ମେଣ୍ଢା ଦାନ ନଦେବାରୁ ୩ ଦିନ ପଡ଼ିରହିଲା ମାଆର ଶବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଜବ ପ୍ରଥା ଓ ଅଜବ ପରମ୍ପରା। ଯୋଉଥିପାଇଁ ମୃତ ମାଆ ର ଶବ ସତ୍କାର ପାଇଁ ତିନି ଦିନ ହେଲା ଅପେକ୍ଷା କରିଛି ପୁଅ। ପୂର୍ବରୁ କୌଣସି ଘଟଣା ପାଇଁ ଗ୍ରାମବାସୀ ଙ୍କୁ ମେଣ୍ଢା ଜୋରିମାନା ଦେବା କଥା କହି ଦୀର୍ଘ ଦିନ ଧରି ଫାଙ୍କି ମରିଆସୁଥିବା ବେଳେ ମାଆ କାମରେ ମେଣ୍ଢା ଦେବି ବୋଲି କଥା ଦେଇଥିଲେ ମୃତକଙ୍କ ପୁଅ। ଆଉ ମାଆ ର ମୃତ୍ୟୁ ପରେ ପଞ୍ଚାୟତ କୁ ମେଣ୍ଢା ନଦେବାରୁ ଶବ ସତ୍କାର ପାଇଁ ପିଣ୍ଡା ମାଡିଲେନି ଗ୍ରାମବାସୀ। ପାରିବାରିକ ଅଭାବ ସତ୍ୱେ ଶେଷରେ ଗ୍ରାମବାସୀ ଙ୍କୁ ମେଣ୍ଢା ଦାନ ଦେବାକୁ ରାଜି ହେବା ପରେ ଆଜି ୩ଦିନରେ ଶବ ସତ୍କାର ପାଇଁ ରାଜି ହୋଇଛନ୍ତି ଗ୍ରାମବାସୀ। ଘଟଣା କୁ ୩ ଦିନ ହୋଇଯାଇଥିଲେ ମଧ୍ୟ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶମାଖୁଣ୍ଟା ବ୍ଲକ୍ ଅଧିନସ୍ଥ ଜୟବିଲା ଗ୍ରାମରେ। ଘଟଣା ମୁତାବକ ଗତ ୧୬ ତାରିଖ ଶନିବାର ଦିନ ୨ଟା ସମୟରେ ଗ୍ରାମର ଡାକ୍ତର ସିଂ ଙ୍କ ବୃଦ୍ଧା ଓ ରୋଗୀଣା ମାଆ ସମବରୀ ସିଂ ଙ୍କର ହଠାତ୍ ମୃତ୍ୟୁ ଘଟିଥିଲା। ମାଆ ଙ୍କର ମୃତ୍ୟୁ ପରେ ପୁଅ ଡାକ୍ତର ସିଂ ଭାଙ୍ଗିପଡିବା ସହିତ ମାଆ ର ଶବ ସତ୍କାର ପାଇଁ ସହି ପୋଡ଼ିଶାଙ୍କ ସହଯୋଗ କାମନା କରିଥିଲେ। ହେଲେ ଗ୍ରାମବାସୀ ମାନେ ସମସ୍ତେ ତାଙ୍କ ଘରକୁ ଆସିବା ପାଇଁ ମନା କରିଦେଇଥିଲେ। ଗ୍ରାମବାସୀ ଙ୍କର ମନା କରିବାର କାରଣ ହେଉଛି ଡାକ୍ତର ସିଂ ଙ୍କର ଦୁଇଟି ସ୍ତ୍ରୀ ଅଛନ୍ତି। ସେ ସମୟରେ ଡାକ୍ତର ଗ୍ରାମର ମୁଖିଆ ଙ୍କୁ ନଜଣେଇ ନିଜ ଇଚ୍ଛାରେ ବିନା ବିବାହ ରେ ଦୁଇଜଣ ଝିଅକୁ ଆଣି ସ୍ତ୍ରୀ କରି ରଖିଥିଲେ। ଏବଂ ସେମାନଙ୍କର ପିଲାଛୁଆ ମଧ୍ୟ ଏବେ ବଡ଼ ହୋଇଗଲେଣି। ସେ ସମୟରେ ଏହାକୁ ନେଇ ପଞ୍ଚାୟତ ରେ ବାରମ୍ବାର ବୈଠକ ମଧ୍ୟ ବସିଥିଲା। ଉକ୍ତ ବୈଠକରେ ଗ୍ରାମର ସମସ୍ତ ମାନ୍ୟ ଗଣ୍ୟ ବ୍ୟକ୍ତି ବିଚାର କରି ଡାକ୍ତର ସିଂ ଙ୍କୁ ଜୋରିମାନା ଆକାରରେ ଗୋଟିଏ ମେଣ୍ଢା ଗ୍ରାମବାସୀ ଙ୍କୁ ଖାଇବାକୁ ଦେବାପାଇଁ କୁହାଯାଇଥିଲା ଏବଂ ଡାକ୍ତର ସେଥିରେ ରାଜି ହୋଇଗଲେ। କିନ୍ତୁ ପର ମୁହୂର୍ତ୍ତରେ ଡାକ୍ତର ତାହା ଆଜି ଆଜିପର୍ଯ୍ୟନ୍ତ ପରିଶୋଧ କରି ପରିନାହାନ୍ତି। ଏବଂ ବର୍ତ୍ତମାନ ସମୟରେ ଡାକ୍ତରଙ୍କ ପାଖରେ ଜଣେ ହେଲେବି ସ୍ତ୍ରୀ ନାହାନ୍ତି। କଳି ଝଗଡା ଲାଗି ତାଙ୍କର ଦୁଇ ସ୍ତ୍ରୀ ଏବେ ସ୍ୱାମୀଙ୍କ ଠାରୁ ଅଲଗା ରହୁଛନ୍ତି।

