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରିଥିଲେ।
ପ୍ରଥମେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ପରେ ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବ ଦେଇଥିଲେ। ସୋମବାର ବିଳମ୍ବିତ ରାତିରେ କୁଲଗାମରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀମାନଙ୍କୁ ଖବର ମିଳିଥିଲା । ଏହାପରେ ଉଭୟ ସେନା ଓ ସ୍ଥାନୀୟ ପୋଲିସଙ୍କ ଦ୍ୱାରା ଘଟଣାସ୍ଥଳରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଥିଲା । ଏବେସୁଦ୍ଧା ଆତଙ୍କବାଦୀ- ସୁରକ୍ଷାକର୍ମୀଙ୍କ ମଧ୍ୟ ଏନକାଉଣ୍ଟର ଜାରି ରହିଛି । କାଶ୍ମୀର ଜୋନ ପୋଲିସ ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛି ।
“କୁଲଗାମ ଜିଲ୍ଲା ରେଡଓ୍ୱାନୀ ପାୟିନ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି । ପୋଲିସ ଓ ସୁରକ୍ଷା କର୍ମୀ କାର୍ଯ୍ୟରେ ଲାଗିଛନ୍ତି ।” କିଛି ଦିନ ତଳେ ଜାମ୍ମୁ କାଶ୍ମୀରର ବାୟୁସେନା କନଭେୟ ଉପରେ ଆତଙ୍କୀ ହମଲା ହୋଇଥିଲା। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ।