ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଗଣ ପର୍ବ ଭାବେ ପରିଚିତ ପାଞ୍ଚପୀଢ଼ ଦୋଳ ମେଲଣ ଯାତ୍ରା | ଫଗୁ ଦଶମୀ ଦିନ ଠାରୁ ତିନି ଦିନ ଯାଏ ରାଧାକୃଷ୍ଣ ୧୯ ଗୋଟି ବିମାନରେ ବିଭିନ୍ନ ଅଞ୍ଚଳ ବୁଲି ଭୋଗରାଗ ଖାଇ ରଙ୍ଗ ଖେଳି ଆଜି ମଧ୍ୟ ରାତ୍ରରେ ସେମାନଙ୍କ ମହାମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି |
ପରମ୍ପରା ଅନୁଯାୟୀ ଫଗୁ ଦଶମୀ ଦିନ କରଞ୍ଜିଆ ସହର ମଧ୍ୟରେ ଥିବା ଶ୍ରୀ ଶ୍ରୀ ସ୍ବାମରାଇ ମହାପ୍ରଭୁଙ୍କ ନିମନ୍ତ୍ରଣ ରକ୍ଷା କରି କରଞ୍ଜିଆ ଉପଖଣ୍ଡ ର ବିଭିନ୍ନ ମନ୍ଦିର ଗୁଡିକରେ ଥିବା ରାଧାକୃଷ୍ଣ ପ୍ରତିମୂର୍ତି ବିମାନ ମାନଙ୍କରେ ବିରାଜମାନ ହୋଇ ବିଭିନ୍ନ ଗାଁ ବୁଲି ଭୋଗ ରାଗ ଖାଇବା ସହ ରଙ୍ଗ ଖେଳିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ ଫାଲଗୁନ ମାସ ତ୍ରୟୋଦଶୀ ତିଥି ରାତିରୁ ଦୋଳ ପଡ଼ିଆ ଠାରେ ଥିବା ଶୁଭସ୍ତମ୍ଭ ଆରମ୍ଭ କରିଥାନ୍ତି ପାଞ୍ଚପୀଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ । ସେହିପରି ଅନ୍ୟ ଏକ ପରମ୍ପରା ଅନୁଯାୟୀ ସେହି ବିଳମ୍ବିତ ରାତିରେ ସମସ୍ତ ଜୀଉମାନଙ୍କ ଅଗ୍ରଜ ସଦୃଶ ଯଶିପୁର ରଘୁନାଥ ଜୀଉ କରଞ୍ଜିଆ ପହଁଞ୍ଚିବା ପରେ ପାହାନ୍ତିଆ ସମୟରେ ସ୍ଥାନୀୟ ମେଳଣ ପଡ଼ିଆ ଠାରେ ଜୀଉ ମାନଙ୍କ ମହାମେଳଣ ପର୍ବ ଅନୁଷ୍ଠିତ ହୋଇଛି | ବିଭିନ୍ନ ଛକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।
ଏହି ମହୋତ୍ସବକୁ କାହିଁ କେଉଁ ଆବହମାନ କାଳରୁ ଦୋଳ ମେଳଣ ଉତ୍ସବ ଭାବେ ପାଳନ କରିଆସୁଛନ୍ତି ଏହି ଅଞ୍ଚଳ ବାସୀ |ଦୋଳ କମିଟି ସଭାପତି ତଥା ସ୍ଥାନୀୟ ଉପଜିଲ୍ଲାପାଳ ସମସ୍ତ ଜୀଉ ମାନଙ୍କୁ ବନ୍ଦାପନା କରି ନିଜ ସରକାରୀ ବାସଭବନକୁ ଆମନ୍ତ୍ରଣ କରି ଭୋଗ ଖାଇବା ପାଇଁ ଦେଇଥାନ୍ତି।ପରେ ପରେ ଜୀଉ ମାନେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଭୋଗ ରାଗ ଖାଇ ନିକଟସ୍ଥ ସରଧା ଗାଁରେ ଅବସ୍ଥାନ କରିଥାନ୍ତି। ଦୁଇ ଦିନ ପରେ ପରମ୍ପରା ଅନୁଯାୟୀ ପ୍ରତିପଦ ତିଥିରେ ପୁନଶ୍ଚ ଜୀଉ ମନେ ସ୍ଥାନୀୟ ଦୋଳ ମଣ୍ଡପ ଠାରେ ଉପସ୍ଥିତ ରହି ଭକ୍ତଙ୍କ ସହ ହୋଲି ଖେଳରେ ସାମିଲ ହୋଇଥାନ୍ତି । ତିନି ଦିନ ସେଠାରେ ରହି ଅଗ୍ରଜ ଯଶିପୁରର ଶ୍ରୀ ଶ୍ରୀ ରଘୁନାଥ ଜାରଙ୍କ ଅନୁମତି କ୍ରମେ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତନ କରିଥାନ୍ତି ।