ଶେଷ ଥର ହୋଇଥିବା ବୈଠକରେ ଡାକ୍ତର ତାଙ୍କର ମାଆ ଙ୍କର କାମ ସମୟରେ ଏହା ପରିଶୋଧ କରିବେ ବୋଲି ଗ୍ରାମବାସୀ ଙ୍କୁ କଥା ଦେଇଥିଲେ। ଯୋଉଥିପାଇଁ ଗ୍ରାମବାସୀ ମାନେ ଏହା ଏକ ମୌକା ଭାବି ନିଜ ଦାବିରେ ଅଡିବସିଥିଲେ। ମେଣ୍ଢା ନଦେବା ଯାଏଁ ଆମେ ତୋତେ ସହଯୋଗ କରିପାରିବୁନି ବୋଲି ମନା କରିବା ସହିତ ତୋର ସ୍ତ୍ରୀ କୁ ଡାକ ବୋଲି କହିଥିଲେ। ଆଉ ଆଜି ଡାକ୍ତର ଙ୍କ ପ୍ରଥମ ସ୍ତ୍ରୀ ବିଦ୍ୟାବତୀ ସିଂ ଆସି ଶାଶୁ ଘରେ ପହଂଚିବା ପରେ ୮ ଦିନ ମଧ୍ୟରେ ଗ୍ରାମବାସୀ ଙ୍କୁ ଗୋଟିଏ ୧୦ କେ.ଜି.ର ମେଣ୍ଢା ଦେବନେଇ ଡାକ୍ତର ସିଂ କଥା ଦେବାପରେ ଗ୍ରାମବାସୀ ଓ ସହି ପୋଡ଼ିଶା ଶବ ସତ୍କାର ପାଇଁ ରାଜି ହୋଇଥିଲେ। ଏଭଳି ଏକ ଅଜବ ଓ ଆଶ୍ଚର୍ଯ୍ୟ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲୋଟିଥିବା ବେଳେ ଏହା ତାଙ୍କର ମୁଣ୍ଡାରୀ ସମ୍ପ୍ରଦାୟର ପରମ୍ପରା ବୋଲି କହିଛନ୍ତି ଗ୍ରାମବାସୀ। ତେବେ ଆଜିବି ଏଭଳି ଅଜବ ପରମ୍ପରା ଓ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଲୋକମାନେ ଜାଣିଶୁଣି ଏଭଳି ଅନେକ ଅଘଟଣ ଘଟାଉଛନ୍ତି ଯାହାର କି’ ପୂର୍ଣ୍ଣଛେଦ ପଡିବା ନିତ୍ୟାନ୍ତ ଆବଶ୍ୟକ ରହିଛି।

Leave A Reply

Your email address will not be published.