ପର୍ଯ୍ୟଟକଙ୍କୁ ଅକୃଷ୍ଟ କରୁଛି ବୌଦ୍ଧ ଜିଲ୍ଲାର ସୌନ୍ଦର୍ଯ୍ୟ

0

ଓଡ଼ିଆ ନ୍ୟୁଜ, ବୌଦ୍ଧ : ପଶ୍ଚିମ ଓଡ଼ିଶାର ପ୍ରବେଶ ପଥ ବୌଦ୍ଧ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ତ୍ତମାନ ପର୍ଯ୍ୟଟକଙ୍କ ମନ ମୋହୁଛି । ଜିଲ୍ଲାକୁ ଲାଗି ବୋହି ଯାଇଥିବା ମହାନଦୀରେ ବର୍ତ୍ତମାନ ଗୋଟିଏ ପଟରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଅନ୍ୟପଟେ ଏହାର ସୌନ୍ଦର୍ଯ୍ୟ ବର୍ତ୍ତମାନ ଦ୍ବିଗୁଣିତ ହୋଇଛି । ଦୁଇ କୂଳରେ ଜଳ ପ୍ରବାହ ଯୋଗୁଁ ବର୍ତ୍ତମାନ ପୂର୍ଣ୍ଣ ଗର୍ଭା ମହାନଦୀ ଖୁବ୍‌ ମନଲୋଭା ଦେଖାଯାଉଛି । ବୌଦ୍ଧ ସହରର ଅପର ପାର୍ଶ୍ଵରେ ରହିଛି କିଆକଟାର ବିସ୍ତୃତ ଜଙ୍ଗଲ ଅଞ୍ଚଳ । ବୌଦ୍ଧ ଓ କିଆକଟା ମଧ୍ୟରେ ମହାନଦୀ ଉପରେ ନିର୍ମିତ ସେତୁ ଉପରେ ପ୍ରକୃତିର ମନଲୋଭା ଦୃଶ୍ୟ ଦେଖିବାକୁ ମିଳେ ।

ସବୁଜିମାରେ ଭରପୁର ଏହି ଅଞ୍ଚଳ ବର୍ତ୍ତମାନ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । 4ଟି ଜିଲ୍ଲାର ସଙ୍ଗମ ଅଞ୍ଚଳରେ ରାଜ୍ୟ ତଥା ବାହାରର ପର୍ଯ୍ୟଟକ ଖୁବ୍‌ ମଜା ଉଠାଉଛନ୍ତି । ଝିପଝିପ ବର୍ଷା ସହିତ ସୁଦୂର ମେଘମାଳାରୁ ସୃଷ୍ଟି ହୋଇଥିବା ଇନ୍ଦ୍ରଧନୁର ମନଲୋଭା ଦୃଶ୍ୟ ପରିବେଶକୁ ବେଶ ଆକର୍ଷଣୀୟ କରୁଛି । ବର୍ଷା ଋତୁରେ ସବୁଜିମାରେ ଭରପୁର ଅଞ୍ଚଳ ବର୍ତ୍ତମାନ ଦାର୍ଜିଲିଂର ଭ୍ରମ ସୃଷ୍ଟି କରୁଛି । ଏହି ଅଞ୍ଚଳରେ ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକଙ୍କ ସମାଗମ ହେବାରେ ଲାଗିଛି । ଏହାସହ ସୁଦୂର ମେଘମାଳାରୁ ଉଦ୍‌ଭାସିତ ହେଉଥିବା ଇନ୍ଦ୍ରଧନୁ ମଧ୍ୟ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି ।ଏହି ଅଞ୍ଚଳ 4ଟି ଜିଲ୍ଲାର ସୀମା ସଂଯୋଗସ୍ଥଳୀ ହୋଇ ରହିଛି । ଗୋଟିଏ ପଟେ ବୌଦ୍ଧ, ସୁବର୍ଣ୍ଣପୁର ଓ ଅନ୍ୟପଟେ ସମ୍ବଲପୁର ଓ ଅନୁଗୋଳ ଜିଲ୍ଲାର ଘଞ୍ଚ ଜଙ୍ଗଲ ସଂଲଗ୍ନ ହୋଇ ରହିଛି । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ସହିତ ନଦୀର ଅପର ପାର୍ଶ୍ଵରେ ଥିବା ବାଙ୍କପାଳ, କିଆକଟା, କଦଳୀଗଡ, ଗରିଆମୁଣ୍ଡା, କନ୍ଧରା ଭଳି ଅଞ୍ଚଳରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ରହିଛି । କନ୍ଧରାର ପ୍ରସିଦ୍ଧ ଐତିହାସିକ କୂପ, ଦେଉଳଝରୀର ଉଷ୍ଣ ପ୍ରସବଣ, ବୌଦ୍ଧର ରାମେଶ୍ୱର, ଚାରିଶମ୍ଭୁ ଭଳି ପ୍ରାଚୀନ କଳାକୃତି ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ହୋଇ ରହିଛି ।

ଏହି ଅଞ୍ଚଳରେ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ଖୁବ ଭିଡ ଦେଖିବାକୁ ମିଳୁଛି । ଯଦିଓ ଏଭଳି ବିଭିନ୍ନ ସୌନ୍ଦର୍ଯ୍ୟପୂର୍ଣ୍ଣ ତଥା ଐତିହ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଇଛି ତଥାପି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଯାହା ଫଳରେ ଏହି ଅଞ୍ଚଳ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇପାରିବ ବୋଲି ପର୍ଯ୍ୟଟକ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.