ଆସନ୍ତା ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ବଜେଟ ଅଧିବେଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତା ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ବଜେଟ ଅଧିବେଶନ । ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । କାମଚଳା ଅଧିବେଶନ ପାଇଁ ଆଜି (ଶୁକ୍ରବାର) ପ୍ରକାଶ ପାଇଛି ବିଜ୍ଞପ୍ତି । ଷୋଡଶ ବିଧାନସଭାର ଏହା ହେଉଛି ଶେଷ ଅଧିବେଶନ । ବିଜ୍ଞପ୍ତି ଅନୁସାରେ ଚଳିତ ଅଧିବେଶନରେ ରହିଛି ୭ କାର୍ଯ୍ୟ ଦିବସ ।

ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ ଷୋଡଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଫେବ୍ରୁୟାରୀ ୫ ତାରିଖରୁ ବସିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣର କାର୍ଯ୍ୟକ୍ରମ ରହିଛି। ୬ ଓ ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ ।

ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଉପସ୍ଥାପନ କରିବେ। ଏହା ମୋସନ ଆକାରରେ ଗୃହରେ ଆଗତ ହୋଇ ଆଲୋଚନା ହେବ । ତା’ ପର ଦିନ ଏହି ବ୍ୟୟ ମଞ୍ଜୁରୀ ବିଲ୍‌ ( କାମଚଳା ବଜେଟ) ପାରିତ ହେବ ।

୧୦ ଓ ୧୧ ତାରିଖ ଶନିବାର ଓ ରବିବାର ପାଇଁ ଛୁଟି ରହିବ । ୧୨ ତାରିଖରେ ଗୃହରେ ସରକାରୀ କାର୍ଯ୍ୟ ଦିବସ ଓ ୧୩ ତାରିଖରେ ଘରୋଇ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ଦିବସ ରହିଛି।ଜାନୁଆରୀ 31 ତାରିଖରୁ ସଂସଦ ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ଫେବ୍ରୁଆରୀ 9 ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବ୍ରୁଆରୀ 1 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2024-2025 ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ।

ଚଳିତ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ କାମଚଳା ବଜେଟ ଉପସ୍ଥାପନ କରାଯିବ । ନିର୍ବାଚନ ପରେ ନବ ନିର୍ବାଚିତ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ । କେନ୍ଦ୍ରର ବଜେଟରେ ଭିତ୍ତିଭୂମି ବିକାଶ ଓ ନିଯୁକ୍ତ ସୃଷ୍ଟିକୁ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ । ତେବେ କାମଚଳା ବଜେଟରେ ଆୟକର ନିୟମରେ କୌଣସି ବଡ଼ ଧରଣର ପରିବର୍ତ୍ତନ ନ ହୋଇପାରେ ।

Leave A Reply

Your email address will not be published.