ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ୟ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ଇଡି ଦାବି କରିଛି ଯେ ଗୋଟିଏ ବେଟିଂ ଆପ୍ର ପ୍ରମୋଟର୍ସଙ୍କ ଠାରୁ ବାଘେଲ ୫୦୮ କୋଟି ଟଙ୍କା ନେଇଛନ୍ତି। ଏବେ ଏହାର ତଦନ୍ତ ଇଡି ଆରମ୍ଭ କରିଛି।
ଇଡି କହିଛି ଯେ ୟୁଏଇରେ ରହୁଥିବା ମହାଦେବ ବେଟିଂ ଆପର ପ୍ରମୋଟର୍ସ ଠାରୁ ମୁଖ୍ୟମନ୍ତ୍ରୀ ବାଘେଲ ୫୦୮ କୋଟି ଟଙ୍କା ପାଇଥିବା ଅଭିଯୋଗ ହୋଇଛି। ଗୁରୁବାର ମହାଦେବ ବେଟିଂ ଆପ ସ୍କାମ ସହ ଜଡ଼ିତ ଗୋଟିଏ କୋରିୟର ଏଜେନ୍ସି ଉପରେ ଇଡି ଗୁରୁବାର ରେଡ କରିଥିଲା। ରେଡ ବେଳେ କୋରିୟର ସଂସ୍ଥା ପାଖରୁ ନଗଦ ୫.୩୯ କୋଟି ଟଙ୍କା ମିଳିଥିଲା। ଉକ୍ତ କୋରିୟର ଗ୍ରହଣ କରିବାକୁ ଥିବା ବ୍ୟକ୍ତିଙ୍କୁ ଜେରା କରିବା ବେଳେ ସେ ଇଡିକୁ ସାଂଘାତିକ ତଥ୍ୟ ଦେଇଛନ୍ତି।
ବ୍ୟକ୍ତି ଜଣଙ୍କ ଦାବି କରିଛନ୍ତି ଯେ ମହାଦେବ ବେଟିଂ ଆପର ପ୍ରମୋଟର୍ସ ମୁଖ୍ୟମନ୍ତ୍ରୀ ବାଘେଲଙ୍କୁ ୫୦୮ କୋଟି ଟଙ୍କା ଦେଇଛନ୍ତି। ତାଙ୍କ ପାଖରେ ଥିବା ୫ କୋଟିରୁ ଅଧିକ ଟଙ୍କା ସେ ଛତିଶଗଡ଼ ନିର୍ବାଚନୀ ଖର୍ଚ୍ଚ ପାଇଁ ବାଘେଲଙ୍କୁ ଦେବାକୁ ରଖିଥିଲେ